ନ୍ୟୁୟର୍କ: କୋରୋନା ଭାଇରସ ସଙ୍କଟ ରୋକିବାକୁ ଲକଡାଉନ ଜାରି । ଏଥିଯୋଗୁଁ ସମସ୍ତେ ଘରୁ ଅନଲାଇନ ସପିଂ କରୁଛନ୍ତି । ଫଳରେ ଏ ବର୍ଷର ପ୍ରଥମ ତ୍ରୈୟମାସରେ ଇ-କମର୍ସ କମ୍ପାନୀ ଆମଜାନର ବିକ୍ରି ବୃଦ୍ଧି ପାଇଛି । ହେଲେ ବିଭିନ୍ନ କଟକଣା ମଧ୍ୟରେ ଡେଲିଭରି ଖର୍ଚ୍ଚ ମାତ୍ରାଧିକ ବଢିଛି । ଯେଉଁଥିପାଇଁ ଜାନୁଆରୀ-ମାର୍ଚ୍ଚ ତ୍ରୈୟମାସରେ କମ୍ପାନୀର ଲାଭ 29 ପ୍ରତିଶତ କମିଛି ।
କମ୍ପାନୀର ଆୟ ଅନୁମାନ ଠାରୁ ବହୁତ କମ ରହିଛି । ଏଥିଯୋଗୁଁ ଗୁରୁବାର କମ୍ପାନୀ ସେୟାରରେ ପ୍ରାୟ 5 ପ୍ରତିଶତ ହ୍ରାସ ରେକର୍ଡ ହୋଇଛି । ସମୀକ୍ଷା ମାସରେ କମ୍ପାନୀର ନିଟ ଲାଭ 2.54 ଅରବ ଡଲାର ରହିଛି । ଯାହାକି ଗତ ବର୍ଷ ଏହି ତ୍ରୈୟମାସରେ 3.56 ଅରବ ଡଲାର ଥିଲା । ତେବେ କମ୍ପାନୀ ଆଗକୁ ଆହୁରୀ ଖର୍ଚ୍ଚ କରିବ ବୋଲି ସିଇଓ ଜେଫ ବୋଜସ କହିଛନ୍ତି ।
ବୋଜସ କହିଛନ୍ତି ଯେ, କମ୍ପାନୀ ଦ୍ବିତୀୟ ତ୍ରୈୟମାସ(ଏପ୍ରିଲ-ଜୁନ)ରେ ପ୍ରାୟ 4 ଅରବ ଡଲାର ବା ତା ଠାରୁ ଅଧିକ ବ୍ୟୟ କରିବା ଆଶା ରହିଛି । ଏହି ଟଙ୍କା କର୍ମଚାରୀଙ୍କ ଓଭରଟାଇମ ଦେୟ ଓ ମାସ୍କ ଏବଂ ଅନ୍ୟ ସୁରକ୍ଷା ବନ୍ଦୋବସ୍ଥ, ସାନିଟାଇଜେସନ ଆଦିରେ ବିନିଯୋଗ କରାଯିବ ।