ନୂଆଦିଲ୍ଲୀ: କୃଷକଙ୍କୁ ମିଳିବ ପେନସନ । 73 ତମ ସ୍ବାଧିନତା ଦିବସରୁ ଚାଷୀଙ୍କ ପାଇଁ ଆରମ୍ଭ ହୋଇପାରେ ପେନସନ ଯୋଜନା । ଏହା ଅନୁଯାୟୀ 60 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଚାଷୀଙ୍କୁ ମାସିକ 3 ହଜାର ଟଙ୍କା ପେନସନ ମିଳିବ । ଡ୍ରାଫ୍ଟ ଜରିଆରେ ଏହି ରାଶିକୁ ଦିଆଯିବ ।
ଅର୍ଥମନ୍ତ୍ରାଳୟ ସହ କୃଷି ମନ୍ତ୍ରାଳୟର ଉଚ୍ଚାଧିକାରୀ ମିଶି ଏହି କାମକୁ ଅନ୍ତିମ ରୂପ ଦେବେ । ଏପଟେ କୃଷି ସଚିବ ରାଜ୍ୟଗୁଡିକୁ ଚିଠି ଲେଖି ଏହି ସ୍କିମକୁ ଲାଗୁ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୋଜନା ଜରିଆରେ ଏଲଆଇସି ଫଣ୍ଡ ଦାୟିତ୍ବ ନେବ ।
ମୋଦି ସରକାରଙ୍କ ଅଧିନରେ ମନ୍ତ୍ରୀମଣ୍ଡଳ ସହ ବସିଥିବା ପ୍ରଥମ ବୈଠରେ କୃଷକଙ୍କ ପେନସନ ଯୋଜନାକୁ ମଞ୍ଜୁରୀ ଦିଆଯାଇଥିଲା । ଏହାର ଉଦ୍ଦେଶ୍ୟ ଥିବା 5 କୋଟି ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା । ତେବେ ଏହା ଦ୍ବାରା ରାଜକୋଷ ଉପରେ ବାର୍ଷିକ ପ୍ରାୟ 10,774.5 କୋଟି ଟଙ୍କା ଭାର ପଡିବ ।
କଣ ରହିବ ନିୟମ ?
ପ୍ରଧାନମନ୍ତ୍ରୀ କିଷାନ ପେନସନ ଯୋଜନାରେ ସାମିଲ ହେବା ପାଇଁ ସର୍ବନିମ୍ନ ବୟସ 29 ବର୍ଷ ହେବା ଦରକାର । ଏହାଦ୍ବାରା ସେ ମାସିକ 100 ଟଙ୍କା ହିସାରେ ଯୋଗଦାନ କରିବ । ଆଉ ଯଦି ଲାଭାର୍ଥୀ ବୟସ 29ରୁ ଊର୍ଦ୍ଧ୍ବ ହୁଏ ତେବେ ତାଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ।
ତେବେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ 18ରୁ 40 ବର୍ଷର କୃଷକ ଆବେଦନ କରିପାରିବେ । ସେମାନେ ମାସିକ ହିସାବରେ ଟଙ୍କା ଭରିବେ । ପରେ 60 ବର୍ଷ ହେଲେ ମାସକୁ 3000 ଟଙ୍କା ମିଳିବ । ଏହି ଟଙ୍କାରେ ଅଧା ଭାଗ ଚାଷୀ ଦେବ । ଆଉ ଅଧା ସରକାର ଭରିବେ । ଆସନ୍ତା ସପ୍ତାହରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇପାରେ ।