ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ହସ୍ତତନ୍ତ ଦିବସରେ ବୁଣାକାର ଓ ହସ୍ତକଳା ସହ ଜଡିତ ଶିଳ୍ପୀଙ୍କୁ ଅଭିବାଦନ ଜଣାଇଛନ୍ତି । ଏଥିସହ ଲୋକଙ୍କୁ ଆତ୍ମନିର୍ଭର ଭାରତ ଆଡକୁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।
ପ୍ରତି ବର୍ଷ ଅଗଷ୍ଟ 7 ରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଏ । ହସ୍ତତନ୍ତ ବୁଣାକାରଙ୍କୁ ସମ୍ମାନିତ କରିବା ଏବଂ ଦେଶର ହସ୍ତତନ୍ତ ଶିଳ୍ପର ଗୁରୁତ୍ୱକୁ ସୂଚିତ କରିବା ଏହି ଦିନର ବିଶେଷତ୍ବ । ଏହି ଦିନ ଦେଶରେ ବୁଣାକାରଙ୍କ ସାମାଜିକ ଓ ଅର୍ଥନୈତିକ ଯୋଗଦାନ ଏବଂ ବୁଣାକାରଙ୍କ ଆୟ ବୃଦ୍ଧି ଉପରେ ଧ୍ୟାନ ଦିଆଯାଇଥାଏ ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ‘‘ଜାତୀୟ ହସ୍ତତନ୍ତ ଦିବସରେ ଆମେ ସମସ୍ତଙ୍କୁ ଅଭିବାଦନ ଜଣାଉଛୁ ଯେଉଁମାନେ ଜୀବନ୍ତ ତଥା ଶକ୍ତିଶାଳୀ ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ର ସହିତ ଜଡିତ। ଏହି ଲୋକମାନେ ଦେଶର ସ୍ୱଦେଶୀ ଶିଳ୍ପକୁ ସଂରକ୍ଷିତ ରଖିବାରେ ପ୍ରଂଶସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତୁ ଆମେ ସବୁ ‘ ଭୋକାଲ ଫର ହ୍ୟାଣ୍ଡମେଡ ’ ଦିଶାରେ ପାଦ ବଢାଇବା ଏବଂ ଆତ୍ମନିର୍ଭର ଭାରତ ଗଠନ କରିବା ଦିଗରେ ଆମ ପ୍ରୟାସକୁ ସୁଦୃଢ କରିବା ।
ଆଜିର ଦିନକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରିବା ପାଇଁ 2015 ଜୁଲାଇ ରେ ଭାରତ ସରକାର ନିଷ୍ପତ୍ତି ନେଇଥିଲେ । ଏହାର ଉଦ୍ଦେଶ୍ୟ ହେଉଛି ଦେଶରେ ସାମାଜିତ ଓ ଆର୍ଥିକ ବିକାଶରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା । ଏଥିସହ ଏହି ଦିନରେ ମନୋନୀତ କରାଯାଇଛି , କାରଣ 1905 ମସିହା ଆଜିର ଦିନରେ କୋଲକତା ଟାଉନ ହଲରେ ସ୍ବଦେଶୀ ଆନ୍ଦୋଳନର ମୂଳଦୁଆ ପଡିଥିଲା ।