ନୂଆଦିଲ୍ଲୀ: ଘରୋଇ ସ୍ତରରେ ଗାଡି, ଦୂରସଞ୍ଚାର ଉପକରଣ ଏବଂ ଔଷଧ ଉଦ୍ୟୋଗକୁ ଆଗକୁ ବଢାଇବା ପାଇଁ ଉତ୍ପାଦନ ସହ ଜଡିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଗୁରୁତ୍ବପୂର୍ଣ୍ଣ । ଏହା ମାଧ୍ୟମରେ ଦେଶର ଆବଶ୍ୟକତାକୁ ପୂରଣ କରାଯିବ ସହ ଦୁନିଆ ପାଇଁ ମଧ୍ୟ ସାମଗ୍ରୀ ପ୍ରସ୍ତୁତ କରିବାକୁ ଉଦ୍ୟୋଗକୁ ଶୁକ୍ରବାର ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆସନ୍ତା 5 ବର୍ଷ ପାଇଁ ପିଏଲଆଇ ଯୋଜନାକୁ ନେଇ କରାଯାଇଥିବା ବ୍ୟବସ୍ଥା ଉପରେ ଆୟୋଜିକ ଏକ ୱେବିନାରକୁ ସମ୍ବୋଧିତ କରି କହିଛନ୍ତି କି, ଏ ନେଇ ପ୍ରାୟ 2 ଲକ୍ଷ କୋଟିର ପ୍ରାବଧାନ ହୋଇଛି । ଏହି ଯୋଜନା ଦୂରସଞ୍ଚାର କ୍ଷେତ୍ର ଠାରୁ ନେଇ ଗାଡି ଏବଂ ଔଷଧ କ୍ଷେତ୍ର ସହ କପଡା ଏବଂ ଖାଦ୍ୟ ପ୍ରୋସେସିଂ ସମେତ 13 ସେକ୍ଟର ପାଇଁ ଆରମ୍ଭ କରାଯାଉଛି ।
ଘରୋଇ ସ୍ତରରେ ଉତ୍ପାଦର ବିନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପଦକ୍ଷେପ ସରକାର ନେଉଛନ୍ତି ।
ଶିଳ୍ପଗୁଡିକର ଅନୁପାଳନ ବୋଝକୁ କମ କରାଯାଉଛି । ଏହି କ୍ରମରେ ଚଳିତ ବର୍ଷ ରାଜ୍ୟ ତଥା କେନ୍ଦ୍ରୀୟ ସ୍ତରରେ 6,000 ରୁ ଅଧିକ ନିୟମ ବା ଅନୁପାଳନ ହ୍ରାସ କରିବାକୁ ଚେଷ୍ଟା କରୁଛୁ ବୋଲି ମୋଦି କହିଛନ୍ତି । ସେହିଭଳି
ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ ବୟନ ଶିଳ୍ପରେ PLI ଯୋଜନାର ପ୍ରବର୍ତ୍ତନ ସମଗ୍ର କୃଷି କ୍ଷେତ୍ର ପାଇଁ ଲାଭଦାୟକ ହେବ ।
ଉତ୍ପାଦନକୁ ତ୍ବରାନ୍ବିତ କରିବାକୁ ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି କରିବାକୁ ପିଏମ ଉଦ୍ୟୋଗ ଗୁଡିକୁ ଆହ୍ବାନ ଦେଇଛନ୍ତି । ସେ କହିଛନ୍ତି ଯେ ବୈଶ୍ବିକ ସ୍ତରରେ ଉତ୍ପାଦନର ମୂଲ୍ୟ, ଗୁଣବତ୍ତା ହ୍ରାସ ତଥା ପ୍ରତିଯୋଗିତାରେ ଆଗକୁ ବଢିବା ପାଇଁ ସମସ୍ତଙ୍କୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ ।