ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସତ୍ତ୍ବେ ଏସିଆନ ସେୟାର ମାର୍କେଟରେ ସକରାତ୍ମକ ଧାରା ଜାରି ରହିଛି । ଗୁରୁବାର ସେୟାର ବଜାର ଆରମ୍ଭ ହେଉହେଉ ବ୍ୟବସାୟରେ ୩୫୦ ଅଙ୍କର ବୃଦ୍ଧି ଦେଖା ଦେଇଥିଲା । ସେନ୍ସେକ୍ସରେ ୩୫୩.୫୨ ଅଙ୍କ ବୃଦ୍ଧି ବା ୦.୬୪ ପ୍ରତିଶତ ବୃଦ୍ଧି ହୋଇ ୫୫୮୨୨.୪୨ରେ ପହଞ୍ଚିଥିଲା ।
ସେପଟେ ନିଫ୍ଟିରେ ମଧ୍ୟ ଆକର୍ଷଣୀୟ ବୃଦ୍ଧି ଦେଖିବାକୁ ମିଳିଥିଲା । ନିଫ୍ଟି ୧୧୦.୪୫ ଅଙ୍କ ବୃଦ୍ଧି ବା ୦.୬୭ ପ୍ରତିଶତ ବୃଦ୍ଧି ପାଇ ୧୬୭୧୬ ଅଙ୍କରେ ପହଞ୍ଚିଥିଲା । ସେନ୍ସେକ୍ସରେ ସକରାତ୍ମକ ଧାରା ଯୋଗୁଁ ଇଣ୍ଡସଲ୍ୟାଣ୍ଡ ବ୍ୟାଙ୍କକୁ ସବୁଠାରୁ ଅଧିକ ଫାଇଦା ମିଳିଛି । ଇଣ୍ଡସଲ୍ୟାଣ୍ଡ ସେୟାର ମୂଲ୍ୟ ପାଖାପାଖି 2 ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା । ତା ସହିତ ପାୱାରଗ୍ରୀଡ, NTPC, ୱିପ୍ରୋ, ଟଟା ଷ୍ଟିଲ୍ ଓ ଟେକ୍ ମହିନ୍ଦ୍ରା ସେୟାର ମୂଲ୍ୟ ମଧ୍ୟ ବୃଦ୍ଧି ହୋଇଛି ।
ତେବେ ଏସିଆନ୍ ପେଣ୍ଟସ ମାରୁତୀ, ଅଲ୍ଟ୍ରାଟେକ୍ ସିମେଣ୍ଟ ନେସ୍ଲେ ଇଣ୍ଡିଆ ଓ TCS କମ୍ପାନୀକୁ କ୍ଷତି ସହିବାକୁ ପଡ଼ିଛି । ଏହି ସବୁ କମ୍ପାନୀ ଗୁ଼ଡ଼ିକର ସେୟାର ମୂଲ୍ୟ ପ୍ରାୟ ୧.୦୯ ପ୍ରତିଶତ ହ୍ରାସ ହୋଇଛି । ଗତଥର ସେନ୍ସେକ୍ସ ସୂଚକାଙ୍କ ୭୭୮.୩୮ ଅଙ୍କ ବା ୧.୩୮ ହ୍ରାସ ପାଇ ୫୫୪୬୮.୯୦ରେ ବନ୍ଦ ହୋଇଥିଲା । ସେହିଭଳି ନିଫ୍ଟିର ସୂଚକାଙ୍କ ମଧ୍ୟ ୧୮୭.୯୫ ଅଙ୍କ ବା ୧.୧୨ ପ୍ରତିଶତ ହ୍ରାସ ପାଇ ୧୬.୬୦୫.୯୫ରେ ବନ୍ଦ ହୋଇଥିଲା ।
ମଧ୍ୟ ସିଜିନରେ କମ୍ପାନୀଗୁଡ଼ିକ ହଙ୍ଗ୍କଙ୍ଗ୍, ଶାଙ୍ଘାଇ, ସିୟୋଲ ଓ ଟୋକିଓ ସହ ବ୍ୟବସାୟରେ ଲାଭବାନ ହୋଇଥିଲେ । ସେପଟେ ଆମେରିକାର ଷ୍ଟକ୍ ଏକ୍ସଚେଞ୍ଜ ମଧ୍ୟ ସକରାତ୍ମକ ଧାରାରେ ବନ୍ଦ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ