ନୂଆଦିଲ୍ଲୀ: ଟେଲିକମ ସେକ୍ଟରରେ ସଙ୍କଟ ଯୋଗୁଁ ବୁଡିଲେଣି ବଡବଡିଆ । ଏଥିଯୋଗୁଁ ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲାଙ୍କ ନେଟ ସମ୍ପତ୍ତି 2 ବର୍ଷରେ ପ୍ରାୟ 3 ବିଲିୟନ ଡଲାର କମିଛି ।
ବ୍ଲୁମବର୍ଗ ବିଲିନିୟାର ସୂଚୀ ଅନୁଯାୟୀ 2 ବର୍ଷ ପୂର୍ବେ ବିର୍ଲାଙ୍କ ନେଟ ସମ୍ପତ୍ତି 9.1 ବିଲିୟନ ଡଲାର ରହିଥିଲା । ହେଲେ ଏବେ ଏହା 6 ବିଲିୟନ ଡଲାର ରହିଛି । କମ୍ପାନୀର ସେୟାର ଖସିବା ଦ୍ବାରା ସମ୍ପତ୍ତି ହ୍ରାସ ପାଉଛି । ଟେଲିକମ ସେକ୍ଟରରେ ମାନ୍ଦାବସ୍ଥା ଓ ଅନ୍ୟ ପ୍ରତିଦ୍ବନ୍ଦୀଙ୍କ ପ୍ରଭାବରେ ଏଭଳି ସ୍ଥିତିରେ ଗତି କରୁଛି ବିର୍ଲା ଗ୍ରୁପ ।
ବିର୍ଲା ଗ୍ରୁପ ଅଧିନରେ ଥିବା ଭୋଡାଫୋନ, ଆଇଡିଆର ସେୟାର ମୂଲ୍ୟ 2017 ଡିସେମ୍ବରରୁ ଏବେ ସୁଦ୍ଧା 90 ପ୍ରତିଶତ କମିଛି । ଗତ ସପ୍ତାହରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି 2 କମ୍ପାନୀକୁ ସେପ୍ଟେମ୍ବର ତ୍ରୟମାସ 50,921 କୋଟିର ଭାରି କ୍ଷତି ସହିବାକୁ ପଡିଛି । ଦେଶରେ ପ୍ରଥମ , ଯେ କୌଣସି କର୍ପୋରେଟ କମ୍ପାନୀ ଏତେ ଘାଟା ସହିଛି ।
ସେହିପରି ଆଦିତ୍ୟ ବିର୍ଲା ଗ୍ରୁପର ଭାଗୀଦାରୀରେ ଦେଶର ସର୍ବବୃହତ୍ତ ଆଲୁମିନିୟମ କମ୍ପାନୀ ମଧ୍ୟ ରହିଛି । ଏପଟେ କିନ୍ତୁ ଆଲୁମିନିୟମ ଓ କପର ତିଆର କରୁଥିବା ହିଣ୍ଡାଲ-କୋର ପ୍ରଫିଟ ବି ସେପ୍ଟେମ୍ବର ତ୍ରୟମାସ ପରେ 33 ପ୍ରତିଶତ ଖସିଛି । 2017 ସେପ୍ଟେମ୍ବରରୁ ଏବେ ସୁଦ୍ଧା ହିଣ୍ଡାଲ-କୋର ସେୟାର 31 ପ୍ରତିଶତ କମିଛି । ଫଳରେ କମ୍ପାନୀର ମାର୍କେଟ ଭାଲ୍ୟୁ 5.9 ଅରବ ଡଲାର ହ୍ରାସ ପାଇଛି ।