ନୂଆଦିଲ୍ଲୀ: ଅଟଳ ପେନସନ ଯୋଜନା (APY) ସବୁଠୁ ଲୋକପ୍ରିୟ ସାମାଜିକ ସୁରକ୍ଷା କ୍ଷେତ୍ର ଭାବେ ଉଭା ହୋଇଛି । କାରଣ ରାଷ୍ଟ୍ରୀୟ ପେନସନ ପ୍ରାଣାଳୀ(National Pension System) ଅଧିନରେ APY ନିକଟରେ ମୋଟ ୬୬ ପ୍ରତିଶତ ପେନସନଭୋଗୀ ବା ସବସ୍କ୍ରାଇବର ରହିଛନ୍ତି । ସବୁଠୁ ବଡ କଥା ହେଉଛି, ଏହି ଯୋଜନାର ଅଧିକାଂଶ ଉପଭୋକ୍ତା ଛୋଟ ସହରର ଅଟନ୍ତି । NPS ଟ୍ରଷ୍ଟର ବାର୍ଷିକ ରିପୋର୍ଟରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।
୨୦୨୦-୨୧ ଆର୍ଥିକ ବର୍ଷ ଯାଏଁ NPSରେ ମୋଟ ୪.୨ କୋଟି ପଞ୍ଜୀକୃତ ପେନସନଭୋଗୀ ରହିଛନ୍ତି । ସେଥିମଧ୍ୟରୁ APYର ୬୬ ପ୍ରତିଶତ ବା ୨.୮ କୋଟିରୁ ଅଧିକ ପେନସନଭୋଗୀ ଅଟନ୍ତି । ଏଥିସହ ୧୧ ପ୍ରତିଶତ ସେୟାର ସହ ରାଜ୍ୟ ସରକାରଙ୍କ ଯୋଜନା ଦ୍ବିତୀୟ ର୍ୟାଙ୍କରେ ରହିଛି । ରିପୋର୍ଟରୁ କୁହାଯାଇଛି କି, NPSରେ କେନ୍ଦ୍ରୀୟ ସ୍ବାୟତ୍ତ ଅନୁଷ୍ଠାନ(CAB)ର ସବୁଠୁ କମ୍ ସବସ୍କ୍ରାଇବର ରହିଛନ୍ତି । କାରଣ ଏଥିରେ CABର ମାତ୍ର ୧ ପ୍ରତିଶତ ସେୟାର ରହିଛି । ଏହାପରେ ରାଜ୍ୟ ସ୍ବାୟତ୍ତ ସଂସ୍ଥାଗୁଡିକ ୨ ପ୍ରତିଶତ ସେୟାର ସହ ଦ୍ବିତୀୟ ସ୍ଥାନରେ ରହିଛି ।
NPS ଟ୍ରଷ୍ଟ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି, APY ନନ-ମେଟ୍ରୋ ସବସ୍କ୍ରାଇବରଙ୍କ ମଧ୍ୟରେ ଅଧିକ ଆଦୃତି ଲାଭ କରିଛି । ଏହା ଦେଶର ଜନସଂଖ୍ୟା ପାର୍ଟନକୁ ମଧ୍ୟ ଦର୍ଶାଇଥାଏ । ଯେଉଁଠି ଅଧିକ ସଂଖ୍ୟକ ଲୋକେ ନନ-ମେଟ୍ରୋସିଟିରେ ରହୁନ୍ତି ।
ଗତ ଆର୍ଥିକ ବର୍ଷର ଶେଷ ସୁଦ୍ଧା NPSରେ ୪.୨ କୋଟି ସବସ୍କ୍ରାଇବର ରହିଛନ୍ତି । NPSର ସବସ୍କ୍ରାଇବର ସଂଖ୍ୟା ବୃଦ୍ଧି କ୍ଷେତ୍ରରେ ମଧ୍ୟ ଅଟଳ ପେନସନ ଯୋଜନା ସବୁଠୁ ଆଗରେ ଅଛି । କାରଣ ଆର୍ଥିକ ବର୍ଷ ସରିବା ବେଳକୁ APYର ସବସ୍କ୍ରାଇବରଙ୍କ ସଂଖ୍ୟା ବର୍ଷ ଆଧାରରେ ପ୍ରାୟ ୩୩ ପ୍ରତିଶତ ବଢିଛି । APY ପଛକୁ ଅଲ୍ ସିଟିଜେନ ମଡେଲ ରହିଛି ।
୨୦୧୫ ମସିହା ମେ ମାସରେ ଭାରତ ସରକାର ଅଟକ ପେନସନ ଯୋଜନା ଆରମ୍ଭ କରିଥିଲେ । ୧୮ ରୁ ୪୦ ବର୍ଷ ବୟସ୍କ ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇପାରିବେ । ଯୋଜନା ଅନୁଯାୟୀ, ଉପଭୋକ୍ତାଙ୍କୁ ୬୦ ବର୍ଷ ବୟସ ହେବା ପରେ ସେମାନଙ୍କ ଯୋଗଦାନ ଆଧାରରେ ତାଙ୍କୁ ୧ ହଜାରରୁ ୫ ହଜାର ଟଙ୍କା ଯାଏଁ ମାସିକ ପେନସନ ଗ୍ୟାରେଣ୍ଟି ଦିଆଯାଇଥାଏ । ସେହିପରି ଉପଭୋକ୍ତାଙ୍କ ଯଦି ମୃତ୍ୟୁ ହୋଇଯାଏ, ତେବେ ସମାନ ପେନସନ ପରିମାଣ ଉପଭୋକ୍ତାଙ୍କ ସ୍ବାମୀ ଅଥବା ସ୍ତ୍ରୀଙ୍କୁ ମିଳିବ । ମନେକର ଯଦି ଉଭୟଙ୍କର ମୃତ୍ୟୁ ହୋଇଯାଏ ତେବେ ମୋଟ ଜମା ରାଶିକୁ ନୋମିନିଙ୍କୁ ଫେରସ୍ତ କରାଯିବ ।
@PTI