ନୂଆଦିଲ୍ଲୀ: ଚାଷୀଙ୍କ ଆୟକୁ 2 ଗୁଣା କରିବା ପାଇଁ ସରକାରଙ୍କ ଆଉ ଏକ ବଡ ପଦକ୍ଷେପ । ବୁଧବାର କେନ୍ଦ୍ର ସରକାର ‘ମିଲିଙ୍ଗ ଶୁଖିଲା ନଡିଆ’ (କୋପ୍ରା)ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କ୍ବିଣ୍ଟାଲ ପିଛା 375 ଟଙ୍କା ଓ ‘ବଲ୍ କୋପ୍ରା’ର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ କ୍ବିଣ୍ଟାଲ ପିଛା 300 ଟଙ୍କା ବୃଦ୍ଧି କରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି 2021 କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ମଞ୍ଜୁରୀ ପ୍ରଦାନ କରିଛି । ଏହା ଫଳରେ ଏଫଏକ୍ୟୁ ମାନର ମିଲିଙ୍ଗ ଶୁଖିଲା ନଡିଆର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ବିଣ୍ଟାଲ ପିଛା ବୃଦ୍ଧି ହୋଇ 10,335 ଟଙ୍କା ହୋଇଛି । ଯାହାକି 2020 ଋତୁରେ 9,960 ଟଙ୍କା କ୍ବିଣ୍ଟାଲ ପ୍ରତି ରହିଥିଲା । ସେହିପରି 2021 ଋତୁ ପାଇଁ ବଲ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହୋଇ କ୍ବିଣ୍ଟାଲ ପ୍ରତି 10,600 ଟଙ୍କାରେ ପହଞ୍ଚିଛି । ଗତ ବର୍ଷ ଏହାର ଦାମ 10,300 ଟଙ୍କା ଥିଲା ।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି କି ମିଲିଙ୍ଗ କୋପ୍ରାର ଏମଏସପି ଉତ୍ପାଦନ ଖର୍ଚ୍ଚ ଅପେକ୍ଷା 52 ପ୍ରତିଶତ ଅଧିକା ରହିଛି । ଯେତେବେଳେ କି ବଲ କୋପ୍ରାର ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚ ଠାରୁ 55 ପ୍ରତିଶତ ଅଧିକା ଅଛି ।
ସମଗ୍ର ବିଶ୍ବରେ ଭାରତ କୋପ୍ରା ଉତ୍ପାଦନରେ 1 ନମ୍ବର ରହିଛି । ବିଶେଷ କରି 12 ଉପକୂଳବର୍ତ୍ତୀ ରାଜ୍ୟରେ ଏହାର ପ୍ରଡକ୍ସନ ଅଧିକା ହୋଇଥାଏ ।