ନୂଆଦିଲ୍ଲୀ: ସାଢେ ପାଞ୍ଚ ବର୍ଷର ରେକର୍ଡ ବୃଦ୍ଧି ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ହାର । ଡିସେମ୍ବର 2019ରେ ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇ 7.35 ପ୍ରତିଶତରେ ପହଞ୍ଚିଛି । ନଭେମ୍ବର ମାସରେ ଏହା ୫.୫୪ ପ୍ରତିଶତ ଥିଲା । ତେବେ ଏହା ପୂର୍ବରୁ ୨୦୧୪ ଜୁଲାଇରେ ଖୁଚୁରା ମୁଦ୍ରାସ୍ପୀତି ୭.୩୯ ପ୍ରତିଶତରେ ପହଞ୍ଚିଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଦ୍ୟତମ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି । ମୁଖ୍ୟତଃ ପରିବାର ଚଢା ଦର କାରଣରୁ ମୁଦ୍ରାସ୍ପୀତି ହାର ବୃଦ୍ଧି ପାଇଛି ।
ସୋମବାର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ଡିସେମ୍ବର 2018 ତୁଳନାରେ 2019 ଡିସେମ୍ବରରେ ପରିବା ଦର 60.5 ପ୍ରତିଶତ ରହିଥିଲା । ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଦ୍ବାରା ଆଧାରିତ ସମଗ୍ର ଖୁଚୁରା ମୁଦ୍ରାସ୍ପୀତି ଡିସେମ୍ବର 2018ରେ 2.11 ପ୍ରତିଶତ ଓ ନଭେମ୍ବର 2019ରେ 5.54 ରହିଥିଲା ।
ଏନଏସଓର ଡାଟା ଅନୁସାରେ, ଡିସେମ୍ବରରେ ଖାଦ୍ୟ ମୁଦ୍ରାସ୍ପୀତି ହାର 14.12 ପ୍ରତିଶତ ରହିଛି । ଅନ୍ୟପକ୍ଷେ 2018 ଡିସେମ୍ବରରେ -2.65 ପ୍ରତିଶତ ରହିଥିଲା । ନଭେମ୍ବର 2019ରେ ଏହା 10.01 ପ୍ରତିଶତ ରହିଥିଲା । ଡାଲି ଜାତୀୟ ପଦାର୍ଥର ମୁଦ୍ରାସ୍ପୀତି ହାର 15.44 ପ୍ରତିଶତ ରହିଥିବା ବେଳେ ମାଂସଜାତୀୟ ପଦାର୍ଥର ହାର 10 ପ୍ରତିଶତ ରହିଛି ।