ହାଇଦ୍ରାବାଦ: ଆଉ ମାତ୍ର କେଇଟା ଦିନ ପରେ ଆସିବ 2020-21 ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ଏପଟେ ତାରିଖ ଯେତେ ପାଖେଇ ଆସୁଛି, ଆୟକରଦାତାଙ୍କ ଟିକସ ଆଶ୍ବସ୍ତି ଦାବି ସେତିକି ତୀବ୍ର ହେଉଛି । ବିଶେଷ କରି ସୁଧ ବାବଦରେ ମିଳୁଥିବା ଆୟ ଉପରେ କର ରିହାତି ପାଇଁ ବିଶେଷଜ୍ଞ ସରକାରଙ୍କୁ ସୁପାରିଶ କରିଛନ୍ତି ।
ମୋଦି ସରକାର ଗତ ବର୍ଷ ଆୟ କର ଅଧିନିୟମର ଧାରା 87-ଏରେ ସଂଶୋଧନ କରି ସାଧାରଣ ନିର୍ବାଚନ ପୂର୍ବରୁ କରଦାତାଙ୍କୁ ଆଶ୍ବସ୍ତି ଦେଇଥିଲେ । 5 ଲକ୍ଷ ଆୟ ଉପରେ ଟିକସ ଫ୍ରି କରିଦିଆଯାଥିଲା ।
ତେବେ କର ବିଶେଷଜ୍ଞ ଏ ବର୍ଷ ବଜେଟରେ ସାଧାରଣ ଲୋକଙ୍କ ପାଇଁ ଅଧିକ ରିହାତି ଆଶା ରଖିଛନ୍ତି । ବିଶେଷ କରି ମଧ୍ୟବିତ୍ତଙ୍କ ଖର୍ଚ୍ଚ ବୃଦ୍ଧି ପାଇଁ ଟ୍ୟାକ୍ସ ଛାଡ ଆବଶ୍ୟକ ରହିଛି । ହେଲେ ଏଥିରେ ପରିବର୍ତ୍ତନ ନେଇ କମ ଆଶା ରହିଛି ।
ନୂଆଦିଲ୍ଲୀ ସ୍ଥିତ କର ବିଶେଷଜ୍ଞ କେ.କେ ମିତ୍ତଲ କହିଛନ୍ତି ଯେ, ‘‘ସଞ୍ଚୟ ଖାତା ସହ ଫିକ୍ସ ଡିପୋଜିଟରୁ ଆୟ ହେଉଥିବା ସୁଧ ଉପରେ ଜମାକର୍ତ୍ତାଙ୍କୁ ସରକାର ଅଧିକା ଆଶ୍ବସ୍ତି ଦେବା ଦରକାର ।’’
ବର୍ତ୍ତମାନ ସମୟରେ ସଞ୍ଚୟ ଖାତା ଓ ଫିକ୍ସ ଡିପୋଜିଟରୁ 1ବର୍ଷରେ 50,000 ଟଙ୍କା ଆୟ ଓ ବରିଷ୍ଠ ନାଗରିକ(60 ବର୍ଷରୁ ଊର୍ଦ୍ଧ୍ବ )ଙ୍କୁ କର ରିହାତି ଦିଆଯାଇଛି । ଯଦିଓ ଅଣ ବରିଷ୍ଠ ନାଗରିକଙ୍କ ମାମଲାରେ ବର୍ଷକରେ କେବଳ 10,000 ଟଙ୍କା ସୁଧ ଆଦାୟ ଉପରେ ଆୟକର ଅଧିନିୟମ 1961ର ଧାରା 80 ଟିଟିଏ ଅଧିନରେ ଛାଡ ଦିଆଯାଇଛି । ତେବେ ଏହି ନିୟମ (10 ହଜାର ସୁଧ ଉପରେ ଟିକସ ଫ୍ରି) ଫିକ୍ସ ଡିପୋଜିଟ ପାଇଁ ନୁହେଁ କେବଳ ସଞ୍ଚୟ ଖାତା ପାଇଁ ଲାଗୁ ହୋଇଛି ।
କେ.କେ ମିତ୍ତଲ ଇଟିଭି ଭାରତ ସହ କଥାବାର୍ତ୍ତା ସମୟରେ କହିଛନ୍ତି ଯେ, ସୁଧ ବାବଦରେ 50 ହଜାର ଆୟ ଉପରେ ସବୁ ବୟସର ଲୋକଙ୍କୁ ରିହାତି ଦେବା ଦରକାର । ସେହିପରି ଏଥିସହ ସରକାର ଅଣ ବରିଷ୍ଠ ନାଗରିକ କରଦାତାଙ୍କ ମାମଲାରେ ମଧ୍ୟ ସଞ୍ଚୟ ଖାତା ଓ ଫିକ୍ସ ଡିପୋଜିଟ ଉପରେ ରହିଥିବା କର ରିହାତି ପାର୍ଥକ୍ୟକୁ ଦୂର କରାଯାଉ ।
ମିତ୍ତଲଙ୍କ କହିବା ଅନୁଯାୟୀ, ସୁଧ ଉପରୁ ଆୟରେ କର ରିହାତି ଏକ ମଜବୁତ ମାମଲା । କାରଣ ଫିକ୍ସ ଡିପୋଜିଟ ଭଳି କିଛି ନିର୍ଦ୍ଦିଷ୍ଟ ଓ ନିଶ୍ଚିତ ଅବଧିର ଜମା ଉପରେ ଲାଗୁ ସୁଧ ଦର ଉପଭୋକ୍ତାଙ୍କ ମୁଲ୍ୟ ସୂଚକାଙ୍କରୁ କମ ରହିଥାଏ ।
ଏଭଳି ବହୁତ ମାମଲାରେ ଫିକ୍ସ ଟର୍ମ ଇନଷ୍ଟୁମେଣ୍ଟସ ଉପରେ ବାର୍ଷିକ ସୁଧ ଦର 6ରୁ 7 ପ୍ରତିଶତ ମଧ୍ୟରେ ରହିଥାଏ । ଯେତେବେଳେ କି ଖୁଚୁରା ମୁଦ୍ରାସ୍ପୀତି ସେହି ସ୍ତରରୁ ବହୁତ ଉପରକୁ ପହଞ୍ଚିଯାଇଛି । ଏହାର ଅର୍ଥ ଫିକ୍ସ ଡିପୋଜିଟ ଓ ସଞ୍ଚୟ ଖାତାରୁ ଆୟ ଏତେଟା ଯୁକ୍ତିଯୁକ୍ତ ନୁହେଁ ।
ସଦ୍ୟ ସରକାରୀ ରିପୋର୍ଟ ମୁତାବକ, ଉପଭୋକ୍ତା ମୁଲ୍ୟ ସୂଚକାଙ୍କ ରୂପରେ ଖୁଚୁରା ମୁଦ୍ରାସ୍ପୀତି ଗତ ବର୍ଷ ଡିସେମ୍ବରରେ 7.35% ରହିଥିଲା । ଯାହା 5 ବର୍ଷରେ ସର୍ବୋଚ୍ଚ । ଜୁଲାଇ 2014 ସର୍ବାଧିକ 7.39% ରହିଥିଲା ।