ନୂଆଦିଲ୍ଲୀ: ଦେଶର ସବୁଠୁ ବଡ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (ଏମଏସଆଇ) ବିକ୍ରି ଅଗଷ୍ଟରେ 17.1 ପ୍ରତିଶତ ବୃଦ୍ଧି ପାଇ 1,24,624 ୟୁନିଟରେ ପହଞ୍ଚିଛି । ଗତ ବର୍ଷ ସମାନ ମାସରେ କମ୍ପାନୀ 1,06,413 ଗାଡି ବିକ୍ରି କରିଥିଲା ।
ମଙ୍ଗଳବାର କମ୍ପାନୀ ଏକ ବିବୃତ୍ତିରେ କହିଛି କି, ଅଗଷ୍ଟରେ ଘରୋଇ ବଜାରରେ ଏହାର ବିକ୍ରି 20.2 ପ୍ରତିଶତ ବୃଦ୍ଧି ପାଇ1,16,704 ୟୁନିଟରେ ପହଞ୍ଚିଛି । ଯାହାକି 2019 ଅଗଷ୍ଟରେ 97,061 ୟୁନିଟ ରହିଥିଲା ।
ମାସ ମଧ୍ୟରେ କମ୍ପାନୀର ମିନି କାର ମଧ୍ୟରେ ଅଲ୍ଟୋ ଓ ୱେଗନ ଆର ବିକ୍ରି 94.7 ପ୍ରତିଶତ ବଢି 19,709 ୟୁନିଟରେ ପହଞ୍ଚିଯାଇଛି । ଯାହାକି 2019 ଅଗଷ୍ଟରେ 10,123 ୟୁନିଟ ଥିଲା ।
ଅଗଷ୍ଟରେ ଏମଜି ମୋଟର ଇଣ୍ଡିଆର ଖୁଚୁରା ବିକ୍ରି 41.2 ପ୍ରତିଶତ ବୃଦ୍ଧି ପାଇଛି ।
ଏମଜି ମୋଟର ଇଣ୍ଡିଆର ଖୁଚୁରା ବିକ୍ରି ଅଗଷ୍ଟରେ 41.2 ପ୍ରତିଶତ ବୃଦ୍ଧି ପାଇ 2,851 ୟୁନିଟରେ ପହଞ୍ଚିଛି । ଗତ ବର୍ଷ ସମାନ ମାସରେ କମ୍ପାନୀ 2,018 ଗାଡି ବିକ୍ରି କରିଥିଲା ।
ଏମଜି ମୋଟର ଇଣ୍ଡିଆ ନିର୍ଦ୍ଦେଶକ (ବିକ୍ରି) ରାକେଶ ସିଡାନା କହିଛନ୍ତି ଯେ, ଜୁଲାଇ ତୁଳନାରେ ଅଗଷ୍ଟରେ ମୋଟ ଉତ୍ପାଦନ ବୃଦ୍ଧି କରିଛୁ। ଆମେ ପୁରୁଣା ଅର୍ଡର ପୂରଣ କରୁଛୁ । ଆହୁରି ମଧ୍ୟ, ପାର୍ବଣ ସିଜନରେ ଯାନବାହାନର ବିତରଣକୁ ତ୍ୱରାନ୍ୱିତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।
ସେହିପରି କୃଷି ଉପକରଣ କମ୍ପାନୀ ଏସ୍କର୍ଟ ଏଗ୍ରି ମେସିନାରୀର ଟ୍ରାକ୍ଟର ବିକ୍ରି ଅଗଷ୍ଟରେ 80.1 ପ୍ରତିଶତ ବୃଦ୍ଧି ହୋଇ 7,268 ୟୁନିଟରେ ପହଞ୍ଚିଛି। 2019 ଅଗଷ୍ଟରେ, କମ୍ପାନୀ 4,035 ଟ୍ରାକ୍ଟର ବିକ୍ରି କରିଥିଲା ।