ନୂଆଦିଲ୍ଲୀ: ଖୁବ୍ଶୀଘ୍ର ଭାରତରେ ୫ଜି ମୋବାଇଲ ସେବା ଆରମ୍ଭ ହେବାକୁ ଯାଉଛି । ଆଗାମୀ ଦିନରେ ଭାରତରେ ଆସିବାକୁ ଥିବା ଏହି ୫ଜିର ପ୍ରଭାବ କୌଣସି ବିମାନ ଚଳାଚଳ ଉପରେ ପଡିବ ନାହିଁ । ବିମାନଗୁଡିକ କୌଣସି ସୁରକ୍ଷା ଜନିତ ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଏହି ପ୍ରଯୁକ୍ତିବିଦ୍ୟା ବିମାନ ପାଇଁ ସୁରକ୍ଷିତ ଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ(Trai) ପ୍ରକାଶ କରିଛି ।
ପ୍ରକାଶଥାଉ କି, ଆମେରିକାରେ ଏବେ ୫ଜି ନେଟୱାର୍କ ସେବା ଆରମ୍ଭ ହୋଇଛି । ଏହି ଟେକ୍ନୋଲୋଜି ୫ଜି ନାଭିଗେସନ ସିଷ୍ଟମରେ ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । କାରଣ ଯେଉଁ ବ୍ୟାଣ୍ଡରେ ୫ଜି ସେବା ଦିଆଯାଉଛି ସେହି ପାଖାପାଖି ବ୍ୟାଣ୍ଡକୁ ବିମାନ ଚଳାଚଳ ପାଇଁ ବ୍ୟବହାର କରାଯାଉଛି ।
ଏହି ନୂଆ ଟେକ୍ନୋଲୋଜିର ପ୍ରଭାବରେ ବିମାନର ଇଞ୍ଜିନ ଓ ବ୍ରେକ୍ ବ୍ୟବସ୍ଥାରେ ତ୍ରୁଟି ଦେଖାଯିବା ନେଇ ଆଶଙ୍କା କରାଯାଉଛି । ଯାହା ବିମାନ ଉଡାଣ ସୁରକ୍ଷା ଦିଗରେ ଚିନ୍ତାର କାରଣ ହୋଇଛି । ଆମେରିକାରେ ୫ଜି ନେଟୱାର୍କ ସେବା ଆରମ୍ଭ ସମୟରେ ବିମାନ ଉପକରଣ ପାଇଁ ବିପଦ ସୃଷ୍ଟି କରିବା ସହ ବୋଇଂ ୭୭୭ ପରି କେତେକ ବିମାନ ଉପରେ ପ୍ରଭାବ ପକାଇବାରୁ କିଛି ଦିନ ତଳେ ଅନେକ ବିମାନ ଉଡାଣ ବାତିଲ ହୋଇଥିଲା । ଏହି ଘଟଣା ପରେ ଭାରତରେ ୫ଜିକୁ ନେଇ ବିମାନ ଚଳାଚଳ ପ୍ରତି ବିପଦ ନାହିଁ ବୋଲି ଆଶ୍ବସନା ଦେଇଛି ଟ୍ରାଇ ।
ଟ୍ରାଇ ଅଧ୍ୟକ୍ଷ ପିଡି ଭାଗେଲା କହିଛନ୍ତି, ଆମେରିକାରେ ୫ଜି ପାଇଁ ସଂରକ୍ଷିତ ସ୍ପେକ୍ଟ୍ରମ ଏବଂ ବିମାନ ମଧ୍ୟରେ ଦୂରତା ବହୁତ୍ କମ୍ । ହେଲେ ଭାରତରେ ଏହି ଦୂରତା ବହୁତ ଅଧିକ । ଯୁକ୍ତରାଷ୍ଟ୍ର ଆମେରିକାରେ ୫ଜି ପାଇଁ ୩୭୦୦-୩୯୮ ମେଗାହର୍ଚ ବ୍ୟାଣ୍ଡ ଥିବାବେଳେ ବିମାନରେ ଲାଗଥିବା ଅଲଟିମେଟର ୪୨୦୦-୪୪୦୦ ବ୍ୟାଣ୍ଡରେ କାର୍ଯ୍ୟ କରୁଛି ।
ଉଭୟ ବ୍ୟାଣ୍ଡ ମଧ୍ୟରେ ଏହି କମ୍ ଅନ୍ତର ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ହେଲେ ଭାରତରେ ୩୩୦୦ ମେଗାହର୍ଚରେ ୫ଜି ସ୍ପେକ୍ଟ୍ରମ ରହିଥିବାବେଳେ ବିମାନ ପାଇଁ ୩୬୭୦ ସ୍ପେକ୍ଟ୍ରମ ବ୍ୟବହାର ହେଉଛି ।