ନୂଆଦିଲ୍ଲୀ: ଆଖିକୁ ନିଦ ଆସୁନି । ପିଲାଙ୍କ ସ୍କୁଲ ଫିସ ଭରିବାକୁ ଟଙ୍କା ନାହିଁ। ଘର ଭଡା ଦେବାକୁ ଅକ୍ଷମ। ଅର୍ଥଭାବରୁ ପତ୍ନୀଙ୍କ ଗହଣା ବିକିବାକୁ ପଡୁଛି। ଇଏମଆଇ ଭରି ପାରୁନଥିବାରୁ ନିଜ ଗାଡି ବିକ୍ରି କରିବାକୁ ପଡୁଛି। ଏସି ଭିତରେ ବସୁଥିବା ଅଫିସର ଏବେ ରାସ୍ତାରେ। ଦୁଃଖ ବୟାନ କରୁ କରୁ ଆଖିରୁ ଝରିପଡୁଛି ଲୁହ। କମ୍ପାନୀ ବନ୍ଦ ହେବା ପରେ ଏପରି ବହୁ ସମସ୍ୟା ଭାର ତଳେ ଅଣନିଶ୍ବାସୀ ହୋଇପଡିଛନ୍ତି ଜେଟର 22 ହଜାର କର୍ମଚାରୀ । ହତାଶ ହୋଇ ଜନ୍ତରମନ୍ତରରେ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ କମ୍ପାନୀର ପୁର୍ନ ପରିଚାଳନା ପାଇଁ ମୋଦି ସରକାରଙ୍କୁ ଆବେଦନ କରିଛନ୍ତି ।
ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଘରୋଇ ବିମାନ କମ୍ପାନୀ ଜେଟ ଏୟାରୱେଜ ବୁଧବାର ଶେଷ ଉଡାଣ ଭରିଥିଲା। ଏହା ପରେ କମ୍ପାନୀର ସବୁ ବିମାନ ଅଚଳ ହୋଇପଡିଛି। ଏଥିସହ ଏଠାରେ କାମ କରୁଥିବା ଡ୍ରାଇଭର ଠାରୁ ଆରମ୍ଭ କରି ପାଇଲଟ, ଇଞ୍ଜିନିୟର ସମସ୍ତଙ୍କ ହାତରେ ପଡିଯାଇଛି ତାଲା । ରୋଜଗାରରର ପନ୍ଥା କହିଲେ ଆଉ କିଛି ନାହିଁ । ଗଲା କିଛି ମାସ ଦରମା ମିଳିନଥିବାରୁ ଯାହା ସଞ୍ଚୟ ଥିଲା ସେ ସବୁ ମଧ୍ୟ ଖର୍ଚ୍ଚ ହୋଇଯାଇଛି । ଏବେ ଘର ଓ ପରିବାର ପ୍ରତିପୋଷଣ କରିବାକୁ ପାଖରେ କାଣିଚାଏ ନାହିଁ । ହିଂସାକୁ ଆପଣାଇ ବିକ୍ଷୋଭ କରିବା ବଦଳରେ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ‘ସେଭ ଜେଟ ଏୟାରୱେଜ’ ପ୍ଲାକାର୍ଡ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପିଲ କରିଛନ୍ତି ।
କର୍ମଚାରୀଙ୍କ ମୁହଁରୁ-
ସିନିୟର ପାଇଲଟ ରୋହିତ ଚୌଧୁରୀ କୁହନ୍ତି ଯେ, ଦୀର୍ଘ 21 ବର୍ଷ ହେବ ଜେଟରେ କାମ କରେ। ପତ୍ନୀ ମଧ୍ୟ ଗଲା 16 ବର୍ଷ ହେବ ଏଠାରେ ପାଇଲଟ ଭାବେ କାର୍ଯ୍ୟରତ ଥିଲେ । ସେହିପରି ଦୀର୍ଘ 24 ବର୍ଷ ଧରି ଏଠାରେ କାମ କରୁଥିବା ଚନ୍ଦ୍ର ଶେଖର ମଣ୍ଡଳ କହିଛନ୍ତି କି, ମୋତେ ବିଶ୍ବାସ ହେଉନାହିଁ ଯେ ମୋ ପାଖରେ ଆଜି କାମ ନାହିଁ । ଆଶା କରୁଛି ପୁଣି ଥରେ ଜେଟ ଉଡାଣ ଭରିବ ଆଉ ଆମକୁ ଚାକିରି ମିଳିବ ।
କମ୍ପାନୀର 24 ବର୍ଷ ଧରି ପାଇଲଟ ଭାବେ କାମ କରୁଥିବା ସୁନୀଲ କୁମାର କହିଛନ୍ତି କି, କମ୍ପାନୀ ବନ୍ଦ ହେବା ପରେ ଦୈନିକ ଖର୍ଚ୍ଚ ତୁଲାଇବା ମଧ୍ୟ ମୁସକିଲ ହୋଇପଡିଛି । ବହୁ ସହକର୍ମୀ ଟଙ୍କା ଅଭାବରୁ ପତ୍ନୀଙ୍କ ଗହଣା ବିକ୍ରି କରୁଛନ୍ତି । ଏହି ସମୟରେ ଜଣେ ବରିଷ୍ଠ ଅଧିକାରୀ ମତ ଦେଇ କହିଥିଲେ ଯେ, ଆଜିର ଏହି ପରିସ୍ଥିତି ପାଇଁ ଦାୟୀ କମ୍ପାନୀ କର୍ତ୍ତୁପକ୍ଷ ଓ ସରକାରଙ୍କ ମଧ୍ୟରେ ବୁଝାମଣାର ଅଭାବ । ଯେଉଁଥିପାଇଁ ଆଜି ଏହି ସମସ୍ୟା ସୃଷ୍ଟି ହୋଇଛି ।