ନୂଆଦିଲ୍ଲୀ: ଚିନି ରପ୍ତାନୀ ଉପରେ ଖସିଲା ସବସିଡି । ଟନ ପ୍ରତି ଚିନି 6,000 ଟଙ୍କାରୁ ହ୍ରାସ ହୋଇ 4,000 ଟଙ୍କା ହେଲା । ବୈଶ୍ବିକ ବଜାରରେ ଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ତତ୍କାଳ ପ୍ରଭାବବେ ଏହି ହ୍ରାସ କରାଯାଇଛି । ଗୁରୁବାର କେନ୍ଦ୍ର ସରକାର ଏ ନେଇ ନିଷ୍ପତ୍ତି ନେଇଛନ୍ତି ।
ସରକାର ଚିନି ମିଲର ନଗଦ ସ୍ଥିତିରେ ସୁଧାର ଓ ଆଖୁ ଚାଷୀଙ୍କ ବେକୟା ପୈଠରେ ସେମାନଙ୍କ ସହଯୋଗ କରିବା ଲକ୍ଷ୍ୟରେ ମାର୍କେଟିଂ ବର୍ଷ 2020-21 (ଅକ୍ଟୋବର-ସେପ୍ଟେମ୍ବର) ମଧ୍ୟରେ ଚିନି ରପ୍ତାନୀ ଉପରେ ଟନ ପିଛା 6,000 ଟଙ୍କା ସବସିଡି ସ୍ଥିର କରିଥିଲେ ।
ଚିନି ମିଲକୁ ଚଳିତ ବର୍ଷରେ 60 ଲକ୍ଷ ଟନ ଚିନି ରପ୍ତାନୀ କରିବାକୁ ପଡିଥାଏ । ଏବେ ସୁଦ୍ଧା 57 ଲକ୍ଷ ଟନ ଚିନି ରପ୍ତାନୀକୁ ନେଇ ଚୁକ୍ତି କରାଯାଇଛି । ଖାଦ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁବୋଧ କୁମାର କହିଛନ୍ତି ଯେ, ବୈଶ୍ବିକ ବଜାରରେ ଚିନି ଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେ ତତ୍କାଳ ପ୍ରଭାବରେ ଚିନି ରପ୍ତାନୀ ଉପରେ ସବସିଡି ଟନ ପ୍ରତି 2000 ଟଙ୍କା କମାଇ 4000 ଟଙ୍କା କରିଦିଆଯାଇଛି ।