ନୂଆଦିଲ୍ଲୀ: ଗତ 6 ବର୍ଷ ମଧ୍ୟରେ 6.7 ଲକ୍ଷ କାରକୁ ଭାରତୀୟ ରେଳ ଜରିଆରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଛି ମାରୁତି ସୁଜୁକି ଇଣ୍ଡିଆ । ଦେଶର ସର୍ବବୃହତ୍ତ କାର ନିର୍ମାତା କମ୍ପାନୀ ମାରୁତି ଏ ନେଇ ବୁଧବାର ସୂଚନା ଦେଇଛି ।
କମ୍ପାନୀ କହିବା ଅନୁଯାୟୀ , କାର ପଠାଇବା ସଂଖ୍ୟା ବର୍ଷାନୁକ୍ରମିକ 18 ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି । ପ୍ରଥମ ଥର କମ୍ପାନୀ ରେଲୱେ ଜରିଆରେ 2014 ମାର୍ଚ୍ଚ ମାସରେ କାର ପଠାଇଥିଲା ।
ରେଳ ମାଧ୍ୟମରେ ନୂଆ କାରଗୁଡିକୁ ଯୋଗାଣ ସ୍ଥଳରେ ପହଞ୍ଚାଇ କମ୍ପାନୀ ପ୍ରାୟ 3000 ଟନ୍ କାର୍ବନ ଡାଇଅକ୍ସାଇଡର ନିର୍ଗମନକୁ ହ୍ରାସ କରିଛି। ଏଥିସହ 10 କୋଟି ଲିଟର ଇନ୍ଧନ ମଧ୍ୟ ସଞ୍ଚୟ ହୋଇଛି ବୋଲି କମ୍ପାନୀ ନିଜ ବିବୃତ୍ତିରେ କହିଛି । ଏହା ସହିତ କମ୍ପାନୀ ଜାତୀୟ ରାଜପଥରେ ଏକ ଲକ୍ଷ ଟ୍ରକ ଯାତ୍ରାକୁ ରୋକିଛି ।
କମ୍ପାନୀ କହିବା ଅନୁଯାୟୀ ଗତ ଆର୍ଥିକ ବର୍ଷରେ ଏହା ରେଳ ମାଧ୍ୟମରେ 1.78 ଲକ୍ଷ କାର ପଠାଇଛି। ଯାହାକି ପୂର୍ବ ବର୍ଷ ତୁଳନାରେ 15 ପ୍ରତିଶତ ବୃଦ୍ଧି ହୋଇଛି । ଏହି ସଂଖ୍ୟା କମ୍ପାନୀର ବର୍ଷ ମଧ୍ୟରେ ହୋଇଥିବା ମୋଟ ବିକ୍ରିର 12 ପ୍ରତିଶତ ।