ଭୁବନେଶ୍ବର: ସରିଛି ବିଶ୍ବର ସର୍ବବୃହତ ଗଣତନ୍ତ୍ରର ସର୍ବଶ୍ରେଷ୍ଠ ପର୍ବ ନିର୍ବାଚନ । ଆସନ୍ତା 30 ସୁଦ୍ଧା ବିଶ୍ବ ଦେଖିବ ଭାରତର ନୂଆ ସରକାର । ସାଧାରଣ ନିର୍ବାଚନ ସହ ଦେଶର 4ଟି ରାଜ୍ୟରେ ମଧ୍ୟ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଏହି 4ରାଜ୍ୟ ମଧ୍ୟରୁ ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଶେଷ ହୋଇଛି । ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଜୋରଦାର ମୁକାବିଲା ହୋଇଥିଲା । କାରଣ ବିଜେଡିକୁ ଶାସନ ଗାଦିରୁ ହଟାଇବା ପାଇଁ ବିଜେପି ଚାଣକ୍ୟ ବୋଲାଉଥିବା ଅମିତ ଶାହା ମିଶନ 120 ପ୍ଲସର ଆହ୍ବାନ ଦେଇଥିବା ବେଳେ କଂଗ୍ରେସ ମୁଖିଆ ମଧ୍ୟ କ୍ଷମତାକୁ ଫେରିବା ପାଇଁ ଦମ୍ଭ ଦେଖାଇଥିଲେ । ଆଉ ଉଭୟଙ୍କୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଥିଲା ବିଜେଡି ।
ଏହାରି ଭିତରେ ଆସି ସାରିଛି ନିର୍ବାଚନ ଫଳ । ପୁଣିଥରେ ଶାସନ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି ବିଜେଡି ଆଉ ବିଜେପିର ମିଶନ 120 ପ୍ଲସ ଫ୍ଲପ ହୋଇଥିଲେ ମଧ୍ୟ ଷୋଡଶ ବିଧାନସଭାରେ ଦଳ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହେବ । ତେବେ ଗେରୁଆ ଦଳର ବିଧାୟକ ସଂଖ୍ୟା ବଢିଥିଲେ ମଧ୍ୟ ଦଳର ଅନେକ ଅଭିଜ୍ଞ ବରିଷ୍ଠ ବିଧାୟକ କନକ ବର୍ଦ୍ଧନ ସିଂଦେଓ, ପ୍ରଦୀପ ପୁରୋହିତ, ରବି ନାୟକ ଓ ରାଧାରାଣୀ ପଣ୍ଡାଙ୍କ ଭଳି ଅଭିଜ୍ଞ ନେତା ନିର୍ବାଚନରେ ବିଫଳତାର ମୁହଁ ଦେଖିଛନ୍ତି । ଯାହାକୁ ନେଇ ଏବେ ରାଜ୍ୟରେ ବିରୋଧୀ ଦଳ ନେତା କିଏ ହେବ ଚାଲିଛି ହିସାବ ନିକାସ ।
କାରଣ ଦଳର ବିଧାୟକ ସଂଖ୍ୟା 23 ହୋଇଥିଲେ ବି ଏମାନଙ୍କ ଭିତରୁ 15ଜଣ ନୂଆଁ ମୁହଁ ଥିବାବେଳେ ଅବଶିଷ୍ଟ ପୂର୍ବରୁ ବିଧାନସଭାର ସଦସ୍ୟ ଥିଲେ । ଯଦିଓ ଦଳର ପୁରୁଖା ନେତା ଜୟ ନାରାୟଣ ମିଶ୍ର ଚଳିତ ନିର୍ବାଚନରେ ବିଧାନସଭାକୁ କମବ୍ୟାକ କରିଛନ୍ତି ଏବଂ ତାଙ୍କସହ ମେଣ୍ଟ ସରକାରରେ ମନ୍ତ୍ରୀଥିବା ଅନୁଭବୀ ପ୍ରଦୀପ୍ତ ନାୟକ ମଧ୍ୟ ବିଜୟୀ ହୋଇଛନ୍ତି । ଏହି ଦୁହିଙ୍କ ମଧ୍ୟରୁ ଦଳ କାହାକୁ ଏହି ଦାୟିତ୍ବ ଦେବ ତାହା ସମୟ କହିବ । କିଏ ହେବ ବିରୋଧୀ ଦଳ ନେତା ତାହା ଚୂଡାନ୍ତ କରିବା ପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ରାଜ୍ୟର ଶୀର୍ଷସ୍ତରୀୟ ନେତା ଓ ଦଳର ସମସ୍ତ ବିଜୟୀ ବିଧାୟକଙ୍କ ମିଳିତ ବୈଠକ ବସି ନେତା ବଛାଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡିଛି ।
ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ପାଟକୁରା ନିର୍ବାଚନ ସରିବା ଯାଏଁ ଏହି ପଦରେ ଜଣେ ଅସ୍ଥାୟୀ ନେତା ନିଯୁକ୍ତ ଦିଆଯାଉ, ଆଉ ପାଟକୁରା ନିର୍ବାଚନରେ ଯଦି ବିଜୟ ମହାପାତ୍ର ବିଜୟୀ ହୁଅନ୍ତି ତାଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ଏକ ପ୍ରଭାବଶାଳୀ ଗୋଷ୍ଠୀ ଦଳ ଉପରେ ଚାପ ପକାଉଛନ୍ତି । ଯଦି ଏମିତି କିଛି ହୁଏ ତାହା ରାଜ୍ୟ ରାଜନୀତିରେ ଏକ ବିରଳ ଘଟଣା ହୋଇପାରେ ! କାରଣ ନବୀନ ବିଜୟଙ୍କ ବିବାଦ କାହାକୁ ଅଛପା ନାହିଁ । ତେବେ ଦଳ କାହାକୁ ଏହି ପଦରେ ବସାଉଛି ତାହା ସ୍ପଷ୍ଟ ହେବ ମେ 30 ପରେ ।
ଅନ୍ୟପଟେ କଂଗ୍ରେସର ସଂଖ୍ୟା କମି 9ରେ ଆସି ପହଞ୍ଚିଥିଲେ ମଧ୍ୟ ପୂର୍ବ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଅଭିଜ୍ଞ ସୁର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରା ବାହିନୀପତି ଭଳି ନେତା ବିଧାନସଭାକୁ ଆସିଛନ୍ତି । ସେହି ଦୃଷ୍ଟିରୁ ଷୋଡଶ ବିଧାନସଭା ବେଶ ସରଗରମ ହେବା ସହ ସରକାରଙ୍କ ପାଇଁ ମଧ୍ୟ ଅନେକ ସମୟରେ ଗୃହ ପରିଚାଳନା ପାଇଁ ଚ୍ୟାଲେଞ୍ଜ ହୋଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ