କେନ୍ଦ୍ରାପଡା: ତାଳଚୁଆ ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡ଼ା ସ୍ୱତନ୍ତ୍ର କୋର୍ଟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଜ୍ଞା ପାଣିଗ୍ରାହୀ । ଗତ ୨୦୧୬ ମସିହା ଏପ୍ରିଲ ମାସ ୨୦ ତାରିଖରେ ନାବାଳିକାଙ୍କୁ ତାଙ୍କର ଭଉଣୀ ଘରେ ଛାଡ଼ିଦେବା କଥା କହି ଦୁଷ୍କର୍ମ କରିଥିଲା ମରାବତୀ ଗ୍ରାମର ଜୟଦେବ ଗିରି ।
ନାବାଳିକାଙ୍କ ମାଆ ତାଳଚୁଆ ମେରାଇନ ଥାନାରେ କରିଥିବା ଅଭିଯୋଗ ମୁତାବକ ଉକ୍ତଦିନ ନାବାଳିକା ଜଣକ ସନ୍ଧ୍ୟା ୫ଟା କେତୁଆପାଳରେ ଥିବା ତାଙ୍କର ଭଉଣୀ ଘରକୁ ଯିବାପାଇଁ ଅଟୋକୁ ଅପେକ୍ଷା କରିଥିଲେ । ସେହି ସମୟରେ ଅମରାବତୀ ଗ୍ରାମର ଜୟଦେବ ଗିରି ନାମକ ଜଣେ ଯୁବକ ନାବାଳିକାକୁ ତାଙ୍କ ଭଉଣୀଘରେ ଛାଡ଼ିଦେବାକୁ କହି ନିଜ ମୋଟର ସାଇକେଲରେ ବସାଇଥିଲେ ।
ଅଭିଯୁକ୍ତ ନାବାଳିକାଙ୍କୁ ତାଙ୍କ ଭଉଣୀ ଘରେ ନନେଇ ଏକ ଭଙ୍ଗାଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଦୁଷ୍କର୍ମ ମାମଲାର ମଙ୍ଗଳବାର ଅପରାହ୍ନରେ ଶୁଣାଣି ଶେଷ ହୋଇଛି । ମାନ୍ୟବର ବିଚାରପତି ପ୍ରଜ୍ଞା ପାଣିଗ୍ରାହୀ ଅଭିଯୁକ୍ତ ଜୟଦେବ ଗିରିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ୬ ମାସ ଜେଲଦଣ୍ଡର ଶୁଣାଣି କରିଛନ୍ତି ମାନ୍ୟବର ବିଚାରପତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ