ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ମଣିଷ ଦୈନନ୍ଦିନ ଜୀବନର ଅଂଶ ପାଲଟିଛି ମୋଟର ସାଇକେଲ । ସହଜ ଓ ସୁଗମ ଯାତାୟତ ପାଇଁ ବାଇକକୁ ଅଧିକ ପସନ୍ଦ କରୁଛନ୍ତି ଲୋକେ । ମୋଟର ସାଇକେଲ ଦୀର୍ଘସ୍ଥାୟୀ ହେବା ସଙ୍ଗେ ସଙ୍ଗେ ଭଲ ମାଇଲେଜ୍ ଦେଇଥାଏ । ଏହାର ରକ୍ଷଣାବେକ୍ଷଣ ମଧ୍ୟ କମ୍ ବ୍ୟୟ ସାପେକ୍ଷ ଅଟେ । ଦୁଇ ଚକିଆ କିଣିବା ପାଇଁ ଆପଣ ନିଜ ବଜେଟ୍ ଉପରେ ଚାପ କମ୍ କରିବାକୁ ଚାହୁଁଥିଲେ ଏଥିପାଇଁ ଶସ୍ତା ଋଣ ମଧ୍ୟ ନେଇପାରିବେ ।
ଯଦି ଆପଣ ବାଇକ୍ କିଣୁଛନ୍ତି, ତେବେ ଇନସ୍ୟୁରାନ୍ସ ପଲିସି ନେବା ବାଧ୍ୟତାମୂଳକ ଅଟେ । ଅପ୍ରତ୍ୟାଶିତ ଦୁର୍ଘଟଣାରୁ ନିଜ ଗାଡିକୁ ସୁରକ୍ଷା ଦେବା ଏବଂ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଇବା ପାଇଁ ଗାଡି ବୀମା ନିତାନ୍ତ ଜରୁରୀ । ବୀମା ପଲିସିରେ ନିବେଶ କରିବା ଦ୍ବାରା ଆପଣଙ୍କ ବାଇକ୍ ସୁରକ୍ଷା ସୁନିଶ୍ଚିତ ହୋଇଥାଏ । ତେଣୁ ଯଦି ଆପଣ ଗାଡି କିଣିବା ପାଇଁ ପ୍ଲାନ କରୁଛନ୍ତି, ତେବେ ବୀମା ପଲିସି ନେବା ନିହାତି ଦରକାର । ତେବେ ବୀମା ନେବା ସମୟରେ ନିମ୍ନଲିଖିତ ଦିଗରେ ଉପରେ ଧ୍ୟାନ ଦିଅନ୍ତୁ
ଗାଡି ବୀମା(Vehicle Insurance) : ଯେକୌଣସି ଯାନବାହନର ମୂଲ୍ୟ ଏହାର ଫିଚର, ମ୍ୟାନୁଫାକ୍ଚର ଏବଂ ମଡେଲ୍ ଉପରେ ନିର୍ଭରଶୀଳ । ବୀମା କଭରେଜ୍ ବାଇକ ଦାମ୍ ଆଧାରରେ ସ୍ଥିର ହୋଇଥାଏ । ଅର୍ଥାତ୍ ବୀମା ପ୍ରିମିୟମ ସିଧାସଳଖ ଗାଡି ମୂଲ୍ୟକୁ ବିଚାରକୁ ନିଆଯାଇ ଧାର୍ଯ୍ୟ କରାଯାଇଥାଏ । 75,000 ଦାମ୍ ବାଇକର ପ୍ରିମିୟମ ଏକ ଲକ୍ଷ ମୂଲ୍ୟ ବାଇକ୍ ଠାରୁ କମ୍ ହୋଇଥାଏ । ସେହିପରି ପ୍ରିମିୟମ cubic capacityକୁ ଆଧାର କରି ପରିବର୍ତ୍ତିତ ହୋଇଥାଏ । ବୀମା ନିୟାମକ ପ୍ରାଧିକରଣ ସିସି ଆଧାରରେ ସ୍ଲାବ ଦାମ୍ ବାଖ୍ୟା କରିଥାଏ । ବୈଦ୍ୟୁତିକ ଯାନ ବଜାରକୁ ଆସିବା ପରେ ଏବେ ବୈଦ୍ୟୁତିକ ମୋଟର ସାଇକେଲର ପ୍ରିମିୟମ ମଧ୍ୟ କିଲୋୱାଟ ଆଧାରରେ ନିର୍ଦ୍ଧାରଣ ହେଉଛି ।
ଧ୍ୟାନ ରଖିବେ ଯେ, ସମୟ ସହିତ ଆପଣଙ୍କ ବାଇକ୍ ଦାମ୍ ମଧ୍ୟ କମ୍ ହୋଇଥାଏ । ପୁରୁଣା ବାଇକ ପାଇଁ ଡେପ୍ରିସିଏସନ ରେଟ୍ ଅଧିକ ରହିଥାଏ, ହେଲେ ନୂଆ ବାଇକ(୬ ମାସ ପୁରୁଣା) କ୍ଷେତ୍ରରେ ଏହା ୫ ପ୍ରତିଶତ ଅଟେ । ପାଞ୍ଚ ବର୍ଷରୁ ଅଧିକ ପୁରୁଣା ଗାଡି କ୍ଷେତ୍ରରେ ୫୦ ପ୍ରତିଶତ ଯାଏଁ ହ୍ରାସ ହୋଇଥାଏ ।
ବାଇକ୍ ଇନସ୍ୟୁରାନ୍ସ ପାଇଁ କେଉଁ ପ୍ରକାର କଭରେଜ୍ ଜରୁରୀ:
ଦୁଇ ଚକିଆ ଯାନ ଇନସ୍ୟୁରାନ୍ସରେ ଦୁଇ ପ୍ରକାର କଭରେଜ୍ ମିଳିଥାଏ, ଗୋଟିଏ ଥାର୍ଡ ପାର୍ଟି (third party) ଏବଂ ଅନ୍ୟଟି କମ୍ପ୍ରେହନସିଭ୍(Comprehensive) । ରାସ୍ତାରେ ଯାତାୟତ କରୁଥିବା ପ୍ରତି ବାଇକ୍ ପାଇଁ ଥାର୍ଡ ପାର୍ଟି କଭର ଜରୁରୀ ଅଟେ । ଏହା ଆପଣଙ୍କ ଗାଡି ଦ୍ୱାରା ଥାର୍ଡ ପାର୍ଟି ପାଇଁ ହୋଇଥିବା ଆର୍ଥିକ କ୍ଷତି ଭରଣା କରିଥାଏ । ଥାର୍ଡ ପାର୍ଟି କଭରରେ ଯାନ ପାଇଁ ସୁରକ୍ଷା ବ୍ୟବସ୍ଥା ନାହିଁ । ଅନ୍ୟପଟେ Comprehensive ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷତିପୂରଣ ଦେଇଥାଏ । ଏହାବ୍ୟତୀତ ଦୁର୍ଘଟଣା, ଚୋରି ଜନିତ କ୍ଷତି ମଧ୍ୟ କଭର କରିଥାଏ ଏହି କଭରେଜ୍ । Comprehensive କଭରେଜ୍ ପ୍ରିମିୟମ୍ ଥାର୍ଡ ପାର୍ଟି ଅପେକ୍ଷା ଅଧିକ ଅଟେ । ପ୍ରିମିୟମ ରାଶି ଅଧିକ ହୋଇଥିଲେ ହେଁ ଏହି କଭରେଜ୍ ନେବା ନିତାନ୍ତ ଜରୁରୀ ଅଟେ ।
ବୀମା ଘୋଷିତ ମୂଲ୍ୟ (Insurance Declared Value): IDV ହେଉଛି ବୀମା କମ୍ପାନୀ ଦ୍ବାରା ଦିଆଯାଉଥିବା ସର୍ବାଧିକ ମୂଲ୍ୟ । ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାରଣ ଯଦି ଆପଣଙ୍କ ଗାଡି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେଉଛି ଅଥବା ଚୋରି ହୋଇଯାଉଛି ତେବେ ବୀମା କମ୍ପାନୀ ଦ୍ବାରା IDV ପ୍ରଦାନ କରାଯାଇଥାଏ । କହିରଖୁଛୁ କି, ପ୍ରତ୍ୟେକ ରିନ୍ୟୁଆଲ(renewal) ପରେ IDV ମୂଲ୍ୟ ହ୍ରାସ ପାଇଥାଏ ।
ନୋ କ୍ଲେମ୍ ବୋନସ(No Claim Bonus): ନୋ କ୍ଲେମ୍ ବୋନସ ବୀମା କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇଥାଏ । ଯଦି ଆପଣ ଫାଇନାନସିଆଲ ସେସନରେ ବୀମା କମ୍ପାନୀଠୁ କ୍ଲେମ କରିନଥିବେ, ଏପରିସ୍ଥଳେ କମ୍ପାନୀ ପକ୍ଷରୁ ନୋ କ୍ଲେମ୍ ବୋନସ୍ ଦିଆଯାଇଥାଏ । ଏହି ବୋନସ ରାଶି ୨୦ ପ୍ରତିଶତରୁ ୫୦ ପ୍ରତିଶତ ଯାଏ ହୋଇଥାଏ । NCB(No Claim Bonus) ଆପଣଙ୍କ ଗାଡି ପ୍ରିମିୟମକୁ ମଧ୍ୟ କମ୍ କରିଥାଏ ।
ଆଡ୍ ଅନ୍ କଭର୍ସ(Add-on covers): ଆଡ୍ ଅନ୍ କଭର୍ସ ମଧ୍ୟ ଆପଣଙ୍କ ଗାଡିକୁ ଅତିରିକ୍ତ ସୁରକ୍ଷା ପ୍ରଦାନ କରିଥାଏ । ଆପଣ ନିଜେ ନିଜର କଭରେଜ୍ ପ୍ଲାନ କରିପାରିବେ । ପ୍ରତ୍ୟେକ ଆଡ୍ ଅନ୍ ପାଇଁ ଆପଣଙ୍କୁ କିଛି ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରା କରିବାକୁ ହେବ । ଯେପରିକି, ରୋଡ୍ସାଇଡ୍ ଆସିଷ୍ଟାନସ୍, ଜିରୋ ଡିପ୍ରେସନ, ମେଡିକାଲ କଭର ଏବଂ ଇଞ୍ଜିନ ସୁରକ୍ଷା । ଆପଣ ନିଜ ଆବଶ୍ୟକତା ଭିତ୍ତିରେ ଆଡ୍ ଅନ୍ ଚୟନ କରିପାରିବେ ।
ବଜାଜ୍ ଆଲିୟାନଜ୍ ଜେନେରାଲର ମୁଖ୍ୟ ରିଟେଲ୍ ଅଣ୍ଡରରାଇଟିଂ ଗୁରଦୀପ ସିଂହ ବତ୍ରା(Gurdeep Singh Batra, Head-Retail Underwriting, Bajaj Allianz General)ଙ୍କ ଅନୁସାରେ, ବୀମା ନବୀକରଣ କିମ୍ବା ନୂଆ ବୀମା ପଲିସି ନେବା ସମୟରେ ଆପଣ ଏସବୁ ଦିଗରେ ଧ୍ୟାନ ଦେଲେ ପ୍ରିମିୟମ ହିସାବ କରିବା ସହଜ ହୋଇଥାଏ ।