ନୂଆଦିଲ୍ଲୀ: କୋରୋନା କାଳରେ ଋଣ ଗ୍ରହୀତାଙ୍କୁ କେନ୍ଦ୍ର ସରକାରଙ୍କ ବଡ ଆଶ୍ବସ୍ତି । କୋରୋନା ସଙ୍କଟ ଯୋଗୁଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଘୋଷିତ 6 ମାସର ଋଣ କିସ୍ତି ସ୍ଥଗିତ ଅବଧିରେ ସୁଧ ଉପରେ ସୁଧ ଆଦାୟ ହେବ ନାହିଁ । ଏ ନେଇ କେନ୍ଦ୍ର ସରକାର ସହମତି ପ୍ରକାଶ କରିଛନ୍ତି ।
ସୁପ୍ରିମକୋର୍ଟରେ ଏକ ଆଫିଡେଭିଟରେ ଦାଖଲ କରି କୁହାଯାଇଛି କି, ଏମଏସଏମଇ ଋଣ, ଶିକ୍ଷା , ହାଉସିଂ , କଞ୍ଜ୍ୟୁମର , ଅଟୋ, କ୍ରେଡିଟ କାର୍ଡ ବକେୟା ଓ ଉପଭୋଗ ସାମଗ୍ରୀ ପାଇଁ ଲୋନ ଉପରେ ଲାଗୁ ଚକ୍ରବୃଦ୍ଧି ସୁଧ (ସୁଧ ଉପରେ ସୁଧ)କୁ ଛାଡ କରାଯିବ । ସରକାରଙ୍କ ଅନୁସାରେ 6 ମାସ ପାଇଁ ଲୋନ ମୋରାଟୋରିୟମ ସମୟରେ 2 କୋଟି ଟଙ୍କା ପର୍ଯ୍ୟନ୍ତ ଲୋନର ସୁଧ ଉପରେ ସୁଧକୁ ସମ୍ପୁର୍ଣ୍ଣ ଛାଡ କରାଯିବ ।
ଅର୍ଥମନ୍ତ୍ରାଳୟ ସୁପ୍ରିମକୋର୍ଟଙ୍କୁ ଦେଇଥିବା ଆଫିଡେଭିଟରେ କହିଛି କି, ସରକାର କ୍ଷୁଦ୍ର ଋଣଗ୍ରହୀତାଙ୍କୁ ସହଯୋଗ କରିବା ପରମ୍ପରାକୁ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । କୋରୋନା ମହାମାରୀ ସ୍ଥିତିରେ ସୁଧ ଛାଡ ଭାର ସରକାର କରିବେ , ତେବେ ଏହା କେବଳ ସମାଧାନ ଅଟେ । ଏଥିସହ କେନ୍ଦ୍ର ସରକାର କହିଛନ୍ତି କି ଉପଯୁକ୍ତ ଅନୁଦାନ ପାଇଁ ସଂସଦର ଅନୁମତି ମଗାଯିବ ।
ପ୍ରକାଶ ଯେ, କୋରୋନା ମହାମାରୀ ମଧ୍ୟରେ ଋଣଗ୍ରହୀତାଙ୍କୁ ରିଲିଫ ଦେବା ପାଇଁ ଆରବିଆଇ 6 ମାସର ଇଏମଆଇ ସ୍ଥଗିତ କରିଛନ୍ତି । ଯାହାକି ଅଗଷ୍ଟ 31ରେ ଶେଷ ହୋଇଛି । ଏହା ପରେ ପୁଣି ଗ୍ରାହକ ଋଣ ପରିଶୋଧ କରିବେ । କିନ୍ତୁ ମୋରାଟୋରିୟମ ବଦଳରେ ଲାଗୁ ଅତିରିକ୍ତ ଚାର୍ଜକୁ ନେଇ ସମସ୍ୟା ଉପୁଜିଥିଲା । ଏହି ଅତିରିକ୍ତ ଚାର୍ଜ ଋଣ ଗ୍ରହୀତାଙ୍କ ଉପରେ ବଡ ବୋଝ ହେଉଥିଲା । ତେବେ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ଆଶ୍ବସ୍ତି ଦ୍ବାରା ଲୋନ ମୋରାଟୋୟମ ଲାଭ ନେଉଥିବା ଲୋକ ଏବେ ସୁଧ ଉପରେ ଅତିରିକ୍ତ ସୁଧ ଦେବେ ନାହିଁ ।