ନୂଆଦିଲ୍ଲୀ: କେୟର୍ଣ୍ଣ ମାମଲାକୁ ନେଇ ମିଥ୍ୟା ମିଡିଆ ରିପୋର୍ଟ । ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକୁ ବୈଦେଶିକ ମୁଦ୍ରା ଖାତାରୁ ଟଙ୍କା ଉଠାଣ ଆଦେଶ ଦିଆଯିବା ଦାବି ନେଇ ମିଡିଆର ରିପୋର୍ଟକୁ ମିଛ ବୋଲି କହିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ରବିବାର ଖବରକୁ ଖଣ୍ଡନ କରିବା ସହ ମିଡିଆ ରିପୋର୍ଟର ନିନ୍ଦା କରିଛନ୍ତି ।
କେନ୍ଦ୍ର ସରକାର କହିଛନ୍ତି ଯେ କେତେକ ସ୍ବାର୍ଥ ନିହିତ ଉପାଦାନ ଏପରି ଆଦେଶର ଖବର ପ୍ରସାରଣ କରୁଛନ୍ତି। କେୟର୍ଣ୍ଣକୁ ନେଇ ଚାଲିଥିବା ଆଇନଗତ ବିବାଦରେ ଆକାଉଣ୍ଟଗୁଡିକ ଜବତ ହେବାର ଆଶଙ୍କା ଥିବାରୁ ଏହି ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଥିଲା। ଏହି ଖବରକୁ ମିଥ୍ୟା ବୋଲି କହି ସରକାର ନିନ୍ଦା କରିଛନ୍ତି।
ନିକଟରେ ଖବର ଆସିଥିଲା ଯେ କେୟର୍ଣ୍ଣ ସହ ଆଇନଗତ ବିବାଦରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ବିଦେଶୀ ମୁଦ୍ରା ଖାତା ଜବତ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ସରକାର ଏହି ଆକାଉଣ୍ଟରୁ ଟଙ୍କା ଉଠାଇବାକୁ କହିଛନ୍ତି । ଗଣମାଧ୍ୟମର ସୂତ୍ର ଅନୁଯାୟୀ, ଏହି ରିପୋର୍ଟକୁ ଭାରତ ସରକାର ମିଥ୍ୟା ବୋଲି ଦର୍ଶାଇଛନ୍ତି। ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଏହି ରିପୋର୍ଟଗୁଡିକ ସମ୍ପୂର୍ଣ୍ଣ ଭୁଲ ତଥ୍ୟ ଉପରେ ଆଧାରିତ।
ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥତା ଅଦାଲତରେ ଭାରତ ସରକାର ଏବଂ ବ୍ରିଟେନର କେୟର୍ଣ୍ଣ ଏନର୍ଜି କମ୍ପାନୀ ମଧ୍ୟରେ ବିବାଦ ଚାଲିଛି। ଏହାର ନିଷ୍ପତ୍ତି କେୟର୍ଣ୍ଣ ସପକ୍ଷରେ ଅଛି। ଭାରତ ସରକାରଙ୍କ ଦ୍ବାରା ଏକ ଆଇନ ସଂଶୋଧନ ମାଧ୍ୟମରେ କମ୍ପାନୀ ଉପରେ ଲାଗୁ କରାଯାଇଥିବା ଟିକସକୁ ରଦ୍ଦ କରିଦେଇଥିଲେ କୋର୍ଟ । ତେବେ କେୟର୍ଣ୍ଣ ଏନର୍ଜିକୁ 1.2 ବିଲିୟନ ଡଲାର ଦେବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ କହିବାନୁଯାୟୀ, ସରକାର ଆଦାୟ କରୁଥିବା ଟିକସ ଏହାର ସାର୍ବଭୌମତ୍ବ ଅଧିକାରର ବିଷୟ। ଏହାକୁ ଏକ ଘରୋଇ ମଧ୍ୟସ୍ଥତା ଅଦାଲତରେ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ । କେୟର୍ଣ୍ଣ ଏହା ପୂର୍ବରୁ କହିଥିଲା ଯେ ଏହି ନିୟମ ବାଧ୍ୟତାମୂଳକ ଏବଂ ଏହା ବିଦେଶରେ ଭାରତୀୟ ସମ୍ପତ୍ତି ଜବତ କରିପାରିବ।
1994ରେ କେୟର୍ଣ୍ଣ ଭାରତର ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିଥିଲା। ଏକ ଦଶନ୍ଧି ପରେ କମ୍ପାନୀ ରାଜସ୍ଥାନରେ ବୃହତ ତୈଳ ଭଣ୍ଡାରର ଆବିଷ୍କାର କରିଥିଲା । ବ୍ରିଟିଶ କମ୍ପାନୀ 2006ରେ ତାଲିକାଭୁକ୍ତ ହୋଇଥିଲା । ପାଞ୍ଚ ବର୍ଷ ପରେ ସରକାର ଟିକସ ନିୟମକୁ ଆଧାର କରି ପୁନଃନିର୍ମାଣ ପାଇଁ 10,247 କୋଟି ଟଙ୍କା କର ଏବଂ ସୁଧ ଦେବାକୁ କେୟର୍ଣ୍ଣକୁ କହିଥିଲେ। କେୟର୍ଣ୍ଣ ଏହାକୁ ହେଗ୍ ସ୍ଥିତ ଅନ୍ତରାଷ୍ଟ୍ରୀୟ କୋର୍ଟରେ ଚ୍ୟାଲେଞ୍ଜ କରିଥିଲା ।