ନୂଆଦିଲ୍ଲୀ: ବଢୁଥିବା ଦରଦାମରୁ ଆଶ୍ବସ୍ତି ଦେଇଛି 2019 । ଖାଉଟିଙ୍କ ରନ୍ଧାଶାଳକୁ ମୁକ୍ତି ଦେବା ସହ ବେପାରୀଙ୍କ ଚିନ୍ତାବଢାଇଦେଇଛି ଅବସ୍ପୀତିର ଛାଟ । ଚଳିତ ବର୍ଷର ପ୍ରଥମ ମାସ(ଜାନୁଆରୀ)ରେ ସିପିଆଇ(ଖାଉଟି ମୁଦ୍ରାସ୍ପୀତି) ହ୍ରାସ ପାଇବା ସହ ଡବ୍ଲ୍ୟୁପିଆଇ (ହୋଲସେଲ ଦର ସୂଚକାଙ୍କ) ତଳମୁହାଁ ରହିଛି ।
2019 ଜାନୁଆରୀ ମାସରେ ହୋଲସେଲ ଦର ସୂଚକାଙ୍କ(ଡବ୍ଲ୍ୟୁପିଆଇ)ରେଖା ତଳରୁ ଖସି 2.76%ରେ ପହଞ୍ଚିଛି । ଯାହାକି ଗତ 10 ମାସ ମଧ୍ୟରେ ଏହା ସର୍ବନିମ୍ନ ରେକର୍ଡ କରିଛି । ଗୁରୁବାର ଏ ନେଇ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ଜାରି କରାଯାଇଛି ।
2018 ଡିସେମ୍ବରରେ ପାଇକାରୀ ମୂଲ୍ୟ ସୂଚୀ 3.8% ରହିଥିବା ବେଳେ ଜାନୁଆରୀରେ 3.2% ରହିଥିଲା । ଆଳୁ , ପିଆଜ , ଡାଲି ଆଦି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଖସୁଥିବାକୁ ଡବ୍ଲ୍ୟୁପିଆଇ ଲଗାତାର କମିଚାଲିଛି । ଏହାର କାରଣ ଚାହିଦା ତୁଳନାରେ ବଜାରରେ ଯୋଗାଣ ଅଧିକ ହେଉଛି ।
ଦେଶରେ ହୋଲସେଲ ଦର ସୂଚକାଙ୍କ ଆଧାରରେ ମୁଦ୍ରାସ୍ପୀତି ଗଣନା କରାଯାଇଥାଏ । ଡବ୍ଲ୍ୟୁପିଆଇ ବଛାବଛା କିଛି ଦ୍ରବ୍ୟର ସାମୂହିକ ଦରକୁ ନଜରରେ ରଖି ହିସାବ କରିଥାଏ । ତିନୋଟି ସ୍ତରରେ ମୋଟ 697 ବସ୍ତୁର ମୂଲ୍ୟକୁ ନେଇ ମୁଦ୍ରାସ୍ପୀତି ସ୍ଥିର କରାଯାଇଥାଏ ।
ଖାଦ୍ୟସାମଗ୍ରୀ, ବିଶେଷକରି ପନିପରିବା ଦର ହ୍ରାସ ଯୋଗୁ ମୁଦ୍ରାସ୍ଫୀତି ଦର ହ୍ରାସ ପାଇଛି । ସିପିଆଇ ଗତ ଦେଢ ବର୍ଷ ଭିତରେ ସର୍ବନିମ୍ନ ରହିଥିବାବେଳେ ଏବେ ଡବ୍ଲ୍ୟୁପିଆଇ 10ମାସରେ ରେକର୍ଡ ଭାଙ୍ଗି ହ୍ରାସ ପାଇଛି ।