ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି ବେକାରୀ । ସରକାରୀ ଭାବେ ପ୍ରକାଶିତ ରିପୋର୍ଟ ବି ଏନେଇ ତଥ୍ୟ ଦେଲା । ହେଲେ ଏହାକୁ ମାନିବାକୁ ନାରାଜ ସରକାର । ଜାତୀୟ ନମୂନା ସର୍ବେକ୍ଷଣ ସଂଗଠନ (ଏନଏସଏସଓ)ର ଏହି ରିପୋର୍ଟକୁ ସଂଶୋଧନ କରି ପୁଣି ଥରେ ସର୍ଭେ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଅର୍ଥନୈତିକ ପରିଷଦର ମୁଖ୍ୟ ବିବେକ ଦେବରାୟ କହିଛନ୍ତି ।
ଚାକିରି, ରୋଜଗାର , ନିଯୁକ୍ତି ଏବଂ ଅନୁକୂଳ ବ୍ୟବସାୟିକ ବାତ୍ତାବରଣ ସୃଷ୍ଟି କ୍ଷେତ୍ରରେ ରାଜ୍ୟଗୁଡିକର ପ୍ରମୁଖ ଭୂମିକା ରହିଛି । ଏଣୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ବଢିଛି । ଏହାର ସଫଳ ଚିତ୍ର ଆଗାମୀ ଏନଏସଏସଓ ରିପୋର୍ଟରେ ପ୍ରତିଫଳିତ ହେବ । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଫେସବୁକ ପେଜରେ ପୋଷ୍ଟ ହୋଇଥିବା ଏକ ଭିଡିଓ କ୍ଲିପରେ ଦେବରାୟ ଏନେଇ କହିଛନ୍ତି । ଏହି ଭିଡିଓ ଦୁଇ ସପ୍ତାହ ପୂର୍ବରୁ ସୁଟିଂ ହୋଇଥିଲା ବୋଲି ଖବର ସରବରାହ ସଂସ୍ଥା ପିଟିଆଇକୁ ଦେଇଥିବା ସାକ୍ଷାତକାରରେ ଦେବରାୟ କହିଛନ୍ତି ।
ସେ କହିଛନ୍ତି ଯେ, 2011-12 ବର୍ଷ ପରେ ଭାରତରେ ସୃଷ୍ଟି ହୋଇଥିବା ନିଯୁକ୍ତି ସମ୍ପର୍କରେ କୌଣସି ସୂଚନା ନାହିଁ । ଭାରତରେ ଏପରି ଅଣସାଂଗଠିକ କ୍ଷେତ୍ରରେ ବହୁ ଶ୍ରମିକ କାର୍ଯ୍ୟରତ, ଯେଉଁମାନଙ୍କ ଆୟ, ହିସାବ, ନିଯୁକ୍ତି ସମ୍ପର୍କରେ ତଥ୍ୟ ନାହିଁ । ତେବେ ଚାକିରିର କ୍ବାଣ୍ଟିଟି ଗୁରୁତ୍ବପୂର୍ଣ୍ଣ ନୁହେଁ, ବରଂ କ୍ବାଲିଟି ଅର୍ଥାତ ସେମାନଙ୍କ ମାସିକ ଦରମା କେତେ ତାହା ଗଣନାଯୋଗ୍ୟ ।
ପ୍ରକାଶ ଥାଉ କି, ଗତ କିଛିଦିନ ତଳେ ଜାତୀୟ ନମୂନା ସର୍ବେକ୍ଷଣ ସଂଗଠନ ପକ୍ଷରୁ ଦେଶର ବେକାରୀ ରିପୋର୍ଟ ପ୍ରକାଶ ପାଇଥିଲା । ରିପୋର୍ଟ ମୁତାବକ, ବିଗତ 45 ବର୍ଷରେ ବେକାରୀ ହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏଥିସହ 2017-28ରେ ଦେଶର ବେକାରୀ ସଂଖ୍ୟା 6.1ରେ ପହଞ୍ଚିଛି । ଏ ନେଇ ତଥ୍ୟ ସାର୍ବଜନୀନ ହେବା ପରେ ଦେଶ ପରିସ୍ଥିତି ଅସମ୍ଭାଳ ହୋଇପଡିଥିଲା । ସରକାରଙ୍କ ବିରୋଧରେ ଲଢିବା ପାଇଁ ବିରୋଧୀଙ୍କୁ ଖୋରାକ ମିଳିଯାଇଥିଲା । ତେବେ ଏହି ରିପୋର୍ଟ ସମ୍ପୂର୍ଣ୍ଣ ନଥିବା ଦର୍ଶାଇ ପୁଣି ଥରେ ଏ ନେଇ ସର୍ଭେ ହେବ ବୋଲି ପ୍ରକାଶ ପାଇଛି ।