ମୁମ୍ବାଇ: ଟଙ୍କାକୁ ମିଳୁଛି ବଳ, ଦୁର୍ବଳ ହେଉଛି ଡଲାର । ଲଗାତାର ଦ୍ବିତୀୟ ଦିନ ଧରି ବଢିଛି ଟଙ୍କାର ବିନିମୟ ମୂଲ୍ୟ । ଘରୋଇ ସେୟାର ବଜାରରେ ବୃଦ୍ଧି ଓ ପ୍ରମୁଖ ବିଦେଶୀ ମୁଦ୍ରା ଭିତରେ ଡଲାର ଦୁର୍ବଳ ଯୋଗୁଁ ଶୁକ୍ରବାର ଟଙ୍କାର ମୂଲ୍ୟ ଡଲାର ତୁଳନାରେ 27 ପଇସା ବଢିଛି । ଫଳରେ ଆଜି (ଶୁକ୍ରବାର) 1 ଡଲାର 73.51 ଟଙ୍କାରେ ହୋଇଛି ବନ୍ଦ ।
ଅନ୍ତରବ୍ୟାଙ୍କ ବିଦେଶୀ ବିନିମୟ ବଜାରର ଡଲାର ତୁଳନାରେ ଟଙ୍କା ଦର 73.62 ଖୋଲିଥିଲା । ଆଉ ବଜାର ବନ୍ଦ ହେବା ସମୟରେ ବିନିମୟ ଦର ଡଲାର ପ୍ରତି 73.51 ଟଙ୍କା ରହିଛି । ଯାହା ଫଳରେ ଟଙ୍କା 27 ପଇସା ମଜବୁତ ହୋଇଥିବା ଦର୍ଶାଯାଇଛି ।
ଗୁରୁବାର ଡଲାର ତୁଳନାରେ ଟଙ୍କା 73.78 ରେ ବନ୍ଦ ହୋଇଥିଲା । ଏଥିମଧ୍ୟରେ ଛଅ ପ୍ରମୁଖ ମୁଦ୍ରା ତୁଳନାରେ ଆମେରକୀୟ ଡଲାର ସ୍ଥିତିକୁ ଦର୍ଶାଉଥିବା ଡଲାର ସୂଚକାଙ୍କ 0.19 ପ୍ରତିଶତ ହ୍ରାସ ହୋଇ 90.78 ରହିଛି ।