ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ କଟକଣା ଯୋଗୁଁ ଦେଶର ପ୍ରମୁଖ 7 ସହରରେ ଘର ବିକ୍ରି ଉପରେ ଖରାପ ପ୍ରଭାବ ପଡିଛି । 2019ର ପ୍ରଥମ ଛମାସ ତୁଳନାରେ 2020ର ପ୍ରଥମ 6 ମାସରେ ଘର ବିକ୍ରିରେ 49 ପ୍ରତିଶତ ହ୍ରାସ ହୋଇଛି । ପ୍ରପର୍ଟି କନ୍ସଲେଣ୍ଟସ Anarock ରିପୋର୍ଟରେ ଏ ନେଇ ଦର୍ଶାଯାଇଛି ।
ରିପୋର୍ଟ ମୁତାବକ, 2020ରେ ଜାନୁଆରୀରୁ ଜୁନ ମଧ୍ୟରେ 57,940 ୟୁନିଟ ଘର ବିକ୍ରି ହୋଇଛି । ଦେଶର ପ୍ରମୁଖ 7 ସହରରେ ଘର ବିକ୍ରି କ୍ଷେତ୍ରରେ 46ରୁ 51 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଛି ।
2020ର ପ୍ରଥମ ତ୍ରୟମାସ ତୁଳନାରେ ଦ୍ବିତୀୟ ତ୍ରୟମାସରେ ମାତ୍ର 22 ପ୍ରତିଶତ ବିକ୍ରି ହୋଇଛି । 2020 ଜାନୁଆରୀ-ମାର୍ଚ୍ଚ ତୁଳନାରେ ଏପ୍ରିଲ-ଜୁନ ମଧ୍ୟରେ ବିକ୍ରିରେ 72 ପ୍ରତିଶତ ହ୍ରାସ ହୋଇଛି । ଯେତେବେଳେ କି 2019 ଦ୍ବିତୀୟ ତ୍ରୟମାସ ତୁଳନାରେ 2020 ଏହି ଅବଧିରେ ବିକ୍ରି 81 ପ୍ରତିଶତ ଖସିଛି ।
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଏନସିଆର, ମୁମ୍ବାଇ ମେଟ୍ରୋପଲିଟନ ରିଜନ, ବେଙ୍ଗାଲୁରୁ, ପୁନେ, ହାଇଦ୍ରାବାଦ, ଚେନ୍ନାଇ, କୋଲକତାରେ ଏହି ସର୍ଭେ କରାଯାଇଛି ।