ନୂଆଦିଲ୍ଲୀ: ମହଙ୍ଗା ହେବ ଦିଆସିଲି । ଦିଆସିଲି କିଣିବା ପାଇଁ ଏବେ ଦୁଇଗୁଣା ଅଧିକ ପଇସା ଦେବେ ଗ୍ରାହକ । ପେଟ୍ରୋଲ-ଡିଜେଲ ଓ ରନ୍ଧନ ଗ୍ୟାସ ପରେ ଏବେ ଦୀର୍ଘ ୧୪ ବର୍ଷ ପରେ ବଢିବାକୁ ଯାଉଛି ଦିଆସିଲ ଦାମ୍ । ଏଣିକି ୧ ଟଙ୍କା ବଦଳରେ ୨ ଟଙ୍କାରେ ବିକ୍ରି ହେବ ଦିଆସିଲି ବକ୍ସ । ଡିସେମ୍ବର ପହିଲାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ ।
ଦିଆସିଲି ନିର୍ମାଣରେ ବ୍ୟବହୃତ କଞ୍ଚାମାଲ ଦାମ୍ ବହୁମାତ୍ରାରେ ବଢିଯାଇଛି । ଯେଉଁ କାରଣରୁ ଆସନ୍ତା ଡିସେମ୍ବର ୧ ତାରିଖରୁ ୧ ଟଙ୍କା ବଦଳରେ ଦିଆସିଲି ଦାମ୍ ୨ ଟଙ୍କା ରହିବ । ଶେଷଥର ପାଇଁ ୨୦୦୭ ମସିହାରେ ଗୋଟିଏ ଦିଆସିଲି ବକ୍ସର ମୂଲ୍ୟ ୫୦ ପଇସାରୁ ୧ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।
ତାମିଲନାଡୁର ଶିବକାଶୀ ଠାରେ ଦିଆସିଲି ଉତ୍ପାଦନର ମୁଖ୍ୟ ଉଦ୍ୟୋଗ ରହିଛି । ୫ଟି ପ୍ରମୁଖ ଦିଆସିଲି ନିର୍ମାତା କମ୍ପାନୀ ବର୍ତ୍ତମାନ ମହଙ୍ଗା ମାଡରେ ପ୍ରଭାବିତ ହୋଇଥିବାବେଳେ ଶିବକାଶୀରେ ଅଲ ଇଣ୍ଡିଆ ଚାମ୍ବର ଅଫ୍ ମ୍ୟାଚିସ ବୈଠକରେ ଦିଆସିଲ ଦାମ୍ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି ।
ଦିଆସିଲି ଉତ୍ପାଦନକାରୀ କମ୍ପାନୀ କହିଛନ୍ତି କି, ଦିଆସିଲି ତିଆରି ପାଇଁ ପ୍ରାୟ ୧୪ ପ୍ରକାର କଞ୍ଚାମାଲର ବ୍ୟବହାର ହୋଇଥାଏ । ଯାହାର ଦାମ୍ ଏବେ ବୃଦ୍ଧି ପାଇଛି । ରେଡ୍ ଫସଫରସ ଦାମ୍ ୪୨୫ ଟଙ୍କା ବଦଳରେ ୮୧୦ ଟଙ୍କା ହୋଇଯାଇଛି । ୱାକ୍ସର ଦାମ୍ ୫୮ ଟଙ୍କାରୁ ୮୦ ଟଙ୍କା ବଢିଛି । ଏହାସହ ଦିଆସିଲି ଖୋଳ ବୋର୍ଡ କାଗଜ, ପୋଟାସିୟମ କ୍ଲୋରେଟ ଏବଂ ସଲଫର ଆଦିର ଦାମ୍ ମଧ୍ୟ ମହଙ୍ଗା ହୋଇଛି । ଏଭଳି କଞ୍ଚାମାଲ ଦାମ୍ ବୃଦ୍ଧି ଯୋଗୁଁ ଦିଆସିଲିର ଦାମ୍ ମଧ୍ୟ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି ।