ନୂଆଦିଲ୍ଲୀ: ସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ସୁରକ୍ଷା ପାଇଁ ଦେଶରେ ଲାଗୁ ହେବ ‘ଏକ ରାଷ୍ଟ, ଏକ ବେତନ ଦିବସ’ । ଏ ନେଇ ସରକାର ବିଚାର କରୁଥିବା ନେଇ ଶୁକ୍ରବାର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି ।
ସେଣ୍ଟ୍ରାଲ ଆସୋସିଏସନ ଅଫ ପ୍ରାଇଭେଟ ସିକ୍ୟୁରିଟି ଇଣ୍ଡ୍ରଷ୍ଟ୍ରି ଦ୍ବାରା ଆୟୋଜିତ ସିକ୍ୟୁରିଟି ଲିଡରସିପ ସମିଟ-2019କୁ ସମ୍ବୋଧନ କରି ଗଙ୍ଗୱାର ଏଭଳି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ସମଗ୍ର ଦେଶରେ ପ୍ରତି ମାସରେ ସମସ୍ତ ଲୋକଙ୍କୁ ଗୋଟିଏ ଦିନରେ ଦରମା ମିଳିବା ଦରକାର । ଯେପରି ସେମାନେ ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ତାର ଉପଯୋଗ କରିପାରିବେ । ଏ ନେଇ ପ୍ରସ୍ତୁତ ବିଧେୟକ ଶୀଘ୍ର ପାସ କରିବା ନେଇ ପିଏମ ଆଶା ରଖିଛନ୍ତି । ଏହା ଅନୁଯାୟୀ ବିଭିନ୍ନ କ୍ଷେତ୍ରରେ ସାର୍ବଭୌମିକ ନ୍ୟୁନତମ ବେତନ ଲାଗୁ କରିବା ନେଇ ବି ବିଚାର କରାଯାଇପାରିବ । ଯାହା ଫଳରେ ଶ୍ରମିକଙ୍କ ଜୀବନଧାରଣ ଉନ୍ନତଧରଣର ହୋଇପାରିବ ।
କେନ୍ଦ୍ର ସରକାର ବେତନ ସହିଂତା ଓ ବ୍ୟବସାୟିକ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟସ୍ଥଳ ସ୍ଥିତି( ଓଏସଏଚ) ସହିଂତାକୁ ଲାଗୁ କରିବା ନେଇ ପ୍ରକ୍ରିୟା ଜାରି ରଖିଛନ୍ତି । ତେବେ ପୂର୍ବରୁ ବେତନ ସଂହିତାକୁ ସଂସଦରେ ମଞ୍ଜୁରୀ ମିଳିସାରିଛି । ସେହିପରି 2019 ଜୁଲାଇ 13ରେ ଓଏସଏଚ ସଂହିତାକୁ ଲୋକସଭାରେ ଆଗତ କରାଯାଇଥିଲା । ଏହା ସୁରକ୍ଷା ଓ କାର୍ଯ୍ୟପ୍ରଣାଳୀ ସ୍ଥିତି ଉପରେ 13 କେନ୍ଦ୍ରୀୟ ଆଇନକୁ ଏକ କରିବ ।