ନୂଆଦିଲ୍ଲୀ: କୋରୋନାରେ ଜୀବନ ସହ ଗଭୀର ଭାବେ ପ୍ରଭାବିତ ରୋଜଗାର । କଟକଣା ଯୋଗୁଁ ଦୋକାନ ବଜାର, ଯାତାୟତ, ପରିବହନ ସବୁ ବନ୍ଦ । ସ୍ଥିତି ଯେଉଁଭଳି ହେଲାଣି ଭାରତ ‘ଗୁରୁତର ଜୀବିକା ସଙ୍କଟ’ର ସାମ୍ନା କରିପାରେ । ଏ ନେଇ ଆଶଙ୍କା ପ୍ରକଟ କରିଛନ୍ତି ଜଣାଶୁଣା ଅର୍ଥନୀତିଜ୍ଞ ଜିନ ଡ୍ରେଜେ ।
ବେଲଗାମ କୋରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ବହୁ ରାଜ୍ୟ ଲକଡାଉନ ଲାଗୁ କରିଛନ୍ତି । ଫଳରେ ଆର୍ଥିକ ଗତିବିଧି ଅଟକୁଛି । ସେପଟେ ସରକାରଙ୍କ 2024-25 ସୁଦ୍ଧା 5 ଟ୍ରିଲିୟନ ଡଲାର ଅର୍ଥନୀତି କରିବା ଲକ୍ଷ୍ୟ ପୂରଣ କେବେ ବି ପ୍ରାକ୍ଟିକାଲ ନଥିଲା ବୋଲି କହିଛନ୍ତି ଡ୍ରେଜେ ।
ଭାରତୀୟ ଅର୍ଥନୀତିରେ କୋଭିଡ ମହାମାରୀର ଦ୍ବିତୀୟ ଲହର ପ୍ରଭାବ ସମ୍ପର୍କରେ ଡ୍ରେଜେ କହିଛନ୍ତି ଯେ, ପେଶାଦାର ଲୋକଙ୍କ ଅବସ୍ଥା ଗତ ବର୍ଷ ତୁଳନାରେ ଭିନ୍ନ ନୁହେଁ । ସ୍ଥାନୀୟ ସ୍ତରରେ "ଲକଡାଉନ" ପ୍ରଭାବ ଜାତୀୟ ସ୍ତରରେ ଲଗାଯାଇଥିବା ଲକଡାଉନ ଭଳି ସେତେଟା ଭୟଙ୍କର ହୋଇନପାରେ । କିନ୍ତୁ କେତେକ କ୍ଷେତ୍ରରେ ଏଥର ପେଶାଦାର ଗୋଷ୍ଠୀ ପାଇଁ ସ୍ଥିତି ବହୁତ ଖରାପ ଅଟେ।
ଅର୍ଥନୀତିଜ୍ଞ କହିଛନ୍ତି କି, ଏଥର ସଂକ୍ରମଣ ଆଶଙ୍କା ଅଧିକ ବ୍ୟାପକ ରହିଛି । ଆଉ ଏହା ଦ୍ବାରା ଆର୍ଥିକ ଗତିବିଧି ଟ୍ରାକକୁ ଫେରିବା ପାଇଁ ସମୟ ଲାଗିବ । ‘‘ ବ୍ୟାପକ ସ୍ତରରେ ଟୀକାକରଣ ପରେ ବି ଆଶଙ୍କା ରହିଛି କି ଧୀରେ ଧୀରେ ଆସୁଥିବା ସଙ୍କଟ ଲମ୍ବା ସମୟ ଧରି ଜାରି ରହିବ । ଗତ ବର୍ଷକୁ ଦେଖିବାକୁ ଗଲେ ସଞ୍ଚୟ ଉପରେ ଗଭୀର ପ୍ରଭାବ ପଡିଛି । ଲୋକ ଋଣ ଭାରରେ ବୁଡିଗଲେଣି । ଯେଉଁଲୋକ ମାନେ ଗତ ଥର ସଙ୍କଟରୁ ମୁକୁଳିବା ପାଇଁ ଋଣର ସାହାରା ନେଇଥିଲେ , ସେମାନେ ଏଥପର ପୁଣି ଋଣ କରିବା ସ୍ଥିତିକୁ ଆସିଗଲେଣି ।
ଗତ ଥର ଲୋକଙ୍କୁ ଆର୍ଥିକ ସହଯୋଗ ଓ ଅର୍ଥନୀତିକୁ ବୁଷ୍ଟର ଦେବା ପାଇଁ ରିଲିଫ ପ୍ୟାକେଜ ଘୋଷଣା ହୋଇଥିଲା । କିନ୍ତୁ ଏଥର ସେ ନେଇ କୌଣସି ଚର୍ଚ୍ଚା ହେଉନାହିଁ । ଅନ୍ୟପକ୍ଷରେ ଅର୍ଥନୀତିଜ୍ଞ କହିଛନ୍ତି ଯେ ସ୍ଥାନୀୟ ଲକଡାଉନ ଶୀଘ୍ର ଜାତୀୟ ଲକଡାଉନରେ ପରିଣତ ହୋଇପାରେ । ବାସ୍ତବରେ, ପରିସ୍ଥିତି ଦେଶବ୍ୟାପୀ ଲକଡାଉନ ସହିତ ସମାନ । ଯଦି ସଂକ୍ଷେପରେ କହିବା, ତେବେ ଆମେ ଏକ ଗୁରୁତର ଜୀବିକା ସଙ୍କଟ ଆଡକୁ ଗତି କରୁଛୁ ବୋଲି ସେ କହିଛନ୍ତି ।
ସେହିଭଳି କୋରୋନା ମୁକାବିଲା କ୍ଷେତ୍ରରେ ସରକାରଙ୍କ ଦୋଷଦୁର୍ବଳତାକୁ ପଦାରେ ପକାଇ ସେ ତାତ୍ସଲ୍ୟ କରିଛନ୍ତି । ଅର୍ଥନୀତିଜ୍ଞ କହିଛନ୍ତି ଯେ ସବୁ ଠିକ୍ ଅଛି ବୋଲି ଜନସାଧାରଣଙ୍କୁ ଆଶ୍ବସନା ଦେବା ପାଇଁ ବିଭ୍ରାନ୍ତିକର ପରିସଂଖ୍ୟାନ ବ୍ୟବହାର କରାଯାଇଥିଲା । ସଙ୍କଟକୁ ଅସ୍ବିକାର କରିବା ହେଉଛି ସବୁଠାରୁ ଖରାପ ଉପାୟ । ଆଉ ଏବେ ଆମେ ସେହି ଆତ୍ମସନ୍ତୋଷର ମୂଲ୍ୟ ଦେଉଛୁ। ’’