ନୂଆଦିଲ୍ଲୀ: ଟାଟା ସନ୍ସଙ୍କୁ ଆଶ୍ବସ୍ତି । ଦୀର୍ଘ ଦିନ ଧରି ଚାଲିଥିବା ଟାଟା-ମିସ୍ତ୍ରୀ ବିବାଦରେ ଶୁକ୍ରବାର ରାୟ ଶୁଣାଇଲେ ସର୍ବୋଚ୍ଚ ନ୍ୟାୟାଳୟ । ସାଇରସ ମିସ୍ତ୍ରୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ ।
ମୁଖ୍ୟ ବିଚାରପତି ଏସ.ଏ.ବୋବଡେ, ଜଷ୍ଟିସ ଏଏସ ବୋପାନ୍ନା ଏବଂ ଭି ରାମ ସୁବ୍ରମଣ୍ୟମଙ୍କ ଏକ ଖଣ୍ଡପୀଠ ଟାଟା ସନ୍ସର ଚେୟାରମ୍ୟାନ ପଦରୁ ସାଇରସ୍ ମିସ୍ତ୍ରୀଙ୍କୁ ହଟାଇବା ପଦକ୍ଷେପକୁ ସମର୍ଥନ କରିଛନ୍ତି । କିନ୍ତୁ ଏଥିସହିତ କହିଛନ୍ତି କି ସେୟାର ସହ ଜଡିତ ସମସ୍ୟାକୁ ଉଭୟ ଟାଟା ଏବଂ ମିସ୍ତ୍ରୀ ଗ୍ରୁପ ମିଳିତ ଭାବେ ସମାଧାନ କରିବା ଉଚିତ । ଗତବର୍ଷ ଡିସେମ୍ବର 17 ରେ କୋର୍ଟ ଏହି ନିଷ୍ପତ୍ତିରେ ସଂରକ୍ଷିତ ରଖିଥିଲେ ।
ବଡ ଚର୍ଚ୍ଚିତ କର୍ପୋରେଟ ବିବାଦ ଭାବେ ଜଣାଶୁଣା ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସାଇରସ ମିସ୍ତ୍ରୀଙ୍କୁ ଝଟକା ଦେଇଛି । ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ସାଇରସ ମିସ୍ତ୍ରୀଙ୍କୁ ହଟାଯିବା ଘଟଣାକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । ଉଭୟ ପକ୍ଷରୁ ମାମଲା ଦାୟର ପରେ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତି ଉପରେ କ୍ରସ ଅପିଲ ଦାଖଲ ହୋଇଥିଲା । ଯାହା ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି ।
ଏନସିଏଲଟି ନିଜ ଆଦେଶରେ 100 ଅରବ ଡଲାରର ଟାଟା ଗ୍ରୁପରେ ସାଇରସ ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦରେ ପୁନଃ ନିଯୁକ୍ତି ପାଇଁ 17 ଡିସେମ୍ବର 2019 ରେ ନିଷ୍ପତ୍ତି ନେଇଥିଲା ।
2012 ମସିହାରେ ଟାଟା ପରିବାର ସାଇରସ ମିସ୍ତ୍ରୀଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । ହେଲେ 4 ବର୍ଷ ପରେ 2016 ଅକ୍ଟୋବର 24 ରେ ତାଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା । ଏନେଇ ସାଇରସ ମିସ୍ତ୍ରୀ ଏନସିଏଲଟିରେ ମାମଲା ରୁଜୁ କରିଥିଲେ । ଏନେଇ ଏନସିଏଲଟି ନିଜ ଶୁଣାଣିରେ କହିଥିଲେ ଯେ, ଟାଟା ସନ୍ସରୁ ସାଇରସ ମିସ୍ତ୍ରୀଙ୍କୁ ବହିଷ୍କାର କରି ରତନ ଟାଟା ସଂଖ୍ୟାଲଘୁ ଅଂଶୀଦାରଙ୍କୁ ଅବମାନନା କରିଛନ୍ତି। ଏହା ଏକ ପକ୍ଷପାତପୂର୍ଣ୍ଣ ନିଷ୍ପତ୍ତି। ଏଣୁ ମିସ୍ତ୍ରୀଙ୍କୁ ପୁଣି ଥରେ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ଦରକାର।
ଏପଟେ ରତନ ଟାଟା ଏନସିଏଲଟିର ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ । ଏସବୁରେ ଭିତରେ ମିସ୍ତ୍ରୀ ଟାଟା ସନ୍ସର ଅଧ୍ୟକ୍ଷ ପଦକୁ ନେଇ ପ୍ରଚଳିତ ସବୁ ପ୍ରଚାର ମିଥ୍ୟା ବୋଲି କହିଥିଲେ । ସେ କହିଥିଲେ କି, ‘‘ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ, ମୋ ସପକ୍ଷରେ ଏନସିଏଲଟିର ନିର୍ଣ୍ଣୟ ପରେ ବି ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କିମ୍ବା ଟିସିଏସ, ଟାଟା ଟେଲିସର୍ଭିସେସ ଓ ଟାଟା ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇବି ନାହିଁ ।’’ ହେଲେ ଟାଟା ସନ୍ସରେ ଥିବ ତାଙ୍କ ପରିବାରର ଅଂଶଧନର ସୁରକ୍ଷା ପାଇଁ ସମସ୍ତ ବିକଳ୍ପ ପନ୍ଥା ଆପଣାଇବେ ବୋଲି କହିଥିଲେ । ଟାଟା ସନ୍ସରେ ମିସ୍ତ୍ରୀଙ୍କ ପରିବାରର 18.4 ପ୍ରତିଶତ ବ୍ୟକ୍ତିଗତ ଅଂଶଧନ ରହିଛି ।