ନୂଆଦିଲ୍ଲୀ: ଭାରତର ବହୁମୂଲ୍ୟ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ମୁକେଶ ଅମ୍ବାନୀ କ୍ରମାଗତ ନବମ ବର୍ଷ ପାଇଁ ଭାରତର 1 ନମ୍ବର ଧନୀ ହୋଇଛନ୍ତି । IIFL ୱେଲଥ ହୁରୁନ୍ ଇଣ୍ଡିଆ ଧନୀ ତାଲିକା 2020 ରିପୋର୍ଟରେ ଏ ନେଇ ଦର୍ଶାଯାଇଛି । ମୋଟ ସମ୍ପତ୍ତି 6.58 ଲକ୍ଷ କୋଟି ଟଙ୍କା ସହ ମୁକେଶ ଅମ୍ବାନୀ ଏହି ଲିଷ୍ଟର ଶୀର୍ଷରେ ଅଛନ୍ତି ।
ଗତ 12 ମାସରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି 73 ପ୍ରତିଶତ ବୃଦ୍ଧି ହୋଇଛି । ଏଥିଯୋଗୁଁ ସେ ଏସିଆର ମଧ୍ୟ ସର୍ବୋଚ୍ଚ ଧନୀ ସହ ବିଶ୍ବର ଚତୁର୍ଥ ଧନୀ ଭାବେ ତାଲିକାଭୁକ୍ତ ।
ହୁରୁନ ଇଣ୍ଡିଆ ସୂଚୀରେ 2020 ଅଗଷ୍ଟ 31 ସୁଦ୍ଧା 1000 କୋଟି କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ଦେଶର ଧନୀକ ବ୍ୟକ୍ତିଙ୍କ ନାଁ ରହିଛି । 2020ର ସଂସ୍କରଣରେ 828 ଭାରତୀୟ ସାମିଲ ଅଛନ୍ତି । ଭାରତୀ ଏହି ଲିଷ୍ଟରେ ଭାରତର ସବୁଠୁ ମୂଲ୍ୟବାନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଲଗାତାର 9 ବର୍ଷ ଧରି ଶୀର୍ଷ ସ୍ଥାନରେ ରହିଛନ୍ତି ।
ଲକଡାଉନ କାଳରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଲଗାତାର ବୃଦ୍ଧି ପାଇଛି । ତାଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବଜାର ପୁଞ୍ଜିକରଣ ମଧ୍ୟ ଲଗାତାର ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।
ତେବେ ଲଣ୍ଡନ ସ୍ଥିତ ହିନ୍ଦୁଜା ବ୍ରଦର୍ସ ( ଏସପି ହିନ୍ଦୁଜା ତାଙ୍କ ତିନି ଭାଇଙ୍କ ସହ ମିଶି)ଙ୍କ ମିଳିତ ସମ୍ପତ୍ତି 1.43 ଲକ୍ଷ କୋଟି ଟଙ୍କା ସହ ଏହି ଲିଷ୍ଟରେ ଦ୍ବିତୀୟ ନମ୍ବରରେ ଅଛନ୍ତି । ସେହିପରି ତୃତୀୟ ସ୍ଥାନରେ 1.41 ଲକ୍ଷ କୋଟି ସମ୍ପତ୍ତି ସହ ଏଚସିଏଲ ପ୍ରତିଷ୍ଠାତା ଶିବ ନାଡର ଅଛନ୍ତି । ଏହା ପରେ ଚତୁର୍ଥରେ ଗୌତମ ଅଦାନୀ ଓ ପରିବାର ଏବଂ ପଞ୍ଚମରେ ଅଜୀମ ପ୍ରେଜମୀ ଅଛନ୍ତି ।