ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଧାରା 370, 35(ଏ)କୁ ଉଚ୍ଛେଦ କରି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବାକୁ ବର୍ଷେ ବିତିଛି । ହେଲେ ଏବେ ବି ଏଠାରେ ଆର୍ଥିକ ଅନିଶ୍ଚିତତାର କଳା ବାଦଲ ଘୋଟି ରହିଛି । ରାଜସ୍ବ ହ୍ରାସ ଓ ବେକାରୀର ଚାପ ଯେପରି ଭସ୍ବର୍ଗର ମେରୁଦଣ୍ଡକୁ ଦୁର୍ବଳ କରିଦେଇଛି ।
2019 ଅଗଷ୍ଟ 5 ତାରିଖ । ସଂସଦର ଉଭୟ ଗୃହରେ ହଟ୍ଟଗୋଳ ମଧ୍ୟରେ ଗୃହମନ୍ତ୍ରୀ ନିଜର ଭାଷଣ ରଖୁଥାନ୍ତି। ଆଉ ଏହି ସମୟରେ ଜାମ୍ମୁକାଶ୍ମୀରରୁ ଧାରା 370 ଉଚ୍ଛେଦ କରି କହିଥିଲେ କି, ‘‘ ଜାମ୍ମୁ ଓ କାଶ୍ମୀର ଭାରତର ମୁକୁଟ ମଣି । ଆମକୁ 5 ବର୍ଷ ଦିଅନ୍ତୁ, ଏହାକୁ ଦେଶର ସବୁଠୁ ବିକଶିତ ରାଜ୍ୟ ଭାବେ ଗଢି ଦେଖାଇବୁ ’’।
ଏବେ 1 ବର୍ଷ ବିତିସାରିଛି, ଆଉ ଏହାର ଆର୍ଥିକ ସ୍ଥିତି ଏତେଟା ସ୍ବଚ୍ଛଳ ନାହିଁ , ଯେଉଁଭଳି ପ୍ରତିଶ୍ରୁତି କରାଯାଇଥିଲା । ବାସ୍ତବରେ ଏଠାକାର ବାସିନ୍ଦାଙ୍କ କହିବା ଅନୁସାରେ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରେ ସ୍ଥିତି ଆହୁରି ଖରାପ ହୋଇଯାଇଛି । ତଥ୍ୟ ଅନୁସାରେ ଆର୍ଥିକ ବିକାଶ ଏବଂ ରୋଜଗାର ମାମଲାରେ କେନ୍ଦ୍ର ଶାସିତ ଅଞ୍ଚଳକୁ ବଡ ପରିମାଣରେ କ୍ଷତି ସହିବାକୁ ପଡୁଛି ।
ସଙ୍କଟରେ ଉଦ୍ୟୋଗ
କାଶ୍ମୀର ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ(KCCI )ର ଅଧ୍ୟକ୍ଷ ଶେଖ ଆଶିକ ଅହମ୍ମଦ ଇଟିଭି ଭାରତକୁ ଜଣାଇଛନ୍ତି କି, ଜାମ୍ମୁକାଶ୍ମୀରରେ ଗତ 1 ବର୍ଷ ଧରି ସରକାରଙ୍କ ଦ୍ବାରା ଲଗାଯାଇଥିବା ଲକଡାଉନ ଆଉ ଏବେ କୋରୋନା ମାଡରେ ପ୍ରାୟ 40,000 କୋଟି ଟଙ୍କା କ୍ଷତି ଘଟିଛି। ପ୍ରକାଶ ଯେ, ଗତ ବର୍ଷ ଅଗଷ୍ଟରେ ଜାମ୍ମୁକାଶ୍ମୀରରୁ ଧାରା 370 ଓ 35 ଏ ଉଚ୍ଛେଦ ପରେ ପ୍ରାୟ 7 ମାସ ଧରି ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହା ଶେଷ ହେବା ମାତ୍ରେ 2020 ମାର୍ଚ୍ଚ ରେ କୋରୋନା ଭାଇରସ ପ୍ରକୋପ ମଧ୍ୟରେ ପୁଣି ଲକଡାଉନ ଲଗାଇ ଦିଆଯାଇଥିଲା ।
ଅହମ୍ମଦ କହିଛନ୍ତି କି କାଶ୍ମୀର ଅର୍ଥବ୍ୟବସ୍ଥାକୁ ହୋଇଥିବା ଏହି ବଡ ଧରଣର କ୍ଷତି ଯୋଗୁଁ ବ୍ୟବସାୟୀ ୟୁନିଟ ଓ ବଡ -ଛୋଟ ଉଭୟ ଚାକିରୀରେ ହ୍ରାସ ହୋଇଛି । ଫଳରେ ବେକାରୀ ସଂଖ୍ୟା ବଢିଚାଲିଛି ।
ଜାମ୍ମୁକାଶ୍ମୀରର ଆର୍ଥିକ ପରିସଂଘର ସହ-ସଂଯୋଜକ ଅବରାର ଅହମ୍ମଦ ଖାନ ଇଟିଭି ଭାରତ ସହ କଥାବାର୍ତ୍ତା ହୋଇ କହିଛନ୍ତି କି, ‘‘ ଟ୍ରାନ୍ସପୋର୍ଟ ଓ ପର୍ଯ୍ୟଟନ ଶିଳ୍ପ ସମେତ ସମସ୍ତ ବ୍ୟବସାୟୀତ କ୍ଷେତ୍ର 12 ମାସର ଲକଡାଉନରେ ଗଭୀର ଭାବେ ପ୍ରଭାବିତ ହୋଇଛି । ଏହି ଦୁର୍ବଳ ଆର୍ଥିକ ଅବସ୍ଥା ଏବଂ ବେକାରୀ ବୃଦ୍ଧି ଯୋଗୁଁ ସମସ୍ତେ ଅସବୁଧାର ସମ୍ମୁଖୀନ ହେଉଛନ୍ତି ।
ରାଜ୍ୟ ଜିଡିପିରେ ପ୍ରାୟ 15 ପ୍ରତିଶତ ଯୋଗଦାନ କରୁଥିବା ଆତିଥ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ର ସରକାରଙ୍କ ଧାରା 370 ଉଚ୍ଛେଦ କରିବା ପଦକ୍ଷେପକୁ ସ୍ବାଗତ କରିଥିଲା । ଏହି ସେକ୍ଟରର ଆଶା ରହିଥିଲା କି ରାଜ୍ୟର ସୁରକ୍ଷା ସ୍ଥିତି ସ୍ଥିର ହେବା ପରେ ପର୍ଯ୍ୟଟକ ଆସିବେ , ଆୟ ବଢିବ , ପ୍ରଫିଟ ମିଳିବ । କିନ୍ତୁ ଲକଡାଉନ ଅବଧି ବୃଦ୍ଧି ସବୁ ଆଶାକୁ ନିରାଶ କରିଦେଲା ।
ହାଉସବୋଟ ମାଲିକ ସଂଘର ସାଧାରଣ ସମ୍ପାଦକ ଅବଦୁଲ ରସିଦ କହିଛନ୍ତି ଯେ ଆମର ହାଉସବୋଟ ଶିଳ୍ପ ଗତ ଏକ ବର୍ଷ ମଧ୍ୟରେ 200 କୋଟି ଟଙ୍କା ହରାଇଛି।
ଘରୋଇ ନିବେଶ ଏବେ ବି ହରଡଘଣାରେ
ଜାମ୍ମୁ କାଶ୍ମୀରକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପଦକ୍ଷେପ ରାଜ୍ୟ ପାଇଁ ଘରୋଇ ନିବେଶ ଆକର୍ଷିକ କରିବା ଆଶାକୁ ଉଜାଗର କରିଥିଲା ।
ବାସ୍ତବରେ ଗତ ବର୍ଷ ନଭେମ୍ବର ମଧ୍ୟରେ ଜାମ୍ମୁ କାଶ୍ମୀର ପ୍ରଶାସନ କେନ୍ଦ୍ର ଶାସିତ ଅଞ୍ଚଳରେ ଔଦ୍ୟୋଗିକ ୟୁନିଟ ସ୍ଥାପନା କରିବା ପାଇଁ ନିବେଶକଙ୍କୁ ଆକୃଷ୍ଠ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ତିଆରି ଆରମ୍ଭ କରିଥିଲା । ଯାହା ଦ୍ବାରା ବଡ ବିକାଶ ଆରମ୍ଭ ହୋଇପାରିବ । ପ୍ରଶାସନ ପରେ ସ୍ପଷ୍ଟ କରିଥିଲା ‘‘ 2020 ମାର୍ଚ୍ଚରେ ହେବାକୁ ଥିବା ଜାମ୍ମୁକାଶ୍ମୀର ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ 2020 ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ତୟାର ହେଉଛି ।
ଜେ ଆଣ୍ଡ କେ ରାଜ୍ୟ ଶିଳ୍ପ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ରବିନ୍ଦ୍ର କୁମାର କହିଛନ୍ତି ଯେ, ଶିଳ୍ପ ୟୁନିଟ ପ୍ରତିଷ୍ଠା ପାଇଁ ବ୍ୟବହୃତ ହେଉଥିବା ଜମିକୁ ଆମେ ଚିହ୍ନଟ କରୁଛୁ । ଆଉ ଏହା ଜାମ୍ମୁ କାଶ୍ମୀରକୁ ଶିଳ୍ପାୟନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ କାରକ ପ୍ରମାଣିତ ହେବ ବୋଲି ନଭେମ୍ବରରେ ଜାମ୍ମୁ କାଶ୍ମୀରର ଶିଳ୍ପ ବିକାଶ ନିଗମ କହିଛି ।
ଶେଷରେ ଚଳିତ ବର୍ଷ ଏପ୍ରିଲରେ କୋଭିଡ -19 ପ୍ରକୋପ ପରେ ଶିଖର ସମ୍ମିଳନୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏହା ଉପରେ ମନ୍ତବ୍ୟ ଦେଇ ଆର୍ଥିକ ଏବଂ ବିକାଶ ବିଶ୍ଳେଷକ ଏଜାଜ ଆୟୁବ ଇଟିଭି ଭାରକୁ କହିଛନ୍ତି ଯେ, ‘‘ନିବେଶ ପାଇଁ ରାଜନୈତିକ ସ୍ଥିରତା ଏବଂ ଭିତ୍ତିଭୂମି ରହିବା ଉଚିତ। ଧାରା 370 ଉଚ୍ଛେଦ କରିବା ପରେ ନା ଆର୍ଥିକ ସ୍ଥିରତା ନା ନିବେଶ କିଛି ହେବ ନାହିଁ। କାରଣ ଏଠାରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ’’
ବେକାରୀ ବୃଦ୍ଧି ----
ବଡ ସଂଖ୍ୟକ ବେକାରୀ ବୃଦ୍ଧି ଜାମ୍ମୁ କାଶ୍ମୀରର ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଖରାପ ଶିଳ୍ପ ଅଭିବୃଦ୍ଧି ଏବଂ ନିବେଶ ଅଭାବ ଯୋଗୁଁ ରାଜ୍ୟ ଆର୍ଥିକ ସଙ୍କଟରେ ଜୁଝୁଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ର ତଥ୍ୟ ଦର୍ଶାଇଛି ଯେ, ଧାରା 370 ଉଚ୍ଛେଦ ପରେ 2019 ଅଗଷ୍ଟରେ ରାଜ୍ୟରେ ବେକାରୀ ହାର ବୃଦ୍ଧି ପାଇ 22.4 ପ୍ରତିଶତ ଓ 2020 ଜୁନରେ ଏହା 18 ପ୍ରତିଶତ ବଢିଛି ।
‘‘ଜାମ୍ମୁକାଶ୍ମୀରର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି 20 ପ୍ରତିଶତ ରହିଛି । ସିଏମଆଇଇ ଅନୁସାରେ ବେକାରୀ ହାର 22 ପ୍ରତିଶତରୁ ଅଧିକ ହୋଇଯାଇଛି । କୌଣସି ନିବେଶ ଆସିନି । ଗ୍ଲୋବାଲ ଇନଭେଷ୍ଟମେଣ୍ଟ ସମିଟ ଆୟୋଜନ ମଧ୍ୟ କରାଯାଇପାରିନାହିଁ । ଫଳରେ ଜାମ୍ମୁକାଶ୍ମୀର ଅର୍ଥବ୍ୟବସ୍ଥା ପଙ୍ଗୁ ହୋଇପଡିଛି ବୋଲି ଅୟୁବ କହିଛନ୍ତି ।
ଏ ବର୍ଷ ମାର୍ଚ୍ଚ ମାସରେ ନୂଆ ଡୋମିସିଆଲ ଅଧିନିୟମ ଲାଗୁ ପରେ ସାଧାରଣ ଲୋକ ଅଧିକ ନିରାଶ ହୋଇଛନ୍ତି । ଏହା ପୂର୍ବରୁ ଜାମ୍ମୁ ଓ କାଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କ ପାଥରେ ସରକାରୀ ଚାକିରୀରରେ ଏକମାତ୍ର ଅଧିକାର ଥିଲା । କିନ୍ତୁ ନୂଆ ଆଇନ ଅନୁସାରେ ବାହାର ଲୋକ ମଧ୍ୟ କେନ୍ଦ୍ର ସରକାରଙ୍କ ସ୍ଥାନୀୟ ସରକାରରେ ଚାକିରୀ ପାଇଁ ସକ୍ଷମ ଥିଲେ ଆବେଦନ କରିପାରିବେ ।
ପୂର୍ବ ଆଇଏଏସ ଅଧିକାରୀ ଖାଲିଦ ହୁସେନ କହିଛନ୍ତି କି, ‘‘ ଧାରା 370 ଓ 35 ଏ ଉଚ୍ଛେଦର କିଛି ମାସ ପରେ ସରକାର ଘୋଷଣା କରିଥିଲେ କି, ବିଭିନ୍ନ ସରକାରୀ ବିଭାଗରେ 8,000 ଅତିରିକ୍ତ ପଦବୀ ପୂରଣ ହୋଇଯିବ । କିନ୍ତୁ ଜାମ୍ମୁକାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ସହ ଏଠାକାର ଲୋକ ମଧ୍ୟ ଚାକିରୀ ଉପରେ ନିଜର ବିଶେଷ ଅଧିକାର ହରାଇଦେଲେ । ଏବେ ବାହାର ଲୋକ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । ସ୍ପଷ୍ଟ ଭାବେ ଅଧିକାଂଶ ପଦବୀ ଅଣ-ସ୍ଥାନୀୟ ହେବେ । ଫଳରେ ଏଠାରେ ବେକାରୀ ହ୍ରାସ ହେବା ବଦଳରେ ଅଧିକ ବଢିଚାଲିବ ।
ଇଟିଭି ଭାରତ ଯେବେ ମୋହିନ୍ଦର ଜିତ ସିଂହ ନାମକ ଜଣେ ଯୁବକଙ୍କୁ ଜାମ୍ମକାଶ୍ମୀର ବିଷୟରେ ପଚାରିଥିଲା ସେତେବେଳେ ତାଙ୍କ ମୁହଁରେ ଦେଖିବାକୁ ପାଇଥିଲା ନିରାଶର ଛାୟା । ଯବୁକ ଜଣଙ୍କ ଅତି କ୍ଷୁବ୍ଧ ହୋଇ କହିଛନ୍ତି କି, ସରକାର କେବଳ ବାସିନ୍ଦା ପ୍ରମାଣ ଦେଇ ବାହାର ଲୋକଙ୍କୁ ପୁରସ୍କୃତ କରୁଛନ୍ତି । ଯେତେବେଳେ କି ଜାମ୍ମୁକାଶ୍ମୀରର ପ୍ରାଥମିକ ମୂଳ ନିବାସୀଙ୍କ ସ୍ଥିତି ଦୟନୀୟ ହୋଇପଡିଛି ।
ଜାମ୍ମୁର ଆଉ ଜଣେ ଯୁବ ବାସିନ୍ଦା ଆଫତାବ ଅହମ୍ମଦ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ କାଶ୍ମୀରବାସୀଙ୍କୁ ଚନ୍ଦ୍ର ଏବଂ ତାରାର ପ୍ରତିଶୃତି ଦେଇଥିଲେ । ବର୍ତ୍ତମାନ ଗୋଟିଏ ବର୍ଷ ପରେ ଆମେ ଏହା ଦେଖିପାରିବା ଯେ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି, ‘‘ଆମର ଅର୍ଥନୀତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ବେକାରୀ ଦ୍ରୁତ ଗତିରେ ବଢୁଛି । ଫଳରେ ଜାମ୍ମୁ କାଶ୍ମୀରର ଯୁବକମାନେ ଚାକିରୀ ଖୋଜିବାକୁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି।’’
ଶିବସେନାର ଜାମ୍ମୁ କାଶ୍ମୀରର ସଭାପତି ମନୀଷ ସାହନି ମଧ୍ୟ ସମାନ ମତ ଦେଇଛନ୍ତି। ସେ କହିଛନ୍ତି କି, ‘‘ ଜାମ୍ମୁକାଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ଯିବା ପରେ ଆମେ ସମୃଦ୍ଧିର ଆଶା ରଖିଥିଲୁ । କିନ୍ତୁ ମନେହଉଛି ବିଜେପି ସବୁ ଆଶା , ସ୍ବପ୍ନକୁ ଧ୍ବଂସ କରିଦେଇଛି । ଏଠାକାର ଅଧିକାରୀ ସରକାରଙ୍କୁ ସମର୍ଥନର କାରଣ ଥିଲା ସେମାନଙ୍କ ଓ ରାଜ୍ୟର ବିକାଶ । ହେଲ ଏବେ ଏହାର ଆରମ୍ଭ ନେଇ କୌଣସି ସଙ୍କେତ ନାହିଁ । ’’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ