ଯେମିତି ଦ୍ରୁତଗତିରେ ଓ ପ୍ରଭାବଶାଳୀ ଭାବେ କୋଭିଡ-୧୯ ବିଶ୍ୱର ଅର୍ଥନୀତିଗୁଡିକୁ ସଂକଟଗ୍ରସ୍ତ କରିଛି, ତାହାର ପ୍ରଭାବ ବର୍ଷ ବର୍ଷ ଧରି ରହିବ । ଅର୍ଥନୈତିକ ସଂକଟ ( ୨୦୦୮)ରୁ ଏବେ ବି ବିଶ୍ୱ ସଂପୂର୍ଣ୍ଣ ଭାବେ ମୁକୁଳି ନ ଥିବା ବେଳେ ବର୍ତ୍ତମାନର ବଡ ସଂକଟ ଦେଖାଦେଇଛି । ଏହି ସଂକଟ ଦ୍ୱାରା ଭାରତ ବି ପ୍ରଭାବିତ । ଦେଖିବାକୁ ଗଲେ ଭାରତୀୟ ଅର୍ଥନୀତି ସବୁଠାରୁ ଦୁର୍ବଳ ସ୍ଥିତିରେ ରହିଛି । ଏହାର କାରଣ ହେଲା - କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟାପକ ରାଜସ୍ୱ ଓ ଆର୍ଥିକ ନିଅଣ୍ଟିଆ ସ୍ଥିତି, ଘରୋଇ ପୁଞ୍ଜି ନିବେଶ ଓ ସଞ୍ଚୟରେ ହ୍ରାସ, ରପ୍ତାନୀର ମାନ୍ଦା ସ୍ଥିତି, ଅଧିକ ମାତ୍ରାରେ ଋଣ, ବ୍ୟାଙ୍କିଂ ସଂକଟ, ଯାହା କି ଭାରତୀୟ ଟଙ୍କାକୁ ସର୍ବନିମ୍ନ ସ୍ତରରେ ପହଞ୍ଚାଇଛି । ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ବିଦେଶୀ ମୁଦ୍ରା ଭଣ୍ଡାର ରହିଛି ବୋଲି ଏକ ମିଛ ଆଶ୍ୱାସନାରେ ଆମେ ବିଶ୍ୱାସ କରୁଛେ । ହେଲେ ସମସ୍ୟା ଏହା ଯେ, ସେହି ମୁଦ୍ରା ଭଣ୍ଡାରରେ ସଂଖ୍ୟାଗରି ରାଶି ସରକାରଙ୍କ ନିଜସ୍ୱ ବଳକା ରାଶି ନୁହେଁ ।
ଆଶାର ଆଲୋକ ସଂକଟର କଳା ବାଦଲ ମଧ୍ୟରେ ଆଶାର ଆଲୋକ ହେଲା ଯେ, ଗ୍ରାମ୍ୟ ଅର୍ଥନୀତିରେ ପୁଣି ଏକ ନୂଆ ଜୀବନର ସଂକେତ ମିଳୁଛି ଏବଂ ଏହା ଉପରେ ନିରନ୍ତର ନଜର ରଖିବା ଆବଶ୍ୟକ ମନେ ହୁଏ । ସାମଗ୍ରିକ ଭାବେ ଅର୍ଥନୀତିରେ ଆଉ କିଛି ସକାରାତ୍ମକ ସଂକେତ ବି ମିଳିଛି । ଗ୍ରାମୀଣ ଚାହିଦା ପୁଣି ଥରେ ବଢିବାରେ ଲାଗିଛି । ଲୋକାଲ୍ ଲକଡାଉନ ସର୍ତ୍ତ୍ବେ ଇଲେକଟ୍ରିସିଟିର ଡିମାଣ୍ଡ୍ ପ୍ରାକ୍ କୋଭିଡ ସ୍ତରରେ ପହଞ୍ଚିଛି । ମେ ମାସଠାରୁ ପେଟ୍ରୋଲିୟମ ଉତ୍ପାଦର ବ୍ୟବହାରରେ ଉନ୍ନତି ଆସିଛି । ରାଜପଥରେ ଟ୍ରାଫିକ ବଢିଛି । ଦୁଇ ଚକିଆ ଯାନର ଚାହିଦାରେ ବି ଦ୍ରୁତ ଅଭିବୃଦ୍ଧି ହେବାରେ ଲାଗିଛି । ଗତବର୍ଷ ତୁଳନାରେ ପାଖାପାଖି ୨୦ ପ୍ରତିଶତ ବଢିଛି ଟ୍ରାକ୍ଟର ବିକ୍ରି । ପ୍ରକୃତ କଥା ହେଲା, ଗ୍ରାମୀଣ ଅଞ୍ଚଳରେ କମ ପରିମାଣର କରଜ ଥାଏ । ଏହାର ଅର୍ଥ ହେଲା , ଯଦି ବ୍ୟାଙ୍କମାନେ କରଜ ଦେବାକୁ ଇଚ୍ଛୁକ, ତାହା ହେଲେ ଗ୍ରାମାଞ୍ଚଳରେ ଋଣ ପ୍ରେରିତ ଖର୍ଚ୍ଚ ପାଇଁ ସୁଯୋଗ ରହିଛି । ଗ୍ରାମାଞ୍ଚଳ ଚାହିଦା ସଂପର୍କିତ ସଂକେତରୁ ଆଶା କରାଯାଉଛି ଯେ, ଭାରତ ଅପେକ୍ଷାକୃତ ଭାବେ ଶୀଘ୍ର ଅର୍ଥନୈତିକ ସଂକଟରୁ ମୁକୁଳିପାରିବ ।
କୃଷି, ପ୍ରବାସ, କ୍ରେଡିଟ ଓ ସରକାରୀ ସହାୟତା ଉପରେ ନିର୍ଭରଶୀଳ ହୋଇଥାଏ ଗ୍ରାମୀଣ ଚାହିଦା ବା ରୁରାଲ ଡିମାଣ୍ଡ୍ । ଗତବର୍ଷ ତୁଳନାରେ ଏ ବର୍ଷ ଟ୍ରାକ୍ଟର ବିକ୍ରି ବୃଦ୍ଧି ପାଉଥିବାରୁ ଗ୍ରାମାଞ୍ଚଳ ଅର୍ଥନୀତିର ଅଭିବୃଦ୍ଧି ଆଶା ବଢିଛି । ଆଜିର ସଂକଟଗ୍ରସ୍ତ ସମୟରେ ଗ୍ରାମୀଣ ଅର୍ଥନୀତି ଦ୍ୱାରା ଖର୍ଚ୍ଚ ବଢିବ ବୋଲି ଆଶା କରାଯାଉଛି । ଖରିଫ ଋତୁରେ ବୁଣାବୁଣି କାମରୁ ଆଶା ଜାଗ୍ରତ ହୋଇଛି । ଗତବର୍ଷ ୪ କୋଟି ଏକର ଜମି ଅପେକ୍ଷା ଏ ବର୍ଷ ୫ ଦଶମିକ ୮ କୋଟି ଏକର ଜମିରେ ଚାଷ କାମ ଆରମ୍ଭ ହୋଇଛି । ବିଭିନ୍ନ ଶସ୍ୟ ଓ ଫସଲର ଚାଷରେ ମାତ୍ରାଧିକ ବୃଦ୍ଧି ହୋଇଛି । ଧାନ ଚାଷରେ ୨୬ ପ୍ରତିଶତ, ଡାଲି ୧୬୦ ପ୍ରତିଶତ, ତୈଳବୀଜ ୮୫ ପ୍ରତିଶତ, ଓ କପାଚାଷରେ ୩୫ ପ୍ରତିଶତ ବୃଦ୍ଧି ଘଟିବା ଏକ ଭଲ ସଂକେତ । ଯଦି ପଙ୍ଗପାଳ ଆକ୍ରମଣ ଓ କୌଣସି ପ୍ରାକୃତିକ ବିପର୍ଯ୍ୟୟ ବିନା ଏହି ଧାରା ଜାରି ରହେ, ତାହା ହେଲେ ଏ ବର୍ଷ ବମ୍ପର ଫସଲ ହେବ । ଏହା ହେଲେ ଗ୍ରାମାଞ୍ଚଳରେ କୃଷି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ବ୍ୟବହାରଯୋଗ୍ୟ ଆୟ ବି ବଢିବ । ଆଉ ଏକ ବଡକଥା ହେଲା ଯେ, ଆମେରିକା ଭଳି ପ୍ରମୁଖ ରାଷ୍ଟ୍ରର ଫସଲ ଉତ୍ପାଦନ ଗତବର୍ଷ ଅପେକ୍ଷା କମ ହୋଇଥିବାରୁ ଆନ୍ତର୍ଜାତିକ କୃଷି ସାମଗ୍ରୀ ଦର ଭଲ ରହିପାରେ । କୃଷି କ୍ଷେତ୍ରରେ ଯେ କୌଣସି ଉନ୍ନତି ସ୍ୱାଗତଯୋଗ୍ୟ ଆଶ୍ୱସ୍ତି ହେବ । କାରଣ ପ୍ରବାସୀ ଫେରିଆସିବା ପରେ ସହରାଂଚଳରୁ ମନି ଇନ୍ ଫ୍ଲୋ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।
ସରକାରୀ ଖର୍ଚ୍ଚର ଫ୍ରଣ୍ଟ ଲୋଡିଂ ଗ୍ରାମୀଣ ଅର୍ଥନୀତିରେ ସୃଷ୍ଟି ହୋଇଥିବା ବିପଦକୁ ହ୍ରାସ କରିବାରେ ସହାୟକ ହୋଇଛି । ସରକାରୀ ତଥ୍ୟ ଅନୁସାରେ କୃଷି ଓ ଗ୍ରାମ୍ୟ ବିକାଶ ମନ୍ତ୍ରାଳୟ ଏ ପର୍ଯ୍ୟନ୍ତ ୯୦ ହଜାର କୋଟି ଟଙ୍କା ବ୍ୟୟ କରିସାରିଛନ୍ତି । ଗତବର୍ଷ ଏହି ସମୟରେ ୪୪ ହଜାର କୋଟି ଟଙ୍କା ବ୍ୟୟ ହୋଇଥିଲା ।
ଗ୍ରାମ୍ୟ ବିକାଶ ମନ୍ତ୍ରାଳୟ ତରଫରୁ ଏନଆରଇଜିଏସ ବାବଦରେ ସର୍ବାଧିକ ଖର୍ଚ୍ଚ ହୋଇଛି (୪୩ ହଜାର କୋଟି ) । ଆଉ ୬ ହଜାର କୋଟି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଯୋଜନା ପାଇଁ ଖର୍ଚ୍ଚ ହୋଇଛି । ନୂଆ ଆର୍ଥିକ ବର୍ଷର ପ୍ରଥମ ୧୦୦ ଦିନରେ ଆବଣ୍ଟିତ ବଜେଟର ୯୫ ପ୍ରତିଶତ ଖର୍ଚ୍ଚ କରିଛନ୍ତି ସରକାର । ୨୦୨୦ ଏପ୍ରିଲ ମାସରୁ ଏ ପର୍ଯ୍ୟନ୍ତ ଏନଆରଇଜିଏସ ଜରିଆରେ ୧୩୦ ବ୍ୟକ୍ତି କାର୍ଯ୍ୟଦିବସ ସୃଷ୍ଟି କରାଯାଇଛି । ଏଥିରେ ୪ କୋଟି ୮୭ ଲକ୍ଷ ପରିବାର ଉପକୃତ ହୋଇଛନ୍ତି । ଚଳିତ ଆର୍ଥିକ ବର୍ଷର କେବଳ ୧୦୦ ଦିନରେ ସୃଷ୍ଟି ହୋଇଥିବା କାର୍ଯ୍ୟର ସମୁଦାୟ ଦିନ ସଂଖ୍ୟା ଗତବର୍ଷ ମୋଟ ସୃଷ୍ଟି ହୋଇଥିବା ଦିନ ସଂଖ୍ୟାଠାରୁ ୫୦ ପ୍ରତିଶତ ଅଧିକ । ଚାରିଟି ରାଜ୍ୟରେ ୧ କୋଟିରୁ ଅଧିକ ଏନଆରଇଏସ୍ ଶ୍ରମିକ ଅଛନ୍ତି ।
ସତର୍କତା ଜରୁରୀ
ଗ୍ରାମୀଣ କ୍ଷେତ୍ରରୁ ସକାରାତ୍ମକ ସଂକେତର ଅର୍ଥ ନୁହେଁ ଯେ, ଅର୍ଥନୀତିର ପୁନରୁଦ୍ଧାର ହୋଇଛି । କେବଳ ଭଲ ଆରମ୍ଭ ହୋଇଛି । ତେବେ, ସ୍ଥାୟୀ ଭାବେ ଅର୍ଥନୈତିକ ପୁନରୁଦ୍ଧାର ହୋଇଛି ବୋଲି ଏତେ ଶୀଘ୍ର ନିଶ୍ଚିତ ହେବା ଉଚିତ ନୁହେଁ । କୋରୋନା ମହାମାରୀର ଦ୍ରୁତ ପ୍ରତିକାର ସହ ଆମର ଅର୍ଥନୀତିର ସ୍ୱାଭାବିକ ସ୍ଥିତି ଫେରିଆସିବା ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛି । ଏମିତି ଏକାଧିକ ପ୍ରସଙ୍ଗ ରହିଛି, ଯାହା ଉପରେ ସରକାର ଧ୍ୟାନ ଦେବା ଦରକାର । ବ୍ୟାଙ୍କଗୁଡିକ କରଜ ଦେବାକୁ ଇଚ୍ଛା ପ୍ରକାଶ କରୁ ନ ଥିବା ଜଣାପଡୁଛି । ନୂଆ ଋଣ ଦେବା ନାଁରେ ବ୍ୟାଙ୍କଗୁଡିକ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ମନେହେଉଛି । ବ୍ୟାଙ୍କଗୁଡିକ ଋଣ ଦେବା ପାଇଁ କୁଣ୍ଠା ପ୍ରକାଶ କରୁଥିବାରୁ ଗୋଲ୍ଡ ଲୋନ୍ କଂପାନିଗୁଡିକ ଏବେ ଅଧିକରୁ ଅଧିକ ଋଣ ଦେବା ଆରମ୍ଭ କରିଛନ୍ତି । ଏଥିରୁ ଜଣାପଡୁଛି ଯେ, କାହିଁକି ମଧ୍ୟବିତ ଓ ଗରିବ ଶ୍ରେଣୀର ଲୋକେ ଚିନ୍ତାରେ ଅଛନ୍ତି । ଠିକ ସମୟରେ ଯଦି ଋଣ ଦିଆ ନ ଯାଏ, ତାହା ହେଲେ କୃଷି କ୍ଷେତ୍ରରେ ପୁନରୁଦ୍ଧାର ବେଶୀ ଦିନ ରହିବ ନାହିଁ ।
ସରକାରୀ ଖର୍ଚ୍ଚ ଦ୍ୱାରା ଚାହିଦା ସୃଷ୍ଟି କେବଳ ଏକ ସ୍ୱଳ୍ପମିଆଦୀ , ସାମୟିକ ପଦକ୍ଷେପ । ସ୍ୱଳ୍ପ ମିଆଦୀ ଭାବେ ଅଧିକ ପରିମାଣରେ ବ୍ୟୟ କରିବାକୁ ସରକାରଙ୍କ ପାଖରେ ସମ୍ବଳ ନାହିଁ । ଏହାଛଡା, ଏନଆରଇଜିଏସ୍ ଦ୍ୱାରା ହୋଇଥିବା କ୍ଷତି ଭରଣା ହୋଇପାରିବ ନାହିଁ । ତେଣୁ ଏ କ୍ଷେତ୍ରରେ ଦୀର୍ଘକାଳିନ କର୍ମନିଯୁକ୍ତି ସୃଷ୍ଟି ହୋଇପାରୁଥିବା ଭଳି କାର୍ଯ୍ୟକଳାପରେ ଅଧିକ ଅର୍ଥ ବିନିଯୋଗ କରାଯିବା ଦରକାର । ଏହା ନ ହେଲେ ଭାରତ ଭଳି ଦେଶରେ ସାମାଜିକ ଓ ଅର୍ଥନୈତିକ ସମସ୍ୟା ଅଧିକ ବୃଦ୍ଧିପାଇବ ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ବ୍ୟବହାର୍ଯ୍ୟ କିଛ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଉପରେ ଅଧିକ ଟିକସ ବସାଉଛନ୍ତି । ଟିକସର ଅନ୍ୟ ଉତ୍ସ କିଛି ନଥିବାରୁ ଏପରି କରାଯାଉଛି । କିନ୍ତୁ ସରକାରଙ୍କ ଏହି ନୀତି ବଦଳିବା ଦରକାର । କାରଣ ଏହି ନୀତି ଦ୍ୱାରା ଡିମାଣ୍ଡ କ୍ରିଏସନ ବା ଚାହିଦା ସୃଷ୍ଟି ହେବା ସମ୍ଭାବନା ଶେଷ ହୋଇଯିବ । ଏବେ ପରିବାରର ବ୍ୟାଲାନ୍ସ ସିଟ୍ ଚିନ୍ତାର ବିଷୟ ହୋଇଥିବାରୁ ପେଟ୍ରୋଲିୟମ ଉତ୍ପାଦ ସହ ସବୁ ପ୍ରକାର ଆଇଟମ ଉପରେ ଟିକସ ହ୍ରାସ ହିଁ ଚାହିଦା ବୃଦ୍ଧିର ଭଲ ଉପାୟ । ପଛୁଆ ଓ ଗ୍ରାମାଂଚଳରେ ପୁଂଜି ନିବେଶ ଉପରେ ସରକାର ୧୦ ବର୍ଷ ପାଇଁ ଟ୍ୟାକ୍ସ ହଲିଡେ ଘୋଷଣା କରିବା ଜରୁରୀ ହୋଇପଡିଛି । ଦୀର୍ଘକାଳିନ ଗ୍ରାମୀଣ କମ ନିଯୁକ୍ତିରେ ଏହା ବେଶ ସହାୟକ ହୋଇପାରିବ ।
ଡକ୍ଟର ଏସ. ଅନନ୍ତ