ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀ ସରକାର 2021-22 ପାଇଁ 69,000 କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛି । ବଜେଟରେ ଦିଲ୍ଲୀ ସରକାର ନିଜ ସମସ୍ତ ହସ୍ପିଟାଲରେ ଲୋକଙ୍କୁ କୋଭିଡ-10 ଟିକା ମାଗଣାରେ ଦେବାକୁ ଘୋଷଣା କରିଛନ୍ତି । ଆମ୍ ଆଦମୀ ମାଗଣା କୋଭିଡ୍ ଟିକା ଯୋଜନା' ପାଇଁ 50 କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ରାଜ୍ୟ ବଜେଟ ଉପସ୍ଥାପନ କରି କହିଛନ୍ତି କି, ଏହି ବଜେଟ ‘ଦେଶଭକ୍ତି’ ଉପରେ ଆଧାରିତ । ବଜେଟ ଜରିଆରେ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଆଉ ଏଥିରେ ଦେଶର ରାଜଧାନୀକୁ ସ୍ବପ୍ନର ରାଜଧାନୀ କରିବା ଦିଗରେ ପଦକ୍ଷେପ ନିଆଯାଇଛି ।
ସିସୋଦିଆ ଲଗାତାର ସପ୍ତମ ଥର ବଜେଟ ଆଗତ କରିଛନ୍ତି । ବଜେଟରେ ସିସୋଦିଆ ତାଙ୍କର ଏକ-ଚତୁର୍ଥାଂଶ ଶିକ୍ଷା କ୍ଷେତ୍ର ପାଇଁ ଓ 9,934 କୋଟି ଟଙ୍କା ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଆବଣ୍ଟିତ ପାଇଁ ପ୍ରସ୍ତାବ ଦିଆଯାଇଛି ।
ସିସୋଦିଆ ଉପମୁଖ୍ୟମନ୍ତ୍ରୀ ହେବା ସହ ଅର୍ଥମନ୍ତ୍ରାଳୟର କାର୍ଯ୍ୟଭାର ମଧ୍ୟ ସମ୍ଭାଳୁଛନ୍ତି । ସେ କହିଛନ୍ତି ଯେ ଦେଶ ସ୍ବାଧିନତା 75 ତମ ବର୍ଷ ପାଳନ କରିବାକୁ ଆମ୍ ଆଦମୀ ପାର୍ଟି (ଏଏପି) ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ମାର୍ଚ୍ଚ 12 ରୁ 75 ସପ୍ତାହ ପାଇଁ କାର୍ଯ୍ୟକ୍ରମ ଆୟୋଜନ ହେବ ।
ଦେଶଭକ୍ତ ବଜେଟ ଅନୁଯାୟୀ ରାଜ୍ୟ ସରକାର 45 କୋଟି ଟଙ୍କା ବ୍ୟୟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଜାତୀୟ ରାଜଧାନୀର 500 ସ୍ଥାନରେ ଉଚ୍ଚ ପୋଲ ସ୍ଥାପନ କରିବେ । ଏହି ପୋଲଗୁଡ଼ିକ କନ୍ନାଟ ପ୍ଲେସ ସ୍ଥିତ ସେଣ୍ଟ୍ରାଲ ପାର୍କର ଲାଇନରେ ରହିବ । ଯଦି କୌଣସି ବ୍ୟକ୍ତି ତାଙ୍କ ଘରୁ ଦୁଇ କିଲୋମିଟର ଦୂରରେ ବାହାରକୁ ଆସନ୍ତି, ତେବେ ସେ ତ୍ରିରଙ୍ଗା ଦେଖିବେ ଏବଂ ତାଙ୍କ ମନରେ ଦେଶପ୍ରେମର ଭାବନା ସୃଷ୍ଟି ହେବ ବୋଲି ସେ କହିଛନ୍ତି ।
ସେହିଭଳି ରାଜ୍ୟର ବିଦ୍ୟାଳୟରେ ଦେଶଭକ୍ତିର ଅଧ୍ୟୟନ ପାଇଁ “ଦେଶଭକ୍ତ ପିରିୟଡ” ମଧ୍ୟ ଆରମ୍ଭ ହେବ । ସେ କହିଛନ୍ତି ଯେ 75 ସପ୍ତାହର "ଦେଶଭକ୍ତି" ମହୋତ୍ସବରେ ଭଗତ ସିଂ ଏବଂ ବିଆର ଆମ୍ବେଦକରଙ୍କ ଜୀବନୀ ଉପରେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରତ୍ୟେକଙ୍କ ପାଇଁ 10 କୋଟି ଟଙ୍କା ପ୍ରଦାନ କରାଯାଇଛି ।