ଭୁବନେଶ୍ବର: ଧଉଳି ଥାନା ଶିଶୁପାଳଗଡ ରଘୁନାଥ ନଗରର ପ୍ଲଟ ନମ୍ବର 197/2832ରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ 28 ବର୍ଷୀୟ ଅତୁଲ୍ୟ କୁମାର ପରିଡା । ଘର ବେଡରୁମରୁ ଫ୍ୟାନରେ ଲୁଗା ଲାଗିଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେପଟେ ଘରର ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ଅତୁଲ୍ୟର ମୃତ୍ୟୁକୁ ନେଇ ଜଣେ ଏମବିଏ ଛାତ୍ରୀଙ୍କ ଆଡକୁ ଇସାରା କରିଛନ୍ତି ପରିବାର ଲୋକେ । ଯାହା ଏବେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନାନୁଯାୟୀ, ସକାଳ 8.30 ରେ ଅତୁଲ୍ୟଙ୍କ ଜଣେ ପାଖ ସମ୍ପର୍କୀୟଙ୍କ ପାଖକୁ ତାଙ୍କ ମୃତ୍ୟୁ ଖବର ଆସିଥିଲା । ଆଉ ଏହି ଫୋନ କଲଟି ଥିଲା ଜଣେ ଯୁବତୀଙ୍କର । ଏହି ଖବର ଦେବା ପରେ ଯୁବତୀ ଜଣକ ଆଉ ଫୋନ କଲ ଉଠାଇନଥିଲେ ।
ଖବର ପାଇ ପରିବାର ଲୋକେ ଦିନ ୧୨ଟାରେ ରଘୁନାଥ ନଗର ପହଞ୍ଚି ଅତୁଲ୍ୟଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏଥି ସହିତ ଘରର କବାଟ ଖୋଲା ରହିଥିବାବେଳେ ଚାବି ପେନ୍ଥା ଗାଡି ସିଟ ଉପରେ ରହିଥିଲା । ଖଟ ଉପରେ ଟି ପଏ ଆଉ ଚେୟାର ପଡିଥିବା ବେଳେ ଫୋନ କଲ କରିଥିବା ଯୁବତୀ ଘରର କବାଟ ତାଡିଥିବା କହିଥିଲେ ।
ତେବେ ପୋଲିସ ଉପସ୍ଥିତିରେ ମୃତଦେହ ଜବତ ପରେ ଘଟଣାର ସତ୍ୟତା ଜାଣିବାକୁ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଯାଇଛି । ସେପଟେ ସମସ୍ତ ଘଟଣାକୁ ନେଇ ପାରିପାର୍ଶିକ ସ୍ଥିତିର ଯାଞ୍ଚ କରିଥିଲା ସାଇଣ୍ଟିଫିକ ଟିମ୍ । ହୋଟେଲ ମ୍ୟାନେଜମେଣ୍ଟ କରୁଥିବା ଅତୁଲ୍ୟଙ୍କ ମୃତ୍ୟୁ ରହସ୍ୟ ଘେରରେ ଥିବାବେଳେ ପରିବାର ଲୋକଙ୍କ ସନ୍ଦେହରେ ଏମବିଏ ଛାତ୍ରୀ ।
ପୂର୍ବରୁ ଉକ୍ତ ଯୁବତୀ ଜଣକ ସେହି କଲୋନୀରେ ରହୁଥିବାବେଳେ ଗତ କିଛି ଦିନ ହେବ ସେ ହଷ୍ଟେଲରେ ରହୁଛନ୍ତି । ତେବେ ଏହା ଏକ ପ୍ରେମଜନିତ ଘଟଣା ନା ଆଉ କିଛି ତାହା ଜାଣିବାକୁ ଧଉଳି ଥାନା ପାଇଁ ଏକ ପ୍ରକାରର ଚ୍ୟାଲେଞ୍ଜ ହୋଇଛି । ଏବେ ଘଟଣାର ପ୍ରକୃତ ରହସ୍ୟ ଅତୁଲ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡିବ । ସେପଟେ ପୁଅକୁ ହରାଇ ମୃତ ଅତୁଲ୍ୟଙ୍କ ଘରେ ଶୋକର ଛାୟା ଖେଳିଯାଇଛି । ତେବେ ରବିବାର ଠାରୁ ଅତୁଲ୍ୟଙ୍କ ପରିବାରଲୋକେ ତାଙ୍କୁ ଘରେ ଏକା ଛାଡି କେନ୍ଦ୍ରାପଡା ଯାଇଥିଲେ ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ