ନୂଆଦିଲ୍ଲୀ: ଅନେକ ରାଜ୍ୟରେ ଲକଡାଉନ ପ୍ରତିବନ୍ଧକ କୋହଳ ପରେ ମଦ ଉପରେ 50 ପ୍ରତିଶତରୁ ଅଧିକ କୋରୋନା କର ଲଗାଯାଇଥିଲା । ଫଳରେ ମେ’ ଓ ଜୁନ ମାସରେ ମଦ ବିକ୍ରି ହାରାହାରୀ 59 ପ୍ରତିଶତରୁ ହ୍ରାସ ହୋଇଛି । ଏକ ରିପୋର୍ଟରେ ଏ ନେଇ ପ୍ରକାଶ କରାଯାଇଛି ।
ମଦ ଶିଳ୍ପ ସଙ୍ଗଠନ ଇଣ୍ଡିଆନ ଆଲକୋହଲିକ ପାନୀୟ କମ୍ପାନୀ (ସିଆଇଏବିସି) ଏକ ରିପୋର୍ଟରେ କହିଛି ଯେ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଓଡିଶା, ଜାମ୍ମୁ କାଶ୍ମୀର ଏବଂ ପୁଡୁଚେରୀ ଭଳି ରାଜ୍ୟ ମଦ ଉପରେ 50 ପ୍ରତିଶତରୁ ଅଧିକ କୋରୋନା ସେସ ଲଗାଇଥିଲେ। ଏହି ରାଜ୍ୟଗୁଡ଼ିକରେ ମଦ ବିକ୍ରି ମେ ମାସରେ 66 ପ୍ରତିଶତ ଏବଂ ଜୁନ ମାସରେ 51 ପ୍ରତିଶତ ହ୍ରାସ ପାଇଛି।
ରିପୋର୍ଟ ଅନୁଯାୟୀ, ଅରୁଣାଞ୍ଚଳ ପ୍ରଦେଶ, ମେଘାଳୟ, ରାଜସ୍ଥାନ, ପଶ୍ଚିମବଙ୍ଗ, କେରଳ ଏବଂ ଝାଡଖଣ୍ଡ ଭଳି ରାଜ୍ୟ 15 ରୁ 50 ପ୍ରତିଶତ ଯାଏଁ ସେସ ଆଦାୟ କରିଛନ୍ତି। ଏହି ରାଜ୍ୟଗୁଡିକ ବିକ୍ରିରେ ହାରାହାରି 34 ପ୍ରତିଶତ ହ୍ରାସ ରେକର୍ଡ କରିଛନ୍ତି ।
ତେବେ ଯେଉଁ ରାଜ୍ୟଗୁଡିକରେ 15 ପ୍ରତିଶତ ଯାଏ ସେସ ଲଗାଯାଇଥିଲା, ସେଠାରେ 16 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ଏହି ରାଜ୍ୟ ମଧ୍ୟରେ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଛତିଶଗଡ, ହରିୟାନା , ତାମିଲନାଡୁ, ମହାରାଷ୍ଚ୍ର, ଆସାମ, ଚଣ୍ଡୀଗଡ, ମଧ୍ୟପ୍ରଦେଶ, ଗୋଆ ଓ ପଞ୍ଜାବ ସାମିଲ ଅଛି ।
ଜାତୀୟ ସ୍ତରରେ ଏ ବର୍ଷ ମେ ଓ ଜୁନ ମାସରେ ବାର୍ଷିକ ଆଧାରେ ବିକ୍ରି କ୍ରମଶଃ 25 ପ୍ରତିଶତ ଓ 15 ପ୍ରତିଶତ ଯାଏଁ ଖସିଛି । ସିଆଇଏବିସିର ମହାନିର୍ଦ୍ଦେଶକ ବିନୋଦ ଗିରି କହିଛନ୍ତି କି, ‘‘ ରାଜ୍ୟ ସରକାରଙ୍କ ରାଜସ୍ବରେ ମଦ ଉଦ୍ୟୋଗର ଯୋଗଦାନ ପ୍ରାୟ 2.5 ଲକ୍ଷ କୋଟି ଟଙ୍କା ରହିଥାଏ । ତେବେ ଚଳିକ ଆର୍ଥିକ ବର୍ଷ ଏହି ରାଜସ୍ବ 25 ରୁ 30 କମିବା ଆକଳନ ରହିଛି । କାରଣ କିଛି ରାଜ୍ୟରେ ଅଧିକ ସେସ ଲଗାଇବା ଯୋଗୁଁ ବିକ୍ରି କମିଛି । ଏହା ବ୍ୟତିତ ରେସ୍ତେରା ବନ୍ଦ ଯୋଗୁଁ ମଧ୍ୟ ସ୍ଥିତି ବିଗିଡିଛି । ମଦର ମୋଟ ବିକ୍ରିରେ ରେସ୍ତେରାଗୁଡିକର ଯୋଗଦାନ 10 ପ୍ରତିଶତ ରହିଥାଏ ।