ନୂଆଦିଲ୍ଲୀ: ଦିଗ୍ଗଜୟ ଉଦ୍ୟୋଗପତି ଗୌତମ ଅଦାନୀଙ୍କ ନେତୃତ୍ବଧୀନ ଅଦାନୀ ଗ୍ରୁପ କମ୍ପାନୀ ସେୟାର ସୋମବାର ପ୍ରବଳ ହ୍ରାସ ହୋଇଛି । ଯାହା ଫଳରେ ଗୋଟିଏ ଦିନରେ ଅଦାନୀ ଗ୍ରୁପର ମାର୍କେଟ କ୍ୟାପ ପ୍ରାୟ 1.03 ଲକ୍ଷ କୋଟି କମିଛି ।
ନ୍ୟାସନାଲ ସିକ୍ୟୁରିଟିଜ ଡିପୋଜିଟରୀ ଲିମିଟେଡ (National Securities Depository Ltd) 3 ବିଦେଶୀ ଫଣ୍ଡସ ଆକାଉଣ୍ଟକୁ ଫ୍ରିଜ କରିଦେଇଛି । ଆଉ ଏଥିରେ ଅଦାନୀ ଗ୍ରୁପର 4 କମ୍ପାନୀର 43,500 କୋଟି ଟଙ୍କାରୁ ଅଧିକ ମୂଲ୍ୟର ସେୟାର ରହିଛି ।
କାରବାର ସମୟରେ ଅଦାନୀ ଏଣ୍ଟରପ୍ରାଇଜେସ ବିଏସଇରେ 24.99 ପ୍ରତିଶତ ହ୍ରାସ ସହ 1,201.10 ଟଙ୍କା ଆଦାନୀ ପୋର୍ଟସ ଓ ସ୍ବତନ୍ତ୍ର ଆର୍ଥିକ କ୍ଷେତ୍ର 18.75 ପ୍ରତିଶତ କମି 681.50 ଟଙ୍କାକୁ ଖସିଯାଇଥିଲା । ଏହା ବ୍ୟତିତ ଆଦାନୀ ଗ୍ରୀନ ଏନର୍ଜୀ 5 ପ୍ରତିଶତ ହ୍ରାସ ହୋଇ 1,165.35 ଟଙ୍କା , ଅଦାନୀ ଟୋଟଲ ଗ୍ୟାସ 5 ପ୍ରତିଶତ ଖସି 544.55 ଟଙ୍କ , ଆଦାନୀ ଟ୍ରାନ୍ସମିଶନ 5 ପ୍ରତିଶତ କମି 1,517.25 ଟଙ୍କା ଓ ଅଦାନୀ ପାୱର 4.99 ପ୍ରତିଶତ ଖସି 140.90 ଟଙ୍କାକୁ ଆସିଯାଇଛି । ଏହି ସବୁ ସେୟାର ତାର ସର୍ବନିମ୍ନ ସୀମାକୁ ଛୁଇଁଛି ।
ତେବେ ନ୍ୟାସନାଲ ସିକ୍ୟୁରିଟିଜ ଡିପୋଜିଟରୀ ଲିମିଟେଡ ଫ୍ରିଜ କରିଥିବା ସେୟାର ଭିତରେ ଅଦାନୀ ଗ୍ରୁପର ସେୟାର ରହିଛି । ରିପୋର୍ଟ ଅନୁସାରେ ଏହି ଖାତାକୁ 31 ମେ ବା ଏହା ପୂର୍ବରୁ ଫ୍ରିଜ କରିଦିଆଯାଇଥିଲା ।