ନୂଆଦିଲ୍ଲୀ: ଦେଶରେ ବଢୁଛି ଖୁଚୁରା ମୁଦ୍ରାସ୍ଫୀତି । ଗତ ଜାନୁୟାରୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୦୧ ପ୍ରତିଶତ ରହିଛି । ଏହା ଗତ ୭ ମାସ ମଧ୍ୟରେ ସବୁଠୁ ଅଧିକ । ଡିସେମ୍ବର ୨୦୨୧ରେ ଏହି ମୁଦ୍ରାସ୍ଫୀତି ହାର ୫.୫୯ ପ୍ରତିଶତ ଥିଲା । ଖାଦ୍ୟ ଦରରେ ତୀବ୍ର ବୃଦ୍ଧି କାରଣରୁ ଖୁଚୁରା ମୁଦ୍ରାସ୍ଫୀତି ବଢିଛି । ଗତ ଡିସେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୪.୦୫ ପ୍ରତିଶତ ରେକର୍ଡ ହୋଇଥିବାବେଳେ ତାହା ଜାନୁୟାରୀରରେ ବଢି ୫.୪୩ ପ୍ରତିଶତ ହୋଇଯାଇଛି । ସୋମବାର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ(CPI) ଜାରି କରାଯାଇଛି । CPI ଆଧାରରେ ପ୍ରସ୍ତୁତ ମୁଦ୍ରାସ୍ଫୀତି ୬.୧ ପ୍ରତିଶତକୁ ବୃଦ୍ଧି ପାଇଥିବା ଜଣାପଡିଛି ।
ଡାଟା ଅନୁଯାୟୀ, ଡିସେମ୍ବର ତୁଳନାରେ ଚଳିତ ବର୍ଷ ଜାନୁୟାରୀରେ ଶସ୍ୟ, ଅଣ୍ଡା ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟର ଦର ଢେର ଅଧିକ ବଢିଛି । ଫଳସୂରୁପ ଖୁଚୁରା ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇଛି । ଏନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଏଥିରେ ଚିନ୍ତାର କୌଣସି କାରଣ ନାହିଁ । ୬ ପ୍ରତିଶତ ଖୁଚୁରା ମୁଦ୍ରାସ୍ଫୀତି କୌଣସି ସତର୍କ ସୂଚନା ଦେଉନାହିଁ । ପ୍ରକାଶଥାଉ କି, ମୁଦ୍ରାସ୍ଫୀତି ୪ ପ୍ରତିଶତ ମଧ୍ୟରେ ସୀମିତ ରହିବା କଥା, ୨ ପ୍ରତିଶତ ମାରିଜନ ସହ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ସୀମା ୬ ପ୍ରତିଶତ ନିର୍ଦ୍ଧାରଣ କରିଥିଲା । ମାତ୍ର ଏହା ୬ ପ୍ରତିଶତ ପାର୍ କରିଛି ।