ନୂଆଦିଲ୍ଲୀ: ଅସୁବିଧାରେ ନାହିଁ ଅର୍ଥବ୍ୟବସ୍ଥା। 5 ଟ୍ରିଲିୟନ ଡଲାର ଅର୍ଥନୀତି ପାଇଁ ସବୁଜ ସଙ୍କେତ ସଫା ସଫା ଦେଖାଦେଉଛି । ମଙ୍ଗଳବାର ଲୋକସଭାରେ ବଜେଟ ବିତର୍କ ସମୟରେ ଏନେଇ ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଏଥିସହ ବିରୋଧିଙ୍କ ଅଭିଯୋଗକୁ ଖଣ୍ଡନ କରି ଅର୍ଥମନ୍ତ୍ରୀ ଦେଇଛନ୍ତି କଡା ଜବାବ। ଅର୍ଥବ୍ୟବସ୍ଥାର ସ୍ବାସ୍ଥ୍ୟ 'କୁଶଳ ଡାକ୍ତର'ଙ୍କ ହାତରେ ରହିଛି । ସରକାରଙ୍କ ଦ୍ବାରା ହୋଇଥିବା ସଂସ୍କାର ଯୋଗୁଁ ଅର୍ଥବ୍ୟବସ୍ଥା ସୁଦୃଢ ହେଉଛି ।
ସରକାର ଉଠାଇଥିବା ପଦକ୍ଷେପକୁ ବଖାଣି ସେ କହିଛନ୍ତି ଯେ, ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ), ମାନୁଫାକ୍ଚରିଂ ଉଦ୍ୟୋଗରେ ଅଭିବୃଦ୍ଧି,ମୁଦ୍ରାସ୍ପୀତି ହାରାହାରି 4.8 ପ୍ରତିଶତ, ଗତ 3 ମାସ ଧରି ଜିଏସଟି ସଂଗ୍ରହ ଲକ୍ଷେ କୋଟିକୁ ଟପିଛି । ଅର୍ଥନୀତି ଏଭଳି ବିଭିନ୍ନ ମାନଦଣ୍ଡ ହିଁ ଅର୍ଥନୀତି ସୁଧାରର ପ୍ରମାଣ ଦେଉଛି ।
ଲୋକସଭାରେ 2020-21 କେନ୍ଦ୍ର ବଜେଟ ଉପରେ ହୋଇଥିବା ଚର୍ଚ୍ଚାର ଜବାବ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ମୋଦି ସରକାରଙ୍କ ଆର୍ଥିକ ଅନୁଶାସନ ଟ୍ରାକରେ ମଜବୁତ ଭାବେ ଚାଲିଛି । ଏଥିସହ ଅର୍ଥବ୍ୟବସ୍ଥା ଗାଡିର ସମସ୍ତ ଇଞ୍ଜିନର ଗତି ମଧ୍ୟ ବଢାଇବାକୁ ବ୍ୟବସ୍ଥା କରାଯାଇଛି । ମହିଲା, ଅନୁସୂଚିତ ଜାତି, ଜନଜାତି, ଶିଶୁ ସମେତ ସମାଜ ଓ ଅନ୍ୟ ସମସ୍ତ ବର୍ଗର କଲ୍ୟାଣ ପାଇଁ ମୋଦି ସରକାରକ ନିରନ୍ତର ଆବଣ୍ଟନ କରୁଛନ୍ତି ।
ସମସ୍ତ ତଥ୍ୟ ଓ ସୂଚନା ସହ ଅର୍ଥମନ୍ତ୍ରୀ ରୋକଠୋକ ଜଣାଇଛନ୍ତି, " ଅର୍ଥବ୍ୟବସ୍ଥୀ ସଙ୍କଟରେ ନାହିଁ । କେବଳ ସରକାର ଉଠାଉଥିବା ଭଲ ପଦକ୍ଷେପକୁ ବିରୋଧି ସ୍ବୀକାର କରିବାକୁ ପ୍ରସ୍ତୁତ ନାହାଁନ୍ତି। "
ଦେଶର ମେରୁଦଣ୍ଡକୁ ସୁଦୃଢ ପାଇଁ ସରକାର 4ଟି ଇଞ୍ଜିନର ଗତିକୁ ବୃଦ୍ଧି ପାଇଁ ଚେଷ୍ଟା କରୁଛନ୍ତି । ଏଥିରେ ଘରୋଇ ଉପଭୋଗ ବୃଦ୍ଧି, ସାର୍ବଜନୀନ ଏବଂ ଘରୋଇ ନିବେଶ ବଢାଇବା ଓ ରପ୍ତାନୀ ବୃଦ୍ଧି ସାମିଲ ରହିଛି ।
ଯେବେ ଅର୍ଥମନ୍ତ୍ରୀ ଏଫଆରବିଏମ ଆଇନ ପ୍ରସଙ୍ଗ ଉଠାଇଲେ, ସେହି ସମୟରେ ଏଆଇଏମଆଇଏମର ସାଂସଦ ଅସରୁଦ୍ଦିନ ଓବିସି କହିଥିଲେ କି, ସରକାର ଏଫଆରବିଏମ କାଉନସିଲ ଗଠନ କରି ସଂସଦରେ ଏହାର ଅନୁମତି ନେଇଯାଇଛନ୍ତି । ଏହାର ଜବାବରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏଫଆରବିଏମ ଆଇନରେ କୌଣସି କାଉନସିଲର ବ୍ୟବସ୍ଥା ନାହିଁ । 2017ରେ ଏଫଆରବିଏମ କମିଟି ଏହାର ପରାମର୍ଶ ଦେଇଛି । ଏହା ସହ ଏହାର ସ୍ବୀକାର ମଧ୍ୟ କରିନାହିଁ।
ପ୍ରକାଶ ଯେ, ସୋମବାର ରାଜ୍ୟସଭାରେ ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ ସରକାରଙ୍କୁ ଟାର୍ଗେଟ କରି ଅର୍ଥନୀତିର ସ୍ଥିତିକୁ ନେଇ ବର୍ଷିଥିଲେ । ସେ କହିଥିଲେ ଯେ, ଅର୍ଥନୀତିକୁ ସୁସ୍ଥ ରଖିବା କ୍ଷେତ୍ରରେ ସରକାର "ଅକ୍ଷମ ଡାକ୍ତର" । ଏବେ ଦେଶର ଭୟ ଓ ଅନିଶ୍ଚିତତାର ମାହୋଲ ଲାଗି ରହିଛି । ଏପରି ସମୟରେ କାହିଁକି କିଏ ନିବେଶ କରିବ? ବିମୁଦ୍ରାକରଣ ଏକ ବଡ ଭୁଲ । ହେଲେ ସରକାର ଏହାକୁ ମାନିବାକୁ ନାରାଜ । ଏସବୁର ପରିଣାମ ସ୍ବରୂପ ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ନଭେମ୍ବର ମଧ୍ୟରେ ଏଫଡିଆଇ 24.4 ଅରବ ଡଲାର ରହିଛି । ଯାହା ଏହି ଅବଧିରେ ବର୍ଷେ ତଳେ 21.2 ଅରବ ଡଲାର ରହିଥିଲା ।
ଅଧିକ ପଢନ୍ତୁ : ‘ଭୁଶୁଡିପାରେ ଅର୍ଥବ୍ୟବସ୍ଥା, ଭୟଭୀତ ଦେଶ’
ତେବେ ଏହାର ଓଲଟା ଜବାବରେ ସୀତାରମଣ 2024 ସୁଦ୍ଧା 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାର ସ୍ବପ୍ନକୁ ସତ ନେଇ ସୁନିଶ୍ଚିତତା ଦର୍ଶାଇ କହିଛନ୍ତି ଯେ, 2014-15ରେ ଦେଶର ଅର୍ଥବ୍ୟବସ୍ଥା 2000 ଅରବ ଡଲାର ଥିଲା । ଯାହା 2018-19ରେ 2700 ଅରବ ଡଲାର ଓ 2019-20ରେ 2900 ଅରବ ଡଲାର । ଏହି ଗତି ଅନୁଯାୟୀ ଅର୍ଥବ୍ୟବସ୍ଥା ଆକାର ବଢୁଛି ।