ଭୁବନେଶ୍ବର: ଚଳଚଞ୍ଚଳ ରାଷ୍ଟ୍ର ସ୍ଥାଣୁ ପାଲଟିଗଲା। ଚକ ଅଖ ସହ ଅଟକିଗଲା ଅର୍ଥନୀତିର ଗତିବିଧି। କୋରୋନା କାୟା ଏପରି ଥିଲା, ଚିକିତ୍ସା ବିଜ୍ଞାନ ହାତ ଟେକି ଦେଲା, ଖାଲି ଭାରତ ନୁହେଁ, ପୁରା ବିଶ୍ବ ଠେଲି ହୋଇଗଲା ସବୁଠାରୁ ବଡ଼ ଲକଡାଉନ ଭିତରକୁ। ଚିକିତ୍ସା ବିଜ୍ଞାନ ଲାଗିପଡ଼ିଲା ରୋଗ ଚିହ୍ନିବାରେ, ଆଉ ସରକାର ସମୟ ଲୋଡୁଥିଲେ ହସ୍ପିଟାଲକୁ ସଜାଡ଼ିବାରେ। ଏଭଳି ଅତର୍କିତ ବିପତ୍ତି ପାଇଁ ନା ସରକାର, ନା ଡାକ୍ତର ନା ସାଧାରଣ ଲୋକେ କେହି ପ୍ରସ୍ତୁତ ନଥିଲେ। ସାଧାରଣ ଚିକିତ୍ସା ସୁବିଧା ପାଇବା ସ୍ବପ୍ନ ହୋଇଗଲା। କାରଣ ହସ୍ପିଟାଲ ମଧ୍ୟ ଚାଲିଯାଇଥିଲା ଲକଡାଉନ କବଳକୁ । ଓପିଡ଼ି ବନ୍ଦ ଥିଲା, ଜରୁରୀ ଚିକିତ୍ସା ନପାଇ ଅନେକ ଜୀବନ ଗଲା । କୋରୋନା ମହାବିପତ୍ତି ଆମ ଆଗରେ ନଗ୍ନ ଚିତ୍ର ଉପସ୍ଥାପିତ କରେ ଆମ ବ୍ୟବସ୍ଥିତ ଚିକିତ୍ସା ବ୍ୟବସ୍ଥାର। ଆଜିର ଦିନରେ ଯେତେବେଳେ ବଜେଟ୍ ଆସିଛି ଆମେ ଆଶା କରୁଛୁ, ଦୀର୍ଘଦିନ ଧରି ଅବହେଳିତ ଚିକିତ୍ସା ବ୍ୟବସ୍ଥା ଉପରେ ଆତ୍ମଚିନ୍ତନ ହେଉ , ଯାହାକୁ ନେଇ ଇଟିଭି ଭାରତ ପ୍ଲାଟଫର୍ମ ଆରମ୍ଭ କରିଛି ଏକ ବିତର୍କ । ଆଉ ଏଥିରେ ସାମିଲ ଅଛନ୍ତି ବୁଦ୍ଧିଜୀବୀ, ବରିଷ୍ଠ ଡାକ୍ତର, ସାମାଜିକ ଅନୁଷ୍ଠାନ।
ବଜେଟ ଆସିଛି, ଏକ ସହ ଏକ ବିତର୍କ ମଧ୍ୟ ଆସିଛି। ସରକାର ଦେଶର ଆୟବ୍ୟୟ ଅଟକଳ ଚିଠା ଉପସ୍ଥାପନ କରିବେ, ସ୍ବାସ୍ଥ୍ୟ ସେବା ପାଇଁ କଣ ରଖିବେ । କୋଭିଡ ପ୍ରେକ୍ଷାପଟରେ ହେଉଥିବା ଏହି ବଜେଟ୍, କୋଭିଡ଼ ବଜେଟ୍ ହେବ ବୋଲି ଚର୍ଚ୍ଚା ହେଉଛି। ବିଶେଷଜ୍ଞ ଓ ସମାଜବିଜ୍ଞାନୀଙ୍କ ମତରେ, କୋଭିଡ଼ ପରିସ୍ଥିତି ଆମ ସମସ୍ତଙ୍କ ପାଇଁ ଆଇ ଓପନର ରହିଛି। ପଦାରେ ପକାଇଛି ଆମ ସ୍ବାସ୍ଥ୍ୟସେବା ତ୍ରୁଟି ଓ ଦୁର୍ବଳତା। ବିଶେଷଜ୍ଞଙ୍କ ମତରେ 90 ଦଶକ ପରେ ଅର୍ଥନୀତି ଢାଞ୍ଚା ବଦଳିବା ପରେ ସରକାରୀ ସଂସ୍ଥାନଙ୍କ ଠାରୁ ସରକାରଙ୍କ ଦୃଷ୍ଟି ହଟିଛି। ଉଦାରୀକରଣ, ଘରୋଇକରଣ ଓ ଜଗତିକରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ଚିକିତ୍ସା ଓ ଏସଂପର୍କୀତ ଗବେଷଣା କ୍ଷେତ୍ରରେ70-80 ଦଶକରେ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା, ତାହା ଆପତତ ସ୍ଥାଣୁ ପାଲଟିଛି। ଭାଇରସ୍ ରିସର୍ଚ୍ଚ ଉପରେ ଗବେଷଣା ପାଇଁ ଏହି ସମୟରେ ଭାଇରୋଜି ଲବ୍ ପ୍ରତିଷ୍ଠା ଓ ଭାଇରୋଲୋଜି ରିସର୍ଚ୍ଚ ପାଇଁ ଯେଉଁ ଫୋକସ୍ ଥିଲା କୋଭିଡ ପରିସ୍ଥିତି ପରେ ଏହା ଉପରେ କାର୍ଯ୍ୟକରିବାର ଅବଶ୍ୟକତା ରହିଛି। କାରଣ ଭବିଷ୍ୟତରେ ଭାଇରସ୍ ଯେ ବଡ଼ ବିପର୍ଯ୍ୟୟ ନ ଆଣିବ, ସେ ନେଇ ଆମକୁ ସତର୍କ ରହିବାର ଆବଶ୍ୟକତା ରହିଛି।
ସ୍ବାସ୍ଥ୍ୟସେବା ଆଜିର ଦିନରେ ବାସ୍ତବିକ ଚିତ୍ର ହେଉଛି, ଗତ ଦୁଇ ଦଶକ ମଧ୍ୟରେ ବଡ଼ ବଡ଼ ସହର ଛାଡ଼ିଲେ ତହସିଲ ଓ ଗ୍ରାମାଞ୍ଚଳରେ ନାଁ କେଉଁଠି ଭଲ ଡାକ୍ତର ଅଛନ୍ତି ନା ଚିକିତ୍ସାଳୟ। ଘରୋଇକରଣକୁ ପ୍ରୋତ୍ସାହିତ କରିବାକୁ ଯାଇ ଯାହା ଚିନ୍ତା କରାଯାଇଥିଲା ଯେ ସାଧାରଣ ଲୋକଙ୍କୁ ଭଲ ସ୍ବାସ୍ଥ୍ୟ ସେବା ଶସ୍ତା ଓ ସୁବିଧାରେ ମିଳିବ , ତାହା ଭୁଲ ପ୍ରତୀୟମାନ ହୋଇଛି। କୋଭିଡ଼ ଚିକିତ୍ସା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘରୋଇ ସ୍ବାସ୍ଥ୍ୟସେବା ଉପରେ ନିର୍ଭରଶୀଳ ହେଲେ, ରାଜ୍ୟରେ କୋଭିଡ଼ ଚିକିତ୍ସା ମାଗଣା ଦିଆଗଲା। ସରକାରଙ୍କ ଉଦ୍ୟମ ପ୍ରଶଂଶନୀୟ ଥିଲା। କିନ୍ତୁ ପରୋକ୍ଷରେ ଏହା ଘରୋଇ ହସ୍ପିଟାଲର କ୍ଷମତା ବଢ଼ାଇଲା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ସମୟରେ ପ୍ରତି ଜିଲ୍ଲାରେ ଅନ୍ତତ ଗୋଟିଏ ସରକାରୀ ହସ୍ପିଟାଲର କ୍ଷମତା ବଢାଯାଇପାରିଥାନ୍ତା। ସ୍ବାସ୍ଥ୍ୟସେବା ଅବସ୍ଥା ଦେଖି ଚଳିତ ବଜେଟରେ ସରକାର ଏଥିପାଇଁ ବ୍ୟୟବରାଦ ବଢ଼ାଇବା ନିଶ୍ଚତ। କାରଣ ସରକାର କୋଭିଡ଼ ଟିକା ମାଗଣା ଦିଆଯିବ ବୋଲି ଘୋଷଣା କରିଛନ୍ତି। ତେବେ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି, ଯେତିକି ଅର୍ଥ ଏବର୍ଷ ବଜେଟରେ ସରକାର ଟିକାକରଣ ପାଇଁ ବଢ଼ାଇବେ, ଆସନ୍ତା ବର୍ଷ ସେତିକି ବ୍ୟୟବରାଦ ରଖିବେ ନାଁ ନାହିଁ। ଓଡିଶା ଡାଇଲଗର ପ୍ରତିଷ୍ଠାତା ରାଜେଶ ମହାପାତ୍ର ମତରେ ସ୍ବାସ୍ଥ୍ୟସେବା ସରକାରଙ୍କ ଦାୟିତ୍ବ।
ଏଥିପାଇଁ ସରକାରଙ୍କୁ ଆଗକୁ ଆସିବା ପଡ଼ିବ। ପ୍ରତି ଜିଲ୍ଲାରେ ଅତିକମରେ ଗୋଟିଏ ଅତ୍ୟାଧୁନିକ ସୁବିଧା ଥିବା ମଲଟି ସ୍ପେଶାଲିଟି ହସ୍ପିଟାଲର ଆବଶ୍ୟକତା ରହିଛି। ଭାଇରୋଲୋଜି, ବାୟୋଟେକ୍ନୋଲୋଜି ଓ ଆର୍ଟିଫିସିଆଲ ଇନଟେଲିଜେନ୍ସ କ୍ଷେତ୍ରରେ ସରକାରଙ୍କୁ ଆଗକୁ ଆସିବାକୁ ପଡ଼ିବ। ଏହାସହ ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ 4 ରୁ 5 ବର୍ଷିଆ ଏକ ରୋଡ଼ ମ୍ୟାପର ଆବଶ୍ୟକତା ରହିଛି ବୋଲି ରାଜେଶ କହିଛନ୍ତି।
ବର୍ତ୍ତମାନର ଆର୍ଥିକ ପରିସ୍ଥିତରେ ସବୁଠୁ ବଡ଼ ପ୍ରଶ୍ନ ହେଲା କୋଭିଡ଼ ଟିକାକରଣ ଯାହା ମାଗଣା ଦିଆଯିବ, ତାର ଖର୍ଚ୍ଚ କିଏ ବହନ କରିବ। କେନ୍ଦ୍ର ଓ ନା ରାଜ୍ୟ, ନା ଉଭୟ। ବର୍ତ୍ତମାନ ପରିସ୍ଥିତିରେ ଉଭୟଙ୍କ ପାଖରେ ଅର୍ଥର ଅଭାବ। ଏକ ଆକଳନ ଅନୁଯାୟୀ ଟିକାକରଣରେ ପ୍ରାୟ 50 ହଜାର କୋଟି ଖର୍ଚ୍ଚ ହେବ। ଏହା ସହ ଲଜିଷ୍ଟିକ ଓ ଫଲୋଅପ୍ ମନିଟରିଙ୍ଗ ଖର୍ଚ୍ଚ । କହିବାକୁ ଗଲେ ସମଗ୍ର ଟିକାକରଣ ପ୍ରକ୍ରିୟାରେ 70 ହଜାରରୁ 80 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଯଦି ସ୍ବାସ୍ଥ୍ୟ ବଜେଟ୍ ସହ ଟିକାକରଣ ଖର୍ଚ୍ଚକୁ ତୁଳନା କରାଯାଏ ଗତ ବର୍ଷ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବଜେଟ ଥିଲା 70 ହଜାର କୋଟି ଟଙ୍କା। ତେଣୁ ଏବେ ଟିକାକରଣ ଥିବାରୁ ଚଳିତ ବଜେଟରେ ସ୍ବାସ୍ଥ୍ୟ ସେବା ପାଇଁ ବ୍ୟୟବରାଦ କେନ୍ଦ୍ର ଅର୍ଥମନ୍ତ୍ରୀ 1 ଲକ୍ଷ 20 ହଜାର କୋଟି ପର୍ଯ୍ୟନ୍ତ ବଢ଼ାଇପାରାନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାପରେ ଲଜିଷ୍ଟିକ ଓ ଫୋଲଅପ୍ ମନିଟରିଙ୍ଗ ଖର୍ଚ୍ଚ, ବର୍ତ୍ତମାନ ଆର୍ଥିକ ପରିସ୍ଥିତିରେ ରାଜ୍ୟ ହୁଅନ୍ତୁ ବା କେନ୍ଦ୍ର କିଭଳି ଏହି ଖର୍ଚ୍ଚ ଉଠାଇବେ ତାହା ଦେଖିବାର ଅଛି।
ଦେଶରେ ସ୍ବାସ୍ଥ୍ୟସେବା ନେଇ ଅନୁରୂପ ମତ ଉପସ୍ଥାପନ କରଛନ୍ତି ଚିକିତ୍ସାକ୍ଷେତ୍ରରେ ଦୀର୍ଘ ଦିନର ଅଭିଜ୍ଞତା ରଖିଥିବା ବରିଷ୍ଠ ବିଶେଷଜ୍ଞମାନେ। ବିଶେଷଜ୍ଞଙ୍କ ମତ ଅନୁଯାୟୀ ସ୍ବାଧୀନତା ପର ଠାରୁ ଦେଶରେ ସ୍ବସ୍ଥ୍ୟାସେବା ପାଇଁ ବଜେଟ୍ ବ୍ୟୟବରାଦ .5 ପ୍ରତିଶତ ଥିଲା। ଏହା କ୍ରମେ ବଢ଼ି ଆଜିର ଦିନରେ ପାଖାପାଖି 3 ପ୍ରତିଶତରେ ପହଞ୍ଚିଛି। ଯେଉଁଥିରେ ସରକାରଙ୍କ ଭାଗିଦାରି 1 ପ୍ରତିଶତ, ଘରୋଇ ଭାଗୀଦାରି 2 ପ୍ରତିଶତ।
ଭରତର ସ୍ବାସ୍ଥ୍ୟ ବଜେଟ୍ ପାକିସ୍ତାନ ଓ ବାଙ୍ଗାଲାଦେଶର ବଜେଟ୍ ଠାରୁ ତୁଳନାତ୍କଭାବେ କମ୍ । ଯଦି ଗଲଫ ଦେଶ ଗୁଡ଼ିକୁ ଦେଖିବା ସେମାନଙ୍କ ସ୍ବାସ୍ଥ୍ୟ ବେଜଟରେ ବ୍ୟୟବରାଦ ରୁହେ 10 ରୁ 15 ପ୍ରତିଶତ। ଏହାସହ ଆମ ଦେଶରେ ଡାକ୍ତରଙ୍କ ସଂଖ୍ୟା ଅବଶ୍ୟକତାର ଅଧାରୁ ବି କମ୍। ଦେଶରେ 18 ଲକ୍ଷ ଡାକ୍ତରଙ୍କ ଆବଶ୍ୟକତା ରହିଛି, ଅଛନ୍ତି ପ୍ରାୟ ସାଢେ 5 ଲକ୍ଷ। ଆମ ଦେଶରେ ଡାକ୍ତରଙ୍କ ଅଭାବ 12 ଲକ୍ଷ ଓ ନର୍ସମାନଙ୍କ ଅଭାବ 50 ଲକ୍ଷ। ଏହା ସହ ଏକ ସର୍ଭେ ଅନୁଯାୟୀ ଆମ ଦେଶର ସ୍ବାସ୍ଥ୍ୟ ସେବା 180ଟି ଦେଶ ମଧ୍ୟରେ ଆମେ 170 ସ୍ଥାନରେ ରହିଛି। ଯାହାକି ପାକିସ୍ତାନ, ବାଙ୍ଗାଦେଶ ଓ ଶ୍ରୀଲଙ୍କା ଠାରୁ ତଳେ। କହିବାକୁ ଗଲେ ଆମେ ଇରାକ, ସିରିଆ, କଙ୍ଗୋ ଓ ଆଫଗାନିସ୍ତାନ ଠାରୁ ସ୍ବାସ୍ଥ୍ୟସେବାରେ ଉପରେ ଅଛୁ ନା ଆମ ପଡୋଶୀଙ୍କ ତୁଳନାରେ। ତେଣୁ ଏଭଳି ପରିସ୍ଥିତିରେ ଯେତେବେଳେ ମହାମାରି ଆସିଲା, ଆମେ ସାଧାରଣ ଡାକ୍ତରୀ ସେବା ବନ୍ଦ କରି ଡାକ୍ତରଙ୍କୁ କୋରୋନା ଚିକିତ୍ସାରେ ଲାଗାଇଲୁ। ଓପିଡି ସେବା ବନ୍ଦ ହେଲା । ଯେଉଁଥି ପାଇଁ ଲୋକେ ସାଧାରଣ ଚିକିତ୍ସା ନପାଇ, ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଲେ । ତେଣୁ ଆମକୁ ଆତ୍ମ ଚିନ୍ତନ କରିବା ଦରକାର ଯଦି ଏଭଳି ମହାମାରି ଆସେ, ଆମେ ସ୍ବାସ୍ଥ୍ୟ ସେବାକୁ କିଭଳି ବଜାୟ ରଖିବୁ। ଏଥିପାଇଁ ଏକ ସମାନ୍ତରଳ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଓ ଏକ ଆପାତ୍ତକାଳୀନ ପାଣ୍ଠି ଅବଶ୍ୟକ ବୋଲି ମତ ରଖିଛନ୍ତି ଭୁବନେଶ୍ବର ଏଏମସର ପୂର୍ବତନ ନିର୍ଦେଶକ ଓ ସୋଆ ୟୁନିଭରସିଟିର କୁଳପତି ଅଶୋକ ମହାପାତ୍ର। ଏହା ସହ ସ୍ବାସ୍ଥ୍ୟ ବ୍ୟବସ୍ଥାର ସୁଦୃଢ କରିବା ପାଇଁ ଅର୍ଥର ଅବଶ୍ୟକତା ରହିଛି ବୋଲି ସେ ମତ ରଖିଛନ୍ତି। କାରଣ ଏଥର ମହାମାରି ଚିକିତ୍ସା ପାଇଁ କର୍ପୋରେଟ ସିନା ସାହାଯ୍ୟ କଲେ, ଆଉ ଏକ ୱେଭ ଆସିଲେ ସେ ଚିକିତ୍ସା ଖର୍ଚ୍ଚ ଉଠାଇବା ସରକାରଙ୍କ ପାଇଁ ସମ୍ଭବ ହୋଇ ନପାରେ ବୋଲି ମତ ରଖିଛନ୍ତି ବରିଷ୍ଠ ଚିକିତ୍ସା ବିଶେଷଜ୍ଞମାନେ।
ଅନ୍ୟପଟେ କୋଭିଡ ପରିସ୍ଥିତି ପରେ ଡିଜିଟାଲ ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ବ ବଢିଛି। ଆଜିର ଦିନରେ ଆମେ ଅର୍ଥନୀତିକୁ ଆଉ ଦୀର୍ଘ ସମୟ ଧରି ଲକଡାଉନ କରି ରଖିପାରିବା ନାହିଁ, ନାଁ ସ୍ବାସ୍ଥ୍ୟସେବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସେବାକୁ ଆମେ ସଟ୍ ଡାଉନ କରିପାରିବା। ତେଣୁ ଡିଜିଟାଲ ହେଲଥ ସର୍ଭିସ ଉପରେ ଆମକୁ ନିର୍ଭରଶୀଳ ହେବାକୁ ପଡ଼ିବ। ଏହାସହ ନୂଆ ଟୁଲ ତିଆରି କରିବା ଉପରେ ଗୁରୁତ୍ବ ଦେଇଛନ୍ତି ବିଶେଷଜ୍ଞମାନେ। ଏ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଫୋକସ୍ କରିବା ଆରମ୍ଭ କଲେଣି। ତେବେ ଦେଶରେ ଟେକ୍ନୋଲୋଜି ଡ୍ରିଭନ ଷ୍ଟ୍ରାଟଅପସମାନଙ୍କୁ ପ୍ରୋତ୍ସାହିତ କରାଗଲେ, ମ୍ୟାନୁଫ୍ୟାକଚରିଂ ଖର୍ଚ୍ଚ କମ୍ ରହିବ ଓ ଦେଶ କୌଣସି ପିରିସ୍ଥିତ ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ ରଖିପାରିବ ବୋଲି କହିଛନ୍ତି କିଟ ଟେକ୍ନୋଲୋଜି ବିଜନେସ ଇନକ୍ୟୁବେସନର ସିଇଓ ମୃତ୍ୟୁଞ୍ଜୟ ସୁଆର। ସରକାର ଏବେ ମଲିକୁଲାର ଡାଇଗୋନେଷ୍ଟିକ କ୍ଷେତ୍ରରେ ପୁଞ୍ଜିବିନିଯୋଗ କରିବାର ଆବଶ୍ୟକତା ଉପରେ ଗୁକରୁତ୍ବ ଦେଇଛନ୍ତି ମୃତ୍ୟୁଞ୍ଜୟ। ଏହାସହ ଏଆଇଏମ୍ଏଲ୍ କିମ୍ବା ଏଆଇଭିଆର ପ୍ଲାଟଫର୍ମରେ ଉପରେ ଫୋକସ୍ କରିବା ଉପରେ ସେ ମତରଖିଛନ୍ତି। ରୋଗର ନିରୁପଣ, ଏହା ସହ ହେଲଥ ଡାଟା ଆଜିର ଦିନର ଆବଶ୍ୟକତା । ପିପିପି ମୋଡରେ ଏଥିରେ ଆମେ ହସ୍ପିଟଡାଲ ଗୁଡ଼ିକୁ ଅନବୋର୍ଡ କରିପାରିବା। ରାଜ୍ୟରେ ଏହି ପ୍ରକ୍ରିୟା ଦ୍ବାରା ଏକ ଡାଇଗୋନେଷ୍ଟିକ୍ ହବ୍ ପ୍ରତିଷ୍ଠା କରାଯାଇପାରିବ। ଯେଉଁଠି ଡାକ୍ତର, ଆଇଓଟି, ଏଆଇଏମ୍ଏଲ୍ , ବାଇଓଟେକ୍ , ଏକସପର୍ଟ ମିଳିତ ଭାବେ କାମ କରିବେ। ଯେଉଁଥି ପାଇଁ ଅତିକମରେ ସରକାରୀ ସ୍ତରରେ ଏକ 5 ବର୍ଷିୟା ଯୋଜନା କରିବା ସହ ଓ ପୁଞ୍ଜି ବିନିଯୋଗ କରିବାର ଅବଶ୍ୟକତା ରହିଛି । ଅନେକ ବିକାଶିତ ରାଷ୍ଟ୍ର ଡିଜିଟାଲ୍ ହେଲଥ ଓ ହେଲଥ ଡାଟା ବ୍ୟାଙ୍କ ବନାଇବା ପାଇଁ ତାଙ୍କ ରଣନୀତି ତିଆରି କରିସାରିଲେଣି, ଏବେ ଆମକୁ ଏଦିଗରେ ଆଗେଇବାକୁ ହେବ ବୋଲି ମୃତ୍ୟୁଞ୍ଜୟ ମତ ରଖିଛନ୍ତି।
ସ୍ବାସ୍ଥ୍ୟ ହିଁ ସମ୍ପଦ। ତେବେ ଆମ ଦେଶରେ ସ୍ବାସ୍ଥ୍ୟ ପାଇଁ ସମ୍ପଦର ସବୁବେଳେ ଅଭାବ ରହିଛି। ହେଲେ କୋଭିଡ଼ ପରିସ୍ଥିତି ନିଶ୍ଚିତ ଭାବେ ଆମ ଦୃଷ୍ଟିଭଙ୍ଗିରେ ପରିବର୍ତ୍ତନ ଆଣିଛି। ଏବେ ସରକାରଙ୍କୁ ଜନସ୍ବାସ୍ଥ୍ୟ ବ୍ୟବସ୍ଥା ଓ ଏହାର ଭିତିଭୂମିକୁ ସୁଦୃଷ୍ଠ କରିବାକୁ ହେବ। ହେଲଥ ଡାଟା ବନେଇ ବାକୁ ପଡ଼ିବ। କାରଣ ଚିକିତ୍ସା ପାଇଁ ଡାଟାର ଆବଶ୍ୟକତା ରହିଛି। ଆଜି ପର୍ଯ୍ୟନ୍ତ ଏହି ଡାଟା ଫାର୍ମାସ୍ୟୁଟିକାଲ କମ୍ପାନିମାନେ ରଖୁଥିଲେ, ଏବେ ଏହା ସରକାରଙ୍କ ପାଖରେ ରହିବା ଦରକାର। ସବୁଠୁ ବଡ଼ କଥା ହେଉଛି ରାଜନୈତିକ ସ୍ବାର୍ଥରୁ ଉପରକୁ ଉଠିବାକୁ ପଡ଼ିବ, ମାର୍କିଟି ନୁହେଁ ପଲିସି ମେକିଙ୍ଗ ଉପରେ ବ୍ୟବସ୍ଥାକୁ ଧ୍ୟାନ କେନ୍ଦ୍ରୀତ କରିବାକୁ ହେବ।
ଭୁବନେଶ୍ବରରୁ କ୍ୟାମେରା ପର୍ସନ ମନୋରଞ୍ଜନ ସାହୁଙ୍କ ସହ ରୁଦ୍ରନାରାୟଣ ଦାସ, ଇଟିଭି ଭାରତ