ନୂଆଦିଲ୍ଲୀ: କୋରୋନା କଟକଣା ଯୋଗୁଁ ଉପୁଜୁଥିବା ଆର୍ଥିକ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏମଏସଏମଇ ସେକ୍ଟର ସ୍ଥିତି ଉପରେ ଚିନ୍ତା ଦର୍ଶାଇ ସେ ଆର୍ଥିକ ପ୍ୟାକେଜ ଆଣିବା ଚିଠିରେ ଉଲ୍ଲେଖ କରିଛନ୍ତି ।
ଏଥିପାଇଁ 1 ଲକ୍ଷ କୋଟି ଟଙ୍କାର ବେତନ ସୁରକ୍ଷା ପ୍ୟାକେଜ ଓ 1 ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି କୋଷ ତିଆରି ସହ ବିଭିନ୍ନ ସହାୟକମୂଳକ ପଦକ୍ଷେପ ଗ୍ରହଣ ପାଇଁ ସୋନିଆ ପରାମର୍ଶ ଦେଇଛନ୍ତି । ଏହା ଦ୍ବାରା ଏମଏସଏମଇ ସେକ୍ଟର ପାଇଁ ପର୍ଯ୍ୟାପ୍ତ ପୁଞ୍ଜି ଉପଲବ୍ଧ ହୋଇପାରିବ । ଏଥିସହ ଆରବିଆଇ ଉଠାଇଥିବା ପଦକ୍ଷେପର ଫାଇଦା ମଧ୍ୟ ଏମାନଙ୍କୁ ମିଳିବ । ସେହିପରି କମର୍ସିଆଲ ବ୍ୟାଙ୍କ ଏମଏସଏମଇକୁ ଶସ୍ତା ଋଣରେ ଲୋନ ସୁନିଶ୍ଚିତ କରିବା ଆବଶ୍ୟକ । ଏହି କ୍ଷେତ୍ରକୁ ମଜବୁତ କରିବା ପାଇଁ ମନ୍ତ୍ରାଣଳୟ ପକ୍ଷରୁ ଏକ ହେଲପଲାଇନ ନମ୍ବର ମଧ୍ୟ ଜାରି କରିବା ଆବଶ୍ୟକ ବୋଲି ସୋନିଆ ଜଣାଇଛନ୍ତି ।
କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏଥିଯୋଗୁଁ ଆର୍ଥିକ ଓ ଉଦ୍ୟୋଗ ଗତିବିଧି ଅଧିକ ପ୍ରଭାବ ପଡୁଛି । ଅଧିକ ଗୁରୁତର ଏମଏସଏମଇ ଉଦ୍ୟୋଗ । କାମଧନ୍ଦା ବନ୍ଦ ଓ ଯାତାୟତ ଠପ ଯୋଗୁଁ ଏହି ସେକ୍ଟରର କର୍ମଚାରୀ ଅଧିକ ପ୍ରଭାବିତ ହେଉଛନ୍ତି । ଏଥିପାଇଁ ଦୈନିକ ପ୍ରାୟ 30 ହଜାର କୋଟିର କ୍ଷତି ସହିବାକୁ ପଡୁଛି । ଏଥିସହ ଏହା ସହ ଜଡିତ ଲୋକଙ୍କ ଜୀବିକା ଏବେ ବିପଦକୁ ଠେଲି ହୋଇଯାଇଛି । ଏ ନେଇ ଚିନ୍ତା ଦର୍ଶାଇ ସୋନିଆ ଗାନ୍ଧୀ ପ୍ୟାକେଜ ଦାବି କରିଛନ୍ତି ।