ନୂଆଦିଲ୍ଲୀ: କାର ପ୍ରେମୀଙ୍କ ପାଇଁ ନୂଆ ସୁଯୋଗ ଆଣିଛି ଦେଶର ସବୁଠୁ ବଡ କାର ନିର୍ମାତା ମାରୁତି ସୁଜୁକି । ନୂଆ କାର କିଣିବାକୁ ଆଗ୍ରହୀ କ୍ରେତାଙ୍କୁ ସହଜରେ ଋଣ ଯୋଗାଇବାରୁ ମାରୁତି ଏସଡିଏଫସି ବ୍ୟାଙ୍କ ସହ ହାତ ମିଳାଇଛି । ଗୁରୁବାର ଏ ନେଇ କମ୍ପାନୀ ଘୋଷଣା କରିଛି ।
ମାରୁତି ଏକ ବିବୃତ୍ତିରେ କହିଛି ଯେ, ଏହି ସ୍କିମରେ ମାସିକ କିସ୍ତି(ଇଏମଆଇ)ର ବିକଳ୍ପ ମଧ୍ୟ ସାମିଲ ରହିଛି । ଯାହା ଅନୁଯାୟୀ ଗ୍ରାହକ ପ୍ରତି ବର୍ଷ 3 ମାସ କମ ଇଏମଆଇ ଲାଭ ଉଠାଇପାରିବ । ଏଥିସହ ଗ୍ରାହକଙ୍କ ହାତକୁ ଆସିବା ସୁଦ୍ଧା ଗାଡିର ମୋଟ ଦାମର 100 ପ୍ରତିଶତ ଋଣ ନେଇପାରିବେ । ପ୍ରଥମ 6 ମାସ ଋଣ କିସ୍ତି ଲକ୍ଷେ ପିଛା ପ୍ରତି ମାସିକ 899 ଟଙ୍କାରୁ ଆରମ୍ଭ ହେବ ।
ଏହି ସହଭାଗୀତା ନେଇ MSI କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାର୍କେଟିଂ ଏବଂ ବିକ୍ରି) ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି, ଯେଉଁମାନେ କୋଭିଡ-19 ଯୋଗୁଁ କମ ଡାଉନପେମେଣ୍ଟ ଓ କମ ଇଏମଆଇ ବିକଳ୍ପ ବାଛୁଛନ୍ତି ସେହି ଗ୍ରାହକଙ୍କ ପାଇଁ ଏହା ଲାଭବାନ ହେବ ।