ନୂଆଦିଲ୍ଲୀ: ବର୍ଷର ସପ୍ତମ ମାସର ପ୍ରଥମ ଦିନ ଅର୍ଥାତ ଜୁଲାଇ ପହିଲା 4 ବର୍ଷ ତଳେ ଭାରତୀୟ ଅର୍ଥନୀତି ଇତିହାରେ ସୃଷ୍ଟି କରିଛି ସ୍ବତନ୍ତ୍ର ସ୍ଥାନ । 2017 ଆଜିର ଦିନରେ ନରେନ୍ଦ୍ର ମୋଦି ସରକାର ଦେଶରେ ଏକକ ଟିକସ ବ୍ୟବସ୍ଥା ବା ଦ୍ରବ୍ୟ ଓ ସେବା କର (ଜିଏସଟି ) ପ୍ରଣାଳୀକୁ ଲାଗୁ କରିଥିଲେ । ଦେଶରେ କର ବ୍ୟବସ୍ଥାକୁ ସୁଧାର ଦିଗରେ ଏହି ପଦକ୍ଷେପ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ବୋଲି ଦର୍ଶାଯାଇଛି ।
ଦେଶରେ ପରୋକ୍ଷ କରର ନୂଆ ପ୍ରଣାଳୀ ଜିଏସଟିର ଚତୁର୍ଥ ବର୍ଷ ଅବସରରେ ଅର୍ଥମନ୍ତ୍ରାଳୟ କହିଛି କି, 54,000ରୁ ଅଧିକ ଜିଏସଟି କରଦାତାଙ୍କୁ ସଠିକ ସମୟରେ ରିଟର୍ଣ୍ଣ ଦାଖଲ ଓ କରର ନଗଦ ପେମେଣ୍ଟ କରିବା ଉପରେ ପ୍ରଂଶସାର ପ୍ରମାଣପତ୍ର ଜାରି କରି ସେମାନଙ୍କୁ ସମ୍ମାନିକ କରାଯିବ । ମନ୍ତ୍ରାଳୟ କହିଛି କି, ଜିଏସଟି ବ୍ୟବସ୍ଥା ଲାଗୁ ହେବା ପରଠୁ ଏବେ ସୁଦ୍ଧା 66 କୋଟିରୁ ଊର୍ଦ୍ଧ୍ବ ରିଟର୍ଣ୍ଣ ଦାଖଲ ହୋଇଛି ।
ଜିଏସଟି ଯୋଗୁଁ ସାଧାରଣ ଲୋକଙ୍କ ଉପରେ ଟିକସ ବୋଝ କମିଛି । ଅନେକ ପ୍ରକାର ଟିକସ ଅବସାନ ହୋଇଛି । ଏଥିସହ ଅନୁପାଳନ ଚାପ ବି କମିଛି । ଏହି ସମୟରେ ଜିଏସଟି ରାଜସ୍ବରେ ଧୀରେ ଧୀରେ ବୃଦ୍ଧି ହୋଇଛି । ଗତ 8 ମାସ ଧରି ଲଗାତାର ଜିଏସଟି ରାଜସ୍ବ ଆଦାୟ 1 ଲକ୍ଷ କୋଟି ଟଙ୍କା ଉପରେ ରହିଛି ।
ଜିଏସଟିରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଲଗାଯାଇଥିବା ଉତ୍ପାଦ ଶୁଳ୍କ , ସେବା କର , ଭାଟ ଓ 13 ଉପକର ଭଳି ମୋଟ 17 ପ୍ରକାର କରକୁ ସମାହିତ କରାଯାଇଛି ।
କେନ୍ଦ୍ରୀୟ ପରୋକ୍ଷ କର ଓ ସୀମା ଶୁଳ୍କ ବୋର୍ଡର ତଥ୍ୟର ବିଶ୍ଲେଷଣ କରି ସେହି କରଦାତାଙ୍କ ଚିହ୍ନଟ କରିଛି , ଯେଉଁମାନେ ସଠିକ ସମୟରେ ରିଟର୍ଣ୍ଣ ଦାଖଲ କରିବା ସହ ଜିଏସଟିର ନଗଦରେ ପେମେଣ୍ଟ କରି ବ୍ୟାପକ ଯୋଗଦାନ କରିଛନ୍ତି । ଏହି ବିଶ୍ଲେଷଣର ପରିଣାମସ୍ବରୂପ 54,439 କରଦାତାଙ୍କ ଚିହ୍ନଟ କରାଯାଇଛି ।
ଚିହ୍ନଟ ହୋଇଥିବା ଏହି କରଦାତାଙ୍କ ମଧ୍ୟରେ 88 ପ୍ରତିଶତରୁ ଅଧିକ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗୀ ଅଛନ୍ତି । ଏଥିରେ କ୍ଷୁଦ୍ର (36 ପ୍ରତିଶତ), ଲଘୁ (41 ପ୍ରତିଶତ ) ଓ ମଧ୍ୟମ ଶ୍ରେଣୀର ଉଦ୍ୟୋଗୀ (11 ପ୍ରତିଶତ ) ସାମିଲ ଅଛନ୍ତି । ଏହି ଉଦ୍ୟୋଗୀ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅଛନ୍ତି । ଯେଉଁଠି ଦ୍ରବ୍ୟର ଯୋଗାଣ ଓ ସେବା ପ୍ରଦାନକାରୀ କାର୍ଯ୍ୟ କରନ୍ତି ।
CBIC ଏହି କରଦାତାଙ୍କୁ ପ୍ରଂଶସା ପ୍ରମାଣପତ୍ର ଜାରି କରିବ । ଦ୍ରବ୍ୟ ଓ ସେବାକର ନେଟୱର୍କ ଏଥିରୁ ପ୍ରତ୍ୟେକ କରଦାତାଙ୍କୁ ଇମେଲ ଜରିଆରେ ପ୍ରଂଶସା ପ୍ରମାଣପତ୍ର ପଠାଇବେ । କରଦାତା ଏହି ପ୍ରମାଣପତ୍ରର ପ୍ରିଣ୍ଟ ନେଇ ତାହାକୁ ନିଜ କାର୍ଯ୍ୟସ୍ଥଳରେ ପ୍ରଦର୍ଶିତ କରିପାରିବେ ।
ପ୍ରକାଶ ଯେ, ଜିଏସଟି ବ୍ୟବସ୍ଥାରେ 4 ଶ୍ରେଣୀ ରହିଛି । ଆବଶ୍ୟକ ବସ୍ତୁ ଉପରେ ସବୁଠୁ କମ 5 ପ୍ରତିଶତ ହାରରେ ଜିଏସଟି ଲାଗିଥାଏ । ଅନେତ ବସ୍ତୁକୁ ଏଥିରୁ ଛାଡ ଦିଆଯାଇଛି । ସବୁଠୁ ଉଚ୍ଚ 28 ପ୍ରତିଶତ କର ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ଲାଗିଥାଏ । ସେହିଭଳି 12 ଓ 18 ପ୍ରତିଶତ କର ସ୍ଲାବ ରହିଛି । ଏଥିରେ ପୂର୍ବରୁ ଭାଟ , ଉତ୍ପାଦ ଶୁଳ୍କ, ସିଏସଟି ମୋଟ ମିଶାଇ କରର ହାର 31 ପ୍ରତିଶତରେ ପହଞ୍ଚିଯାଉଥିଲା ।