ମୁମ୍ବାଇ: ରେପୋରେଟକୁ ଅପରିବର୍ତ୍ତିତ ରଖିଲା ଆରବିଆଇ । ଗତ ଥର ଭଳି ଏଥର 4 ପ୍ରତିଶତରେ ସ୍ଥିର ରହିଛି ସୁଧ ହାର। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ମୁଦ୍ରାନୀତି କମିଟିର 3 ଦିନିଆ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ରିଭର୍ସ ରେପୋ ରେଟ 3.35% ରହିଛି ।
ଏହାକୁ ମିଶାଇ ଲଗାତାର ଦ୍ବିତୀୟ ମାସ ଧରି ଆରବିଆଇ ରେପୋରେଟ ଓ ରିଭର୍ସ ରେପୋରେଟକୁ ସ୍ଥିର ରଖିଛି । ଆରବିଆଇର ମୁଦ୍ରାନୀତି କମିଟି ବୈଠକ ଡିସେମ୍ବର 2 ରୁ ଆରମ୍ଭ ହୋଇଥିଲା ।
ରେପୋ ରେଟ ହ୍ରାସ ଓ ବୃଦ୍ଧି ପରେ ବ୍ୟାଙ୍କର ସୁଧ ହାର ହ୍ରାସ ଓ ବୃଦ୍ଧି ହୋଇଥାଏ । ସୁଧ ହାର ହ୍ରାସ ଅର୍ଥ ବ୍ୟାଙ୍କ ଆରବିଆଇରୁ ଫଣ୍ଡ ନେବା ଉପରେ କମ ସୁଧ ଦେବାକୁ ପଡିବ । ଶସ୍ତା ହାରରେ ବ୍ୟାଙ୍କକୁ ଫଣ୍ଡ ମିଳିଲେ ଏହାର ଫାଇଦା ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଦେବ । ସେହିଭଳି ଯେବେ ରେପୋ ହାର ବଢିବ , ସେତବେଳେ ଗ୍ରାହକଙ୍କ ପାଇଁ ଲୋନ ମହଙ୍ଗା ହୋଇଯିବ ।
କଣ ଏଇ ରେପୋରେଟ ?
ରେପୋରେଟ ହେଉଛି , ଯେଉଁ ହାରରେ ଆରବିଆଇ କମର୍ସିଆଲ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କକୁ ଲୋନ ଦେଇଥାଏ । ତାହାକୁ ରିପ୍ରୋଡକ୍ସନ ରେଟ ବା ରେପୋ ରେଟ କୁହାଯାଇଥାଏ । ରେପୋ ରେଟ ହ୍ରାସ ଅର୍ଥ ଶସ୍ତା ଲୋନ । ଗ୍ରାହକ କମ ସୁଧରେ ହୋମ ଲୋନ, ଗାଡି ଲୋନ, ପର୍ସନାଲ ଲୋଗ ଆଦି ପାଇପାରିବେ । ଏଥିସହ ଆପଣଙ୍କ ଜମା ଉପରେ ସୁଧ ହାର ବଢିଯିବ ।
କଣ ରିଭର୍ସ ରେପୋରେଟ
ଯେଉଁ ରେଟ ଉପରେ ବ୍ୟାଙ୍କ ସେମାନଙ୍କ ପକ୍ଷରୁ ଆରବିଆଇ ପାଖରେ ଟଙ୍କା ଜମା କି ସୁଧ ନିଅନ୍ତି, ତାହାକୁ ରିଭର୍ସ ରେପୋରେଟ କୁହାଯାଏ । ବ୍ୟାଙ୍କ ପାଖରେ ଯେଉଁ ଅତିରିକ୍ତ ନଗଦ ରହିଥାଏ, ତାହାକୁ ରିଜର୍ଭ ବ୍ୟାଙ୍କ ପାଖରେ ଜମା କରିଦିଆଯାଇଥାଏ । ଆଉ ଏହା ବାବଦରେ ଆରବିଆଇ ବ୍ୟାଙ୍କକୁ ସୁଧ ଦିଏ । ସେହିଭଳି ରିଭର୍ସ ରେପୋ ରେଟ ବଜାରରେ ନଗଦକୁ ନିୟନ୍ତ୍ରିତ କରିବାରେ ସହଯୋଗ କରିଥାଏ । ଅଧିକ ନଗଦ ହେଲେ ଆରବିଆଇ ରିଭର୍ସ ରେଟ ବଢାଇଥାଏ । ଯେପରି ବ୍ୟାଙ୍କ ସେହି ଟଙ୍କାକୁ ରିଜର୍ଭ ବ୍ୟାଙ୍କ ପାଖରେ ଜମା କରିବ । ଆଉ ଯଦି ରିଜର୍ଭ ବ୍ୟାଙ୍କ ବଜାରରେ ନଗଦ ପ୍ରବାହ ବଢାଇବାକୁ ଚାହିଁବ, ତେବେ ରିଭର୍ସ ରେପୋରେଟ ହ୍ରାସ କରିଦେଇଥାଏ ।