ନୂଆଦିଲ୍ଲୀ: ଏବେ ଅର୍ଥବ୍ୟବସ୍ଥା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି । ଏଣୁ ଆସନ୍ତା 5 ବର୍ଷରେ 5 ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥା ଅବାସ୍ତବ । ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ସି ରଙ୍ଗରାଜନ ଏହି ମତ ଦେଇଛନ୍ତି ।
ଏ ସମ୍ବନ୍ଧରେ ରଙ୍ଗରାଜନ ନିଜ ବିବୃତିରେ କହିଛନ୍ତି, ‘‘ଆଜି ଆମ ଅର୍ଥବ୍ୟବସ୍ଥା ବର୍ତ୍ତମାନ 2.7 ଟ୍ରିଲିଅନ ଡଲାର । 5 ବର୍ଷରେ ଏହାକୁ ଡବଲ କରିବାକୁ କୁହାଯାଉଛି । ଆଉ ଏହି ଲକ୍ଷ୍ୟକୁ ହାସଲ ପାଇଁ ବାର୍ଷିକ 9 ପ୍ରତିଶତରୁ ଅଧିକ ଜିଡିପି ରହିବାକୁ ହେବ । ଆଉ ଯଦିଓ ଏହାକୁ ପୂରଣରେ ଭାରତ ସଫଳ ହେଉଛି, ତେବେ ମୁଣ୍ଡପିଛା ଆୟ 1,800 ରୁ ବଢି 3,600 ଡଲାର ହୋଇଯିବ । ଏହା ପରେ ବି ଦେଶର ନିମ୍ନ ମଧ୍ୟବିତ୍ତ ରାଷ୍ଟ୍ର ଭାବେ ପରିଗଣିତ ହେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଅର୍ଥବ୍ୟବସ୍ଥାର ଆକାର 5 ଟ୍ରିଲିୟନ ଡଲାର ନେଇ ଲକ୍ଷ୍ୟ ରଖିଛନ୍ତି । ହେଲେ ଏବେ ସବୁ ସେକ୍ଟରର ସଙ୍କଟ ଯେପରି ଦେଶ ମେରୁଦଣ୍ଡକୁ ଦୁର୍ବଳ କରିରଖିଛି । ମୋଟ ଘରୋଇ ଉତ୍ପାଦ ଯେଉଁ ପରିମାଣରେ ହ୍ରାସ ପାଇଲାଗିଛି, ତାକୁ ଦେଖିବାକୁ ଗଲେ 5 ବର୍ଷରେ 5 ଟ୍ରିଲିଅନ ଅର୍ଥନୀତି ଯେପରି ଅସମ୍ଭବ ହୋଇପଡିଛି ।
ଆଇବିଏସ-ଆଇସିଏଫଆଇ ବିଜନେସ ସ୍କୁଲ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପୂର୍ବତନ ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ମୋଦି ସରକାର ପୂର୍ବ 2 ବର୍ଷକୁ ହରାଇଛନ୍ତି । ଏବର୍ଷ ବି ଦେଶର ବିକାଶ ଦର 6 ପ୍ରତିଶ ରହିବ । ସେହିପରି ଆସନ୍ତା ବର୍ଷ ଏହା ପ୍ରାୟ 7 ପ୍ରତିଶତ ରହିବ । ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି 5 ପ୍ରତିଶତ ରହିବ । ଆଗକୁ ମଧ୍ୟ ଦ୍ବିତୀୟ ତ୍ରୟମାସରେ ଏହା 4.3 ପ୍ରତିଶତକୁ ଖସିବ ବୋଲି ଅନୁମାନ କରାଯାଉଛି । ଏପରି ଧାରାରରେ ଗଲେ କିପରି ସମ୍ଭବ 5 ଟ୍ରିଲିଅନ ଅର୍ଥବ୍ୟବସ୍ଥା ?