ବେଜିଂ: କୋରୋନା ଭାଇରସ ମହାମାରୀ ଯୋଗୁଁ ଲାଗୁ ଲକଡାଉନ ହଟିବା ପରେ ଆର୍ଥିକ ଗତିବିଧି ଗତିଶୀଳ ହୋଇଛି । କାରଖାନା , ଦୋକାନ ପୁଣି ଖୋଲିଛି । ଏଥିଯୋଗୁଁ ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ପୁଣି ଟ୍ରାକକୁ ଫେରିଛି । 2020 ଦ୍ବିତୀୟ ତ୍ରୟମାରେ ଚୀନ ଜିଡିପି 3.2 ପ୍ରତିଶତ ହାରରେ ବୃଦ୍ଧି ପାଇଛି । ଦେଶର ଜାତୀୟ ପରିସଂଖ୍ୟାନ ବ୍ୟୁରୋ (NBS) ଏ ନେଇ ଗୁରୁବାର ପ୍ରକାଶ କରିଛି ।
ଚୀନ ଦ୍ବାରା ଜାରି ରିପୋର୍ଟ ମୁତାବକ, ଆର୍ଥିକ ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ ଭାବେ ସୁଧୁରୁଛି । ଆର୍ଥିକ ବର୍ଷ ଆରମ୍ଭର ପ୍ରଥମ ତିନି ମାସରେ କୋରୋନା ସଂକ୍ରମଣ ଓ ଲକଡାଉନ ପ୍ରଭାବ ଜାରି ରହିଥିବାରୁ ଅଭିବୃଦ୍ଧି ହାର 6.8 ପ୍ରତିଶତ ଖସିଥିଲା ।
ଚୀନରେ କୋରୋନା ଭାଇରସ ମହାମାରୀ ଆରମ୍ଭ ଡିସେମ୍ବର ମାସରେ ହୋଇଥିଲା । ସଂକ୍ରମଣକୁ ରୋକିବାକୁ ଏଠାରେ ପ୍ରଥମେ ଅର୍ଥବ୍ୟବସ୍ଥାକୁ ବନ୍ଦ ରଖାଯାଇଥିଲା । ଆଉ ପରେ ମାର୍ଚ୍ଚ ମାସରେ ସବୁଠୁ ପ୍ରଥମେ ଏଠାରେ ଅର୍ଥବ୍ୟବସ୍ଥାକୁ ପୁଣି ଖୋଲାଯାଇଥିଲା ।
ସଦ୍ୟ ତଥ୍ୟ ଅନୁସାରେ ମ୍ୟାନୁଫେକ୍ଚରିଂ ଓ ଅନ୍ୟ ଉଦ୍ୟୋଗ କାାର୍ଯ୍ୟକଳାପ ପାଖାପାଖୀ ସ୍ବାଭାବିକ ସ୍ଥିତିକୁ ଫେରିଛି । କିନ୍ତୁ ବେକାରୀ ଆଶଙ୍କାକୁ ଦେଖିବାକୁ ଗଲେ ଉପଭୋକ୍ତା ଖର୍ଚ୍ଚ ଦୁର୍ବଳ ପଡିଛି ।