ମୁମ୍ବାଇ: ବଢୁଛି ଚନ୍ଦାଙ୍କ ଅଡୁଆ । ଭିଡିଓକନ ଋଣ ଜାଲିଆତି ମାମଲାରେ ତୁହାକୁ ତୁହା ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । 2ଦିନ ପୂର୍ବରୁ ଇଡି ଜେରାର ସମ୍ମୁଖୀନ ହୋଇଥିବା ଚନ୍ଦା ପୁଣି ଥରେ ଇଡି ଅଫିସରେ ।
ପ୍ରକାଶ ଥାଉ ଯେ,ଗତ ଶନିବାର (ମାର୍ଚ୍ଚ 2) ମନି ଲଣ୍ଡ୍ରିଂ କେସରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଏମଡି ଚନ୍ଦା କୋଚ୍ଚର ଓ ସ୍ବାମୀ ଦୀପକ କୋଚ୍ଚରଙ୍କୁ ଇଡି ଜେରା କରିଥିଲେ । ଏହା ପରେ ପୁଣି ଆଜି(ଶନିବାର) ଇଡି ପ୍ରଶ୍ନର ଜବାବ ରଖିବାକୁ ପହଞ୍ଚିଛନ୍ତି ଚନ୍ଦା ।
ପ୍ରକାଶ ଥାଉ ଯେ, ମାର୍ଚ୍ଚ 1ରେ ଇଡି ପକ୍ଷରୁ ଚନ୍ଦା କୋଚ୍ଚର ଓ ଭିଡିଓକନ କମ୍ପାନି ମୁଖ୍ୟ ବେଣୁଗୋପାଳ ଧୁତଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଥିଲା । ଏହା ପୂର୍ବରୁ ଗତ ସପ୍ତାହରେ ଚନ୍ଦାଙ୍କ ବିରୋଧରେ ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ) ଲୁକଆଉଟ ନୋଟିସ ଜାରି କରିଥିଲା । ଭିଡିଓକନକୁ ଦିଆଯାଇଥିବା ବେଆଇନ ଋଣ ମାମଲାର ଯାଞ୍ଚ ପାଇଁ ବାରମ୍ବାର ଚନ୍ଦାଙ୍କୁ ମୁମ୍ବାଇସ୍ଥିତ ଇଡି କାର୍ଯ୍ୟାଳୟକୁ ଯିବାକୁ ପଡୁଛି ।
ସୂଚନା ମୁତାବକ, 2012ରେ ଭିଡିଓକନ ଗ୍ରୁପକୁ ଆଇସିଆଇସିଆଇ ପକ୍ଷରୁ 3,250କୋଟି ଟଙ୍କା ଋଣ ଦିଆଯାଇଥିଲା । ଆଉ ଏହି ସମୟରେ ବ୍ୟାଙ୍କର ପ୍ରମୁଖ ଭାବେ ଚନ୍ଦା କୋଚ୍ଚର କାର୍ଯ୍ୟଭାର ସମ୍ଭାଳୁଥିଲେ । ଏହି ଋଣ ନେଣଦେଣରେ ଅନିୟମତା ଦେଖାଦେଇଥିବାରୁ ସମସ୍ତଙ୍କ ନଜରକୁ ଚନ୍ଦା କୋଚ୍ଚର ଆସିଥିଲେ । ଫଳରେ ବାଧ୍ୟ ହୋଇ ଚନ୍ଦାଙ୍କୁ ପଦବୀ ଛାଡିବାକୁ ପଡିଥିଲା ।