ନୂଆଦିଲ୍ଲୀ: ଆଉ ମାତ୍ର 20 ଦିନ। ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ପୂର୍ଣ୍ଣାଙ୍ଗ ବଜେଟ । 2019- 20 ଆର୍ଥିକ ବର୍ଷର ଆୟବ୍ୟୟର ଅଟକଳ। ତେବେ ନୂଆ ସରକାର ତଥା ମୋଦି ରାଜର ଦ୍ବିତୀୟ ଇଂନିସରେ ଏହା ପ୍ରଥମ ବଜେଟ । ଏଥିପାଇଁ ଏହା ଉପରେ ରହିଛି ସମଗ୍ର ଦେଶବାସୀଙ୍କ ନଜର ।
ମୋଦି ସରକାରଙ୍କ ଫେବୃଆରୀରେ ଆଗତ ଅନ୍ତରୀଣ ବଜେଟରେ ମଧ୍ୟବିତ୍ତ ଓ କୃଷକ ଶ୍ରେଣୀକୁ ଖୁସ କରାଯାଇଥିଲା ବେଳେ ଶିଳ୍ପକୁ ଏତେଟା ଫାଇଦା ମିଳିନଥିଲା । ଏପରିକି ଆର୍ଥିକ ସଂସ୍ଥା, କର୍ପୋରେଟ ସେକ୍ଟର ପାଇଁ କୌଣସି ଆଖିଦୃଶିଆ ଘୋଷଣା ହୋଇନଥିଲା। ହେଲେ ଏବେ ଦେଶର ଅଭିବୃଦ୍ଧି ଦର 5 ବର୍ଷର ସର୍ବନିମ୍ନରେ ପହଞ୍ଚିଲା ପରେ ଚେତୁଛନ୍ତି ସରକାର । ପୁଣି ଥରେ ଭାରତକୁ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଦୌଡରେ ସାମିଲ କରିବାକୁ କରୁଛନ୍ତି ପ୍ରୟାସ । ଅର୍ଥମନ୍ତ୍ରୀ ଉଦ୍ୟୋଗ ଜଗତ ଓ କୃଷି ପାଇଁ କରୁଛନ୍ତି ପ୍ରି ବଜେଟ ମିଟିଂ । ଆସିଥିବା ପ୍ରତିନିଧିଙ୍କ ଠାରୁ ଲୋଡୁଛନ୍ତି ମତାମତ। କଣ ଚାହାଁନ୍ତି ସେମାନେ ? ସରକାରଙ୍କ ଠାରୁ କଣ ଆଉ ଆଶା କରନ୍ତି , ଏଥିପାଇଁ ଜଣ ଜଣଙ୍କ ଠାରୁ ନେଇଛନ୍ତି ମତାମତ। ତେବେ ଚଳିତ ବଜେଟରେ ଇନସ୍ୟୁରାନ୍ସ ଉପରେ ଫୋକସ କରିଛନ୍ତି ସରକାର।
ପ୍ରାକୃତିକ ବିପର୍ଯ୍ୟୟ ଭଳି ଆପଦ ଓ ଦୁର୍ଘଟଣାରେ ଲୋକେ ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହେଉଛନ୍ତି । କେରଳ ଓ ଓଡିଶା ଭଳି ବିପର୍ଯ୍ୟସ୍ତ ରାଜ୍ୟର ଭବିଷ୍ୟତ ପାଇଁ ଟ୍ୟାକ୍ସ ଫ୍ରି ଇନସ୍ୟୁରାନ୍ସ ଅଧିକା ସାହାଯ୍ୟ ହେବ । ବାତ୍ୟା, ବନ୍ୟା ଓ ଅଗ୍ନିକାଣ୍ଡ ଆଦିରେ ଧ୍ବସ୍ତ ବିଧ୍ବସ୍ତ ଘରକୁ ପୁଣି ଥରେ ଠିଆ କରିବା କ୍ଷେତ୍ରରେ ଏହା ସହଯୋଗ କରିବ । ହୋମ ଇନସ୍ୟୁରାନ୍ସରେ ପ୍ରିମିୟମ ଉପରେ ଟ୍ୟାକ୍ସ ଫ୍ରି କରିବାକୁ ସରକାର ଯୋଜନା କରୁଥିବା ନେଇ ସୂଚନା ମିଳିଛି ।
ଇନକମ ଟ୍ୟାକ୍ସ 80c/80D ର ଲିମିଟକୁ ବଢାଇ ଏହାକୁ ଛାଡ କରାଯାଇପାରିବ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ । ଏହା ଦ୍ବାରା ଲୋକେ ହୋମ ଇନସ୍ୟୁରାନ୍ସ ପାଇଁ ଉତ୍ସାହିତ ହେବା ସହ ବୀମା କମ୍ପାନୀର ମଧ୍ୟ କ୍ଷମତା ବୃଦ୍ଧି ପାଇବ । ଏଥିସହ ଘର ଲୋନ ନେବାକୁ ଲୋକେ ଉତ୍ସାହିତ ହେବେ ।