ନୂଆଦିଲ୍ଲୀ: ଆସନ୍ତା 22ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ । 10 ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଓ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଏହି ହରତାଲ ଡାକରା ଦିଆଯାଇଛି । ଏହାକୁ ଭାରତୀୟ ଟ୍ରେଡ ୟୁନିୟନ କଂଗ୍ରେସ (ଏଟକ) ମଧ୍ୟ ସମର୍ଥନ କରିଛି ।
ଏଟକ ପକ୍ଷରୁ କୁହାଯାଇଛି ଯେ, ଦେଶର ପ୍ରମୁଖ 10 ରାଷ୍ଟ୍ରାୟତ ବ୍ୟାଙ୍କକୁ ମିଶାଇ 4ଟି ବ୍ୟାଙ୍କ ସୃଷ୍ଟି ନେଇ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଦୁର୍ଭାଗ୍ୟଜନକ । ଏହା ଦ୍ବାରା 6ଟି ବଡ ବ୍ୟାଙ୍କ ବନ୍ଦ ହୋଇଯିବ । ଫଳରେ ବହୁ କର୍ମଚାରୀଙ୍କୁ ଚାକିରୀରୁ ବାଦ ଦିଆଯାଇପାରେ ।
ବ୍ୟାଙ୍କ ମିଶ୍ରଣ ପରେ ଆନ୍ଧ୍ରା ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ , ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ସିଣ୍ଡିକେଟ ବ୍ୟାଙ୍କ ଆଦିରେ ତାଲା ପଡିବ । ଏସମସ୍ତ ବ୍ୟାଙ୍କ ଦୀର୍ଘଦିନ ଧରି ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏସବୁ ଦେଶର ଆର୍ଥିକ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ରଖୁଛନ୍ତି ବୋଲି ସଂଘ କହିଛି ।