ମୁମ୍ବାଇ: କ୍ରମାଗତ ଚତୁର୍ଥ ଅଧିବେଶନ ପାଇଁ ଦେଶର ସ୍ପଟ ଏବଂ ଫ୍ୟୁଚର ବଜାରରେ ସୁନା ଦାମ ଦୁର୍ବଳ ରହିଛି । ହେଲେ କୋରୋନା ସମୟରେ ସବୁଠୁ ସୁରକ୍ଷିତ ନିବେଶ ଭାବେ ସୁନାର ଚାହିଦା ଉପରମୁହାଁ । ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ସୁନା ଚଳିତ ବର୍ଷ ଶୀର୍ଷରେ ପହଞ୍ଚିପାରେ ।
କୋରୋନା ସଙ୍କଟ ଯୋଗୁଁ ଆଗାମୀ ପର୍ବପର୍ବାଣୀ ସିଜନ ଚମକ ଯଦିଓ ମଳିନ ହୋଇପାରେ , କିନ୍ତୁ ଆଶା ରହିଛି କି ସୁନା ଦୀପାବଳୀ ସୁଦ୍ଧା 10 ଗ୍ରାମ ପିଛା 52 ହଜାର ସ୍ତର ପାର କରିପାରେ ।
ଗତ ସପ୍ତାହ ଜୁଲାଇ 1 ରେ ଭାରତୀୟ ଫ୍ୟୁଚର ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା 10 ଗ୍ରାମ ପିଛା 48,982 ଟଙ୍କାକୁ ଉଛୁଳିଥିଲା । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ସ୍ତର । ଏପଟେ ଘରୋଇ ବଜାରରେ ସୁନା 10 ଗ୍ରାମ ପ୍ରତି 50 ହଜାର ଟଙ୍କା ରେକର୍ଡ ପାର କରିସାରିଲାଣି ।
ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଆଉନ୍ସ ପ୍ରତି 2000 ଡଲାରରେ ପହଞ୍ଚିବାରେ ଲାଗିଛି । ଗତ ସପ୍ତାହ ଜୁଲାଇ ପହିଲାରେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଆଉନ୍ସ ପ୍ରତି 1807.70 ଡଲାରକୁ ବଢିଛି । ଯାହାକି 2011 ସେପ୍ଟେମ୍ବର 21 ପରର ସବୁଠୁ ଉଚ୍ଚ ସ୍ତର ।
ଦେଶର ସରଫରା ବଜାରରେ ମଧ୍ୟ କାରବାରୀ ଅନୁମାନ ଲଗାଇଛନ୍ତି କି, ଏ ବର୍ଷ ସୁନା ଦାମରେ ବୃଦ୍ଧି ଜାରି ରହିଛି । ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଲେର୍ସ ଆସୋସିଏସନର ନ୍ୟାସନାଲ ସେକ୍ରେଟେରୀ ସୁରେନ୍ଦ୍ର ମେହେତା କହିଛନ୍ତି କି, ଜିଏସଟି ବିନା 24 କ୍ୟାରେଟ ସୁନାର ଦାମ 10 ଗ୍ରାମ ପିଛା ଦୀପାବଳୀ ସୁଦ୍ଧା 52 ହଜାର ଟଙ୍କା ଡେଇଁପାରେ ।
ସୁନା ଦାମ ବୃଦ୍ଧିର ମୁଖ୍ୟ କାରଣ ହେଉଛି କୋରୋନା କାଳରେ ସମଗ୍ର ଦୁନିଆର କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ସୁଧ ହାର ହ୍ରାସ । ଯେଉଁଥିପାଇଁ ସୁନାରେ ନିବେଶ ଚାହିଦା ବଢିଚାଲିଛି ।
କୋରୋନା ମହାମାରୀ ପ୍ରକୋପ ବଢିବା ସହ ଆର୍ଥିକ ଗତିବିଧି ପ୍ରଭାବିତ ହେଉଛି । ଏଥିମଧ୍ୟରେ ଆଇଏମଏଫ, ବିଶ୍ବବ୍ୟାଙ୍କ ସମେତ ବହୁତ ବୈଶ୍ବିକ ଓ ଘରୋଇ ଆର୍ଥିକ ଏଜେନ୍ସି ଅଭିବୃଦ୍ଧି ହାର ହ୍ରାସ ନେଇ ଆକଳନ କରିଛି । ଯାହା ଦ୍ବାରା ନିବେଶକ ସୁରକ୍ଷିତ ନିବେଶ ପ୍ରତି ମନ ବଳାଉଛନ୍ତି । ଏଥିଯୋଗୁଁ ସୁନାର ଦାମ ବଢିଚାଲିଛି ବୋଲି କମୋଡିଟି ବଜାରର ବିଶେଷଜ୍ଞ କହିଛନ୍ତି ।