ନୂଆଦିଲ୍ଲୀ: ବଜେଟକୁ ରହିଲା ଆଉ ମାତ୍ର 3 ଦିନ । ନୂଆ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କାହାକୁ ଦେବେ ପ୍ରାଥମିକତା ? କଣ ଆସିବ ନୂଆ ସ୍କିମ ? ଏଥିପାଇଁ ଚାଲିଛି କଳ୍ପନା ଜଳ୍ପନା । ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଆଦି ପ୍ରତ୍ୟେକଟି ଦିଗ ଉପରେ ରହିଛି ନଜର । ତେବେ ଦେଶରେ ମୁଣ୍ଡ ଟେକିଥିବା ଜଳକଷ୍ଟ ସମସ୍ୟାକୁ ଦୂର ପାଇଁ ବଜେଟରେ ଆସିପାରେ ମେଗା ସ୍କିମ ।
ଏହି ସ୍କିମରେ 10 ହଜାର ଟଙ୍କାର ବ୍ୟୟବରାଦ ହୋଇପାରେ । ଆଗାମୀ 3ରୁ 5 ବର୍ଷ ପାଇଁ ଯେପରି ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ, ସେଥିଲାଗି ସଙ୍କେତ ଦେଇଛନ୍ତି ସରକାର । ପୂର୍ବରୁ ଏ ସମ୍ପର୍କରେ ଦୃଷ୍ଟି ନିକ୍ଷେପ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ କି ବାତ କାର୍ଯ୍ୟକ୍ରମରେ ଏ ନେଇ ସଙ୍କେତ ଦେଇଥିଲେ । ଦ୍ବିତୀୟ ଥର କ୍ଷମତାକୁ ଆସିଲେ ଦେଶର ଜଳ ସଙ୍କଟକୁ ଦୂର କରିବାକୁ ଦେଇଥିଲେ ପ୍ରତିଶ୍ରୁତି । ଆଉ ଏବେ ବଜେଟ ଜରିଆରେ ସରକାର ନିଜର ପ୍ରତିଶ୍ରୁତି ପୂରଣର ମୁଳଦୂଆ ପକାଇବାକୁ ଆରମ୍ଭ କରିଛନ୍ତି ପ୍ରଚେଷ୍ଟା ।
ଏପଟେ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଜଳ ସଂରକ୍ଷଣ ସ୍କିମ ଆରମ୍ଭ କରିଛନ୍ତି । ଏହା ଅନୁଯାୟୀ 256 ଜିଲ୍ଲାର 1592 ବ୍ଲକର ଭୂତଳ ଜଳ ଉପରେ ଫୋକସ ରହିବ । ଏଥିମଧ୍ୟରେ ରାଜସ୍ଥାନ, ତାମିଲ ନାଡୁ ଓ ତେଲଙ୍ଗାନାର ଅଧିକ ଜିଲ୍ଲା ରହିଛି ।