ନୂଆଦିଲ୍ଲୀ: ଟ୍ରାକରେ ଘରୋଇ ଟ୍ରେନ ଗଡିବା ନେଇ ଦ୍ବିତୀୟ ପ୍ରାକ ଆବେଦନ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋମ୍ବାର୍ଡିଅର, ଆଲଷ୍ଟମ, ସିମେନ୍ସ ଏବଂ ଜିଏମଆର , ଏଲଟିଡି, କାଫ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ସମେତ 23 ଟି କମ୍ପାନୀ ଯୋଗଦେଇଥିବା ନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ବୈଠକରେ ଯୋଗଦେଉଥିବା ଅନ୍ୟ କମ୍ପାନୀଗୁଡିକ ମଧ୍ୟରେ ବିଏମଏଲ, ଆଇଆରସିଟିସି, ଭେଲ , ମେଧା ଗ୍ରୁପ, ଷ୍ଟେରଲାଇଟ, ଭାରତ ଫର୍ଜ, ଜେକେବି ଇନଫ୍ରାଷ୍ରକ୍ଟର ଏବଂ ଟିଟାଗଡ ୱାଗନ୍ସ ଲିମିଟେଡ ଆଦି ରହିଥିଲେ ।
ପବ୍ଲିକ -ପ୍ରାଇଭେଟ ପାର୍ଟନରସିପରେ ପାସେଞ୍ଜର ରୁଟରେ ଘରୋଇ ଟ୍ରେନ ଗଡିବ । ଏହି ପ୍ରକଳ୍ପ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରାକ ଆବଦେନ କନଫରେନ୍ସ ଆୟୋଜନ କରାଯାଉଛି । ଇଚ୍ଛୁକ କମ୍ପାନୀ ଏଥିରେ ନିବେଶ ପାଇଁ ପ୍ରସ୍ତାବ ରଖୁଛନ୍ତି ।
ପ୍ରକାଶ ଯେ, ଦେଶର 109 ଟି ରୁଟରେ 11 ଟି ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ରେଳବାଇ 12 ଟି ରିକ୍ବେଷ୍ଟ ଫର କ୍ବାଲିଫିକେସନ (ଆରଏଫକ୍ୟୁ) ଜାରି କରିଛି । ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଏଭଳି ଅଭିଯାନ ଆରମ୍ଭ କରିଛନ୍ତି । ଯାହା ଫଳରେ ରେଳ ଟ୍ରାକରେ ଘରୋଇ ନିବେଶରେ ଯାତ୍ରୀବାହୀ ଟ୍ରେନ ଚାଲିବ । ଏହି ପ୍ରୋଜେକ୍ଟ ପାଇଁ ପ୍ରଥମ ପ୍ରକ୍ରିୟାରେ 30,000 କୋଟି ଟଙ୍କା ଘରୋଇ ନିବେଶ ହେବ ବୋଲି ଅନୁମାନ ରହିଛି ।